ଢାକା,୨୯/୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜିୟା ଖଲିଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏ ନେଇ ତାଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି ) ମହାସଚିବ ମିର୍ଜା ଇସ୍ଲାମ ଆଲମଗିର୍ ଶୁକ୍ରବାର ସୂଚନା ଦେଇଛନ୍ତି । ୮୦ ବର୍ଷୀୟା ଖଲିଦା ବିଏନ୍ପି ଅଧ୍ୟକ୍ଷା । ସେ ଦୀର୍ଘ ବର୍ଷରୁ ଲିଭର, କିଡ୍ନୀ, ଡାୟାବେଟିସ୍, ଆଖି ଜନିତ ରୋଗରେ ପୀଡ଼ିତ ।
ଆଲମଗିର କହିଛନ୍ତି, ଖଲିଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଗୁରୁବାର ରାତିରେ ଡାକ୍ତର ଜଣାଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଚର୍ମରେ ସଂକ୍ରମଣ ହୋଇଯାଇଥିଲା ଏବଂ ଏହାର ପ୍ରଭାବ ତାଙ୍କ ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ରେ ପଡ଼ିଥିଲା । ବାଂଲାଦେଶ ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଖଲିଦା ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରିବା ଲାଗି ୟୁନୁସ୍ ଦେଶବାସୀଙ୍କୁ ଅପିଲ କରିଛନ୍ତି । ସ୍ଥାନୀୟ ଏବଂ ବିଦେଶୀ ଡାକ୍ତରଙ୍କ ଏକ ଟିମ୍ ଖଲିଦାଙ୍କ ଚିକିତ୍ସାରେ ଲାଗିଛନ୍ତି । ଅନାଥାଶ୍ରମ ଟ୍ରଷ୍ଟ ନାଁରେ ସରକାରୀ ଟଙ୍କା ଦୁରୁପଯୋଗ ଅଭିଯୋଗରେ ୨୦୧୮ ଫେବ୍ରୁଆରୀ ୮ରେ ଖଲିଦାଙ୍କୁ ଢାକାର ସ୍ୱତନ୍ତ୍ର କୋର୍ଟ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ଖଲିଦାଙ୍କ ପୁଅ ତାରିକ୍ ଏବଂ ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ସେମାନଙ୍କ ଉପରେ ୨.୧ କୋଟି ବାଂଲାଦେଶୀ ଟକା ଜରିମାନା ଲାଗିଥିଲା । ତାରିକ୍ ଏବଂ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଏହି ରାୟ ବିରୋଧରେ ଖଲିଦା ହାଇକୋର୍ଟରେ ପିଟିସନ କରିଥିଲେ । ତେବେ ୨୦୧୮ ଅକ୍ଟୋବରରେ ହାଇକୋର୍ଟ ତାଙ୍କ ଦଣ୍ଡାଦେଶ ବଢ଼ାଇ ୧୦ ବର୍ଷ କରି ଦେଇଥିଲେ । ପରେ ସେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲା ଏବେ ଅଦାଲତରେ ପଡ଼ି ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗାଦିଚ୍ୟୁତ ହେବାର ଦିନକ ପରେ ଅର୍ଥାତ ୨୦୨୪ ଅଗଷ୍ଟ ୮ରେ ଖଲିଦା ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ପଳାଇଥିଲେ । ୪ ମାସ ପରେ ସେ ବାଂଲାଦେଶ ଫେରିଥିଲେ । ଖଲିଦା ୧୯୯୧ରୁ ୧୯୯୬, ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ପୂର୍ବତନ ରାଷ୍ଟ୍ରପତି ଜିୟା-ଉର୍-ରେହମାନଙ୍କ ସ୍ତ୍ରୀ ।