କଟକ, ୩।୮: ଓଟିଇଟି କେଳେଙ୍କାରୀ ଅଡ଼ୁଆ ସୂତାର ଖିଅ ବାହାର କରୁଛି କ୍ରାଇମ୍ବାଞ୍ଚ । ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଶନିବାର ୬ ଘଣ୍ଟା ଧରି ଜେରା ପରେ ରବିବାର କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୮ଜଣ ଗିରଫ ହୋଇସାରିଲେଣି । ସେପଟେ କୋର୍ଟରେ ଜେରକ୍ସ ଦୋକାନୀଙ୍କ ବୟାନ ରେକର୍ଡ ହୋଇଛି । ତେବେ ବୋର୍ଡ ଉପସଭାପତିଙ୍କ ଗିରଫଦାରିକୁ ନେଇ ବଡ଼ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଥିବା ଜଣାପଡ଼ିଛି । ଥରେ କି ଦୁଇ ଥର ନୁହେଁ, ପ୍ରାୟ ୨-୩ ମାସ ଭିତରେ ଉଭୟେ ୧୦୦ ଥର କଥା ହୋଇଛନ୍ତି । ଯାହାକି ଏହା ଅଭିଯୁକ୍ତ ଉପସଭାପତି ଶ୍ରୀ ମହାନ୍ତିଙ୍କ ପାଇଁ ବଳିଷ୍ଠ ପ୍ରମାଣ ବୋଲି ଡିଜି ଶ୍ରୀ ମିଶ୍ର କହିଛନ୍ତି ।
କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବାନୁସାରେ, ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା । ଏଠି ପ୍ରଶ୍ନ ଉଠୁଛି, ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ସହ ସେ ଏତେ ଥର କାହିଁକି କଥା ହେଲେ ? ଜିତନଙ୍କ ଭୂମିକା ସନ୍ଦେହଜନକ ଥିଲା ଉପସଭାପତି ସ୍ୱୀକାର କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଉଭୟଙ୍କ ଭୂମିକା ସମାନ ବୋଲି ଜଣାପଡ଼ିଛି । ଉପସଭାପତି ନିହାର ରଞ୍ଜନଙ୍କ ପାଖରେ OTET ପ୍ରଶ୍ନପତ୍ର ଥିବା ଲାପଟପର ପାସ୍ୱାର୍ଡ ଥିଲା । ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡାଟା ଡିଲିଟ୍ କରିବା କଥା କିନ୍ତୁ, ସେ କରିନଥିଲେ । ଜିତେନ ମହାରଣାଙ୍କୁ ଲାପଟପ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ବୋର୍ଡରୁ ଉପସଭାପତିଙ୍କ ଲାପଟପରୁ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଚୋରି ହେବା ପଛରେ ଅଭିଯୁକ୍ତ ଶ୍ରୀ ମହାନ୍ତି ହିଁ ଦାୟୀ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ।
କହିରଖୁ କି, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜିତନ ମହାରଣା । ସେ ଡାଟା ଏଣ୍ଟ୍ରି ଅପରେଟର ଭାବେ ବୋର୍ଡ ଅଫିସରେ କାର୍ଯ୍ୟ କରୁଛନ୍ତି । ତାଙ୍କରି ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନପତ୍ର ଲିକ୍ ପଛରେ ୨ ଲକ୍ଷ ୫୦ ହଜାର ଟଙ୍କାର କାରବାର ହୋଇଛି । କ୍ରାଇମବ୍ରାଞ୍ଚ ଏଡିଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ କାଚପଡ଼ା ଗ୍ରାମର ଜିତନ ମହାରଣା, ରାୟଗଡ଼ା ଜିଲ୍ଲା କୁନ୍ଦୁରା ଥାନା ଅଧୀନ କୋମାସାହିର ଶିକ୍ଷକ ତଥା ଏକ୍ସକ୍ୟାଡ୍ର ଶିକ୍ଷକ ସଂଘ ନେତା ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲା ସାଗରଗୁଡା ଗ୍ରାମର ସନାତନ ବିଶୋୟୀ, କଟକ ଜିଲ୍ଲା ବାଦମବାଡି ଥାନା ଅଧୀନ ନାରାୟଣ ଲେନର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅଧୀନ ଲିଙ୍ଗିପଲୀ କେଶବନଗରର ଅଜୟ କୁମାର ସାହୁ, ବାଲେଶ୍ୱର ଜିଲ୍ଲା ରୁପସା ଥାନା ଅଧୀନ ଜୁକାନନ୍ଦି ଗ୍ରାମର ଜୟନ୍ତ କୁମାର । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଉପସଭାପତି ଶ୍ରୀ ମହାନ୍ତି, ଜିତନ ଓ ରାୟଗଡାର ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣିବା ପାଇଁ ବ୍ୟବସ୍ଥା ରହିଛି ବୋଲି ଡିଆଇଜି ବତୁଲା ଗଙ୍ଗାଧର କହିଛନ୍ତି ।
ସୂଚନାନୁସାରେ, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେଶାଲ୍ ଓଟିଇଟି) ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାର ଥିଲା । ତେବେ ପରୀକ୍ଷା ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।