ଭୁବନେଶ୍ୱର,୦୭/୦୪: ବାଇକ୍ ଦୁର୍ଘଟଣା ହେବା ପରେ ବିସ୍ଫୋରଣ ହେଲା ବୋମା । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଷଢେଇଗଡ ଗ୍ରାମର ନିରାକାର ସିଂ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ବାଇକ୍‌ରେ ବୋମା ନେଇ ଯାଉଥିବା ବେଳେ ଷଢେଇଗଡ ବିଶ୍ୱାଳ ସାହି ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ବାଇକ୍‌ଟି ଓଲଟି ପଡିବାରୁ ବ୍ୟାଗ୍‌ରେ ଥିବା ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ ଏମ୍ସ ପଠାଇଛି ପୋଲିସ । ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ।