​​​​​​​ନୂଆଦିଲ୍ଲୀ, ୨୯।୯: ଦକ୍ଷିଣ ଭାରତୀୟ ଅଭିନେତା ଏବଂ ତମିଝା ଭେଟ୍ଟ୍ରି କାଝାଗମ (ଟିଭିକେ)ର ସଭାପତି ବିଜୟଙ୍କ ବାସଭବନରେ ବୋମା ରଖାଯାଇଥିବା ଖବର ପ୍ରଚାରିତ ହୋଇଥିଲା । ଜଣେ ଅଜଣା ବ୍ୟକ୍ତି ପୁଲିସକୁ ଫୋନ୍ କରି ବିଜୟଙ୍କ ଘରକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ, ଯାହା ପରେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଭଳି ବୋମା ଧମକ ମିଳିବା ପରେ ଚେନ୍ନାଇର ପୂର୍ବ କୋଷ୍ଟ ରୋଡର ନୀଳାଙ୍କରାଇ ଅଞ୍ଚଳରେ ଆତଙ୍କ ଖେଳିଗଲା ସକାଳ ପ୍ରାୟ ୫ଟା ୨୦ ସମୟରେ ଚେନ୍ନାଇ ପୁଲିସ୍ କଣ୍ଟ୍ରୋଲ ରୁମକୁ ଏହି କଲ୍ କରାଯାଇଥିଲା, ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ଦାବି କରିଥିଲେ ଯେ ବିଜୟଙ୍କ ବାସଭବନରେ ବିସ୍ଫୋରକ ରଖାଯାଇଛି । ପୁଲିସ୍‌ ଏହି ଖବର ପାଇବା ମାତ୍ରେ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଦଳରୁ ତିନୋଟି ଦଳ, ଏକ ସ୍ନିଫର କୁକୁର ୟୁନିଟ୍ ସହିତ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ଯାହା ପରେ ସମଗ୍ର ଘର ଏବଂ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇଥିଲା । ପ୍ରାୟ ଏକ ଘଣ୍ଟାର ତଦନ୍ତ ପରେ, ପୁଲିସ୍ ନିଶ୍ଚିତ କରିଥିଲା ​​ଯେ ତାଙ୍କ ବାସଭବନରେ କୌଣସି ବିସ୍ଫୋରକ ଉପକରଣ ନାହିଁ । ଅଜଣା ବ୍ୟକ୍ତି କରିଥିବା କଲ୍ କେବଳ ମିଥ୍ୟା ପ୍ରମାଣିତ ହୋଇଥିଲା ।

ବୋମା ଧମକ ମିଥ୍ୟା ହୋଇଥାଇପାରେ, କିନ୍ତୁ ପୁଲିସ୍ ଏବଂ ସୁରକ୍ଷା ବାହିନୀ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ନୀଳାଙ୍କରାଇ ପୁଲିସ୍ ଷ୍ଟେସନ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କଲର୍‌ଙ୍କୁ ଚିହ୍ନଟ କରାଯାଉଛି ଏବଂ ଏକ କଲ୍ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ଏପରି ପ୍ରାଙ୍କ୍ କଲ୍ ସମାଜରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରେ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଅନୁଯାୟୀ, ଏ ଘଟଣା ଜଣାପଡ଼ିବା ସମୟରେ ବିଜୟ ତାଙ୍କ ଘରେ ନଥିଲେ । କିନ୍ତୁ, ତାଙ୍କ ପରିବାର ଏବଂ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ । ପୁଲି ତୁରନ୍ତ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଅଞ୍ଚଳକୁ ଘେରାବନ୍ଦୀ କରିଥିଲା । କହିରଖୁଛୁ ଯେ, ସେପ୍ଟେମ୍ବର ୨୭ ତାରିଖରେ କରୁରରେ ବିଜୟଙ୍କ ନେତୃତ୍ୱରେ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ରାଲି ସମୟରେ ଦଳାଚକଟାରେ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି ଏବଂ ୬୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି । ଅନ୍ୟପଟେ ଅଭିନେତା ବିଜୟ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୨୦ ଲକ୍ଷ ଏବଂ ଆହତଙ୍କ ପରିବାର ପାଇଁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି ।

କହିରଖୁଛୁ ଯେ, ତାମିଲନାଡ଼ୁ ସରକାର ରବିବାର କରୁର୍‌ ସରକାରୀ ହସ୍ପିଟାଲରୁ ବିଜୟ ଏବଂ ତାଙ୍କ ବରିଷ୍ଠ ନେତୃତ୍ୱଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ, କାରଣ ସେମାନଙ୍କ ଉପସ୍ଥିତି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଆହୁରି ଖରାପ କରିପାରେ ଏବଂ ଆହୁରି ଭିଡ଼ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଥିଲେ । ବିଜୟ ଏବଂ ଅନ୍ୟ ନେତାମାନେ ଆହତମାନଙ୍କୁ ଭେଟିବାକୁ ଚାହୁଁଥିଲେ କିନ୍ତୁ, ଏହି ଅନୁରୋଧ ପରେ ଯୋଜନାକୁ ବାତିଲ କରିଦେଇଥିଲେ । ସୋମବାର କୋର୍ଟ ଶୁଣାଣି ପରେ ଏବଂ କର୍ତ୍ତୃପକ୍ଷଙ୍କ ଅନୁମତି ପାଇବା ପରେ ସେ ପୀଡ଼ିତ ପରିବାରକୁ ଭେଟିବେ ବୋଲି ଆଶା କରାଯାଉଛି ।