ଭୁବନେଶ୍ୱର,୨୪/୦୧: କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ହେଲେ  ସହରର ଚିତ୍ର ବଦଳୁନି । ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ଭୁବନେଶ୍ୱର ।  ଘରେ ପାଣି ପଶୁଛି । ଡ୍ରେନ୍‌ରେ ଭାସି ଜୀବନ ଯାଉଛି । ଏବେ ପୁଣି ନୂଆ ଭେଳିକି ଆରମ୍ଭ  କରିଛି ବିଏମ୍‌ସି । ଡ୍ରେନ୍‌ ପାଣି ନିଷ୍କାସନ ପାଇଁ ଆଇଆଇଟି ରୁର୍‌କି ସହ ହାତ ମିଳାଇବ । ଖାଲି ନକ୍ସା ଆଙ୍କିବାକୁ ରୁରକି ନେବ ୯ କୋଟି ଟଙ୍କା । ସହରାଞ୍ଚଳ ବନ୍ୟାଜଳ ରୋକିବାକୁ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ । ଏହାର  ଦାୟିତ୍ୱ ଆଇଆଇଟି ରୁର୍‌କିକୁ ଦିଆଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ଏକ ଟେକ୍ନୋ  ପ୍ରସ୍ତାବ ଆଗତ ହୋଇଛି । 

ପ୍ରସ୍ତାବ ମୁତାବକ ମାଷ୍ଟରପ୍ଲାନ ଓ ଡିପିଆର ପ୍ରସ୍ତୁତି ପାଇଁ ମୋଟ ୯ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ  ବରାଦ କରାଯାଇଛି । ଏମ୍‌ଓୟୁ ସ୍ୱାକ୍ଷର ବେଳେ ଆଗୁଆ ୩୦ ପ୍ରତିଶତ ଟଙ୍କା  ନେବ ଆଇଆଇଟି ରୁରକି । ପ୍ରିଲିମିନାରୀ  ରିର୍ପୋଟ ଦାଖଲ ପାଇଁ ଅବଶିଷ୍ଟ ୨୦  ପ୍ରତିଶତ । ଅର୍ଥାତ ମାତ୍ର ରିର୍ପୋଟ ବେଳକୁ  ୪ କୋଟି ଟଙ୍କା ନେବାକୁ ଦାବି କରିଛି ।  ଏହା ପରେ ଡ୍ରାଫ୍ଟ ଡ୍ରେନେଜ ମାଷ୍ଟରପ୍ଲାନ  ପାଇଁ ୧୦ ପ୍ରତିଶତ ଟଙ୍କା ପଇଠ କରିବାକୁ  ପଡ଼ିବ । ଚୂଡାନ୍ତ ଡ୍ରେନେଜ ମାଷ୍ଟରପ୍ଲାନ  ପାଇଁ ୧୫ ଏବଂ ଡିପିଆର ବେଳକୁ ପୂରା  ଟଙ୍କା ନେବ । ବର୍ଷକ ମଧ୍ୟରେ ପ୍ଲାନ ରିର୍ପୋଟ ଦେବାକୁ ନିଷ୍ପତ୍ତି ହୋଇଛି ।  

ବିଏମ୍‌ସି ଅଞ୍ଚଳରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଫଣ୍ଡ  (ଏନ୍‌ଡିଏମ୍‌ଏଫ୍‌) ଫଣ୍ଡରୁ ଏହି କାର୍ଯ୍ୟ କରାଯିବ । ଏଥିରେ ବିଶେଷ କରି ଇସ୍କନ  ଜଳବନ୍ଦୀକୁ ଫୋକସ କରାଯାଇଛି । ନୂଆପଲ୍ଲୀଠାରୁ ବାଣୀବିହାର ପର୍ଯ୍ୟନ୍ତ ଏକ  ଭୂ-ତଳ ଡ୍ରେନ୍‌ ନିର୍ମାଣ କରିବାକୁ ଏଥିରେ ଯୋଜନା ରହିଛି । ଇସ୍କନ ପାଣି ସିଧା  ନେଇ ବାଣୀବିହାର ଡ୍ରେନ୍‌-୪ରେ ପକାଇବାକୁ ଯୋଜନା ରହିଛି । ଆଇଆଇଟି  ରୁର୍‌କିର ଏକ ଟିମ୍‌ ବିଏମସି ଅଞ୍ଚଳ ବୁଲି ଦେଖିଥିଲେ । ଅଧିକାଂଶ ଡ୍ରେନ୍‌ ସରୁ  ଅଣଓସାରିଆ ହୋଇଥିବାରୁ ପାଣିର ବେଗ ଅଧିକ ରହୁଛି । ଏହା ସହ ପାଣି  ନିଷ୍କାସନ ମୁଖ୍ୟ ଡ୍ରେନ୍‌ ଜବରଖଲ ଯୋଗୁଁ ପାଣି ନିଷ୍କାସନରେ ଅସୁବିଧା ହେଉଛି । 

ବର୍ଷା ଦିନେ ରାଜଧାନୀକୁ ଜଳବନ୍ଦୀ ମୁକ୍ତ କରିବାକୁ ଅତିତରେ ଅନେକ  ଯୋଜନା ହୋଇଛି । ଲୋକଙ୍କ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଛି । ହେଲେ ଜଳବନ୍ଦୀ  ସମସ୍ୟା ହଟି ପାରିନାହିଁ । ଆଗରୁ ତଳିଆ ଅଞ୍ଚଳ ପାଣିରେ ବୁଡୁଥିଲା । ହେଲେ  ଏବେ ପାଣି ରାଜଧାନୀର ଛାତି ଉପରେ ଧାଉଁଛି । ସବୁ ମୁଖ୍ୟ ରାସ୍ତା ଉବୁଟୁବୁ ।  ଡ୍ରେନ୍‌ରେ ପଡ଼ି ଗତ ୪ ବର୍ଷ ଭିତରେ ୩ ଜଣଙ୍କ ଜୀବନ ଗଲାଣି । ଏବେ  ଭୁବନେଶ୍ୱର ଜଳବବନ୍ଦୀ ସମସ୍ୟାରେ ଆଇଆଇଟି ରୁର୍‌କି ମୁଣ୍ଡ ଖେଳାଉଛି ।  ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ ।