ମୁମ୍ବାଇ, ୨୫।୨: ବଲିଉଡର ସବୁଠାରୁ ବହୁପ୍ରତିକ୍ଷିତ ଏବଂ ମେଗା ବଜେଟ୍ ଚଳଚ୍ଚିତ୍ର 'ରାମାୟଣ' କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ପୌରାଣିକ ଡ୍ରାମାର ପ୍ରଥମ 'ଟେଷ୍ଟ ସ୍କ୍ରିନିଂ' ଆମେରିକାର ଲସ୍ ଆଞ୍ଜେଲସଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ, ପ୍ରଥମ ଝଲକ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲସର ସିନେମାର୍କ ପ୍ଲାୟା ଭିଷ୍ଟାଠାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା । ଏଥିରେ ୧୮ରୁ ୬୦ ବର୍ଷ ବୟସର ବିଭିନ୍ନ ବର୍ଗର ଦର୍ଶକ ସାମିଲ ହୋଇଥିଲେ । ଫିଲ୍ମର ଭିଜୁଆଲ୍ ଇଫେକ୍ଟସ (VFX), ଭାବପ୍ରବଣ କାହାଣୀ ଏବଂ ଏହାର ବିଶାଳ ସ୍କେଲ୍କୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଛନ୍ତି । ବିଶେଷ କରି ଫିଲ୍ମର ପୂରା କାହାଣୀ ସମସ୍ତଙ୍କୁ ଚକିତ କରିଦେଇଛି । ଫିଲ୍ମ ରିଲିଜ୍ ପୂର୍ବରୁ ଦର୍ଶକଙ୍କ ମନୋଭାବ ଜାଣିବା ପାଇଁ ନିର୍ମାତାମାନେ ଏହି ଟେଷ୍ଟ ସ୍କ୍ରିନିଂ କରିଛନ୍ତି । ଯଦି କୌଣସି ସ୍ଥାନରେ ପରିବର୍ତ୍ତନର ଆବଶ୍ୟକତା ଥାଏ, ତେବେ ତାହା ରିଲିଜ୍ ପୂର୍ବରୁ ଠିକ୍ କରାଯାଇପାରିବ ।
ଏହା ବି ପଢ଼ନ୍ତୁ... ‘କଲ୍କି-୨’ ସେଟ୍ରେ ଅଶ୍ୱଥାମା, ଫିଲ୍ମ ସେଟର ଫଟୋ ସେୟାର୍ କଲେ ଫଟୋ
କେବେ ହେବ ରିଲିଜ୍ ?
ଫିଲ୍ମର ଦୁଇଟି ଭାଗ ପାଇଁ ପାଖାପାଖି ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଭୁ ରାମ ଭୂମିକାରେ ରଣବୀର କପୁର, ମାତା ସୀତା ଭୂମିକାରେ ସାଇ ପଲ୍ଲବୀ ନଜର ଆସିବେ । ଫିଲ୍ମଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ । ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ରିଲିଜ୍ ହେବାର ଯୋଜନା ରହିଛି । ସୂଚନାନୁସାରେ, ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅସ୍କାର ବିଜେତା ଏ.ଆର. ରହମାନ ଏବଂ ହାନ୍ସ ଜିମର । ଫ୍ୟାନମାନେ ଏବେ ଚଳଚ୍ଚିତ୍ରର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି ।
ସାରା ବିଶ୍ୱରେ ଏହି ଫିଲ୍ମ ଏପରି ଏକ ରେକର୍ଡ କରିବାକୁ ଯାଉଛି ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଫିଲ୍ମ କରିପାରି ନାହିଁ। ରିପୋର୍ଟ ଅନୁଯାୟୀ, ‘ରାମାୟଣ’ ବିଶ୍ୱବ୍ୟାପୀ ପ୍ରାୟ ୪୦ ହଜାରରୁ ଅଧିକ ସ୍କ୍ରିନରେ ମୁକ୍ତିଲାଭ କରିବ । ଭାରତରେ ପ୍ରାୟ ୧୦ ହଜାରରୁ କମ୍ ସିନେମା ହଲ୍ ଥିବାବେଳେ, କେବଳ ‘ରାମାୟଣ’ କୁ ୭ ହଜାରରୁ ଅଧିକ ସ୍କ୍ରିନ୍ ମିଳିବାକୁ ଯାଉଛି । ଦେଶର ବଡ଼ ବଡ଼ ଫିଲ୍ମ କମ୍ପାନୀଗୁଡ଼ିକ ମିଶି ଏହି ଚଳଚ୍ଚିତ୍ରକୁ ସର୍ବବୃହତ ରିଲିଜ୍ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ଚୀନ ବଜାରରେ ଧମାକା:
ଭାରତୀୟ ଫିଲ୍ମ ପାଇଁ ଚୀନ ସବୁବେଳେ ଏକ ବଡ଼ ବଜାର ହୋଇ ରହିଛି । ‘ଦଙ୍ଗଲ’ ର ସଫଳତା ପରେ ଏବେ ‘ରାମାୟଣ’ ଚୀନରେ ଇତିହାସ ରଚିବାକୁ ପ୍ରସ୍ତୁତ । ସେଠାରେ ସରକାରୀ ମାଲିକାନାରେ ଥିବା ସବୁଠାରୁ ବଡ଼ ନେଟୱାର୍କ ‘ଚାଇନା ଫିଲ୍ମ ଗ୍ରୁପ୍’ ଏହାର ବିତରଣ ଦାୟିତ୍ୱ ନେଇଛି । ଚୀନର ପ୍ରାୟ ୨୦ ହଜାର ସ୍କ୍ରିନରେ ଏହି ଫିଲ୍ମ ପ୍ରଦର୍ଶିତ ହେବ ।
ଉତ୍ତର ଆମେରିକା: ବିଶ୍ୱର ଅନ୍ୟତମ ବଡ଼ କମ୍ପାନୀ ୱାର୍ଣ୍ଣର ବ୍ରଦର୍ସ ଏହି ଫିଲ୍ମର ବିତରଣ ଦାୟିତ୍ୱ ନେଇଛନ୍ତି । ଏଠାରେ ପ୍ରାୟ ୪ ହଜାର ୫୦୦ ସ୍କ୍ରିନରେ ଫିଲ୍ମଟି ରିଲିଜ୍ ହେବ।
ମିଡିଲ୍ ଇଷ୍ଟ: ଏହି ଅଞ୍ଚଳର ସବୁଠାରୁ ପୁରୁଣା ଏବଂ ବଡ଼ ବିତରକ ‘ଫାର୍ସ ଫିଲ୍ମସ୍’ ସହ ହାତ ମିଳାଇଛନ୍ତି ନିର୍ମାତା । ଅନ୍ୟାନ୍ୟ ଦେଶକୁ ମିଶାଇ ଏଠାରେ ପ୍ରାୟ ୧୦ ହଜାର ସ୍କ୍ରିନ ମିଳିବାର ଅନୁମାନ କରାଯାଉଛି ।