ପୁସ୍ତକ ଏହି ଶବ୍ଦ ହିଁ ସାହିତ୍ୟ ଜଗତର ନୂଆ ଦରଜା ଖୋଲି ପାଠକମାନଙ୍କୁ ପଠନ ପ୍ରତି ଆକର୍ଷିତ କରେ । ସ୍ରଷ୍ଟାଙ୍କର ରଚନାଗୁଡ଼ିକୁ ପାଠକ ପାଖରେ ପହଞ୍ଚେଇବାର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ପୁସ୍ତକ । ଏହା କେବଳ ଲେଖକ/ ଲେଖିକାଙ୍କ ରଚନାକୁ ପ୍ରକାଶିତ କରେନାହିଁ, ବରଂ ପାଠକଙ୍କୁ ଅନେକ ନୂଆ ଓ ଅଜଣା ରଚନା ସହ ପରିଚିତ କରେଇବାରେ ସାହାଯ୍ୟ କରେ । ଜ୍ଞାନ ବିତରଣ କରିବା ଏବଂ ଅଧ୍ୟୟନ କ୍ଷେତ୍ରକୁ ଅଧିକରୁ ଅଧିକ ଉତ୍ସାହିତ କରିବା ହେଉଛି ପୁସ୍ତକର ମୂଳ ଉଦ୍ଦେଶ୍ୟ । ହେଲେ ଏହି କଥାକୁ ମଧ୍ୟ ଅଣଦେଖା କରିହେବନାହିଁ ଯେ ପୁସ୍ତକଟିକୁ ପ୍ରକାଶ କରିବା ପାଇଁ, ପାଠକମାନଙ୍କ ପାଖକୁ ପହଞ୍ଚେଇବା ପାଇଁ ବିନ୍ଧାଣି ସାଜନ୍ତି ପ୍ରକାଶକ ।

ସତ କହିବାକୁ ଗଲେ, ଲେଖକ ଓ ପାଠକଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରେ ପ୍ରକାଶନ । ଯଦି ଜଣେ ଲେଖୁଛି, ତାର ଲେଖକୀୟ କୃତି ନିଶ୍ଚିତ ଭାବରେ ପୁସ୍ତକ ଆକାରରେ ପ୍ରକାଶିତ ହେବା ଆବଶ୍ୟକ । ପୁସ୍ତକ ପ୍ରକାଶିତ ହେବାଦ୍ୱାରା ଲେଖକ ଭିତରେ ଲୁକ୍କାୟିତ ବିଶିଷ୍ଟ ଜ୍ଞାନ ବା ବିଦ୍ୟା ପାଠକଙ୍କ ପାଇଁ ଉନ୍ମୋଚିତ ହୁଏ । ଗୋଟିଏ ପୁସ୍ତକ ଗୋଟିଏ ନିର୍ଦ୍ଦିଷ୍ଟ ପାଠକ ଶ୍ରେଣୀଙ୍କୁ ଲେଖକ ପ୍ରତି ଆକର୍ଷିତ କରିବାର ସାମର୍ଥ୍ୟ ରଖେ, ଯେଉଁମାନେ ଲେଖକର ଲିଖନଶୈଳୀ, ତାର ଦୃଷ୍ଟିକୋଣ, ଚିନ୍ତାଧାରା ଏବଂ ଶେଷରେ ଲେଖକ ବିଷୟରେ ଜାଣିବାର ରୁଚି ରଖନ୍ତି । ଲେଖକ ବା ସ୍ରଷ୍ଟାଟିଏ ନିଜ ପ୍ରକାଶିତ ପୁସ୍ତକରେ ନିଜର ମୁକ୍ତ ବିଚାର, ସମାଲୋଚନା, ବିଶ୍ଳେଷଣ, ତର୍ଜମାକୁ ସ୍ୱାଧୀନ ଭାବରେ ବିନା କୌଣସି ସଙ୍କୋଚରେ ପରିପ୍ରକାଶ କରିପାରେ । ନିଜେ ଜଣେ ବିଶେଷଜ୍ଞ ସାଜି ନିଜର ଅନ୍ତରଦୃଷ୍ଟିକୁ ପ୍ରଦର୍ଶିତ କରିବାର କ୍ଷମତା ରଖେ । କିଏ ଜାଣେ ଯେ ଲେଖକଟିଏର ଲିଖନ କଳା, ତାର ଗବେଷଣା, ତର୍ଜମା ଅନେକଙ୍କ ମନର କଥା ହୋଇ ପାଠକଙ୍କ ହୃଦୟକୁ ଛୁଇଁନଯିବ । ଏମିତି ବି ହୋଇପାରେ ସେମାନେ ଲେଖକର ବିଚାରଧାରା ଦ୍ୱାରା ପ୍ରେରିତ ହେବେ ଏବଂ ସେହି ଭାବନାକୁ କାର୍ଯ୍ୟରେ ପରିଣତ କରି ଦେଖାଇବେ ।

ସତ୍ୟତା ହେଉଛି, ପ୍ରକାଶିତ ହେବା ପରେ ଲେଖକ/ଲେଖିକାଟିଏ ନିଜର ସ୍ୱତନ୍ତ୍ର ପରିଚୟ ପାଏ । ପୁସ୍ତକଟିଏ ପ୍ରକାଶିତ ହେଲେ ପୁସ୍ତକର ସ୍ରଷ୍ଟା ଚାହେଁ ଯେ ଅଧିକରୁ ଅଧିକ ଲୋକ ତାଙ୍କ ବହି ପଢ଼ନ୍ତୁ । ଅଧିକରୁ ଅଧିକ ପାଠକ ପଢ଼ିଲେ ପୁସ୍ତକ ବିଷୟରେ ‘ଭଲ' କିମ୍ବା ‘ଭୁଲ୍' ମତାମତ ମାଧ୍ୟମରେ ପୁସ୍ତକ ଉପରେ ସମୀକ୍ଷା କରନ୍ତୁ । ପରବର୍ତ୍ତୀ ସମୟରେ ଲେଖକ ଚାହେଁ ତା’ ବହି ତା’ ଅଞ୍ଚଳରୁ, ତା’ ଜିଲ୍ଲାରୁ, ତା’ ରାଜ୍ୟରୁ ବାହାରି ଅନ୍ୟ ରାଜ୍ୟ ବା ଦେଶର ପାଠକଙ୍କ ପାଖରେ ପହଞ୍ଚୁ । ସେ କ୍ଷେତ୍ରରେ ପ୍ରକାଶନ ସଂସ୍ଥାର ଅବଦାନ ବହୁତ ଗୁରୁତ୍ୱ ବହନ କରେ । ବିଶ୍ୱାସ କରନ୍ତୁ, ଲେଖକଟିଏର କାମ ହେଲା ଲେଖିବା, ସେ ଯଦି ଏ ସବୁରେ ପଶିଲା, ଯେପରିକି ବହି କେମିତି ବାହାରକୁ ଯିବ, ବଜାରରେ ବିକ୍ରି କେମିତି ହେବ, ତାହେଲେ ତ ତା’ର ସର୍ଜନଶୀଳତା ବାଧାପ୍ରାପ୍ତ ହେବ! ଏ କାମ କାହାର, ପ୍ରକାଶନ ସଂସ୍ଥାର । ସେମାନେ ଲେଖକର ମାର୍ଗଦର୍ଶକ ରୂପେ ଲେଖାକୁ ନିର୍ଭୁଲ ଭାବରେ ମୁଦ୍ରଣ କରିବେ, ସୁନ୍ଦର ପ୍ରଚ୍ଛଦ ଏବଂ ବେଶ ପରିପାଟ୍ଟୀ ଦେଇ ବହିର ପ୍ରକାଶନର ଦାୟିତ୍ୱ ନେବେ । ପରବର୍ତ୍ତୀ ସମୟରେ କେମିତି ପୁସ୍ତକଟି ଅଧିକ ପାଠକଙ୍କ ପାଖକୁ ପହଞ୍ଚିପାରିବ ସେଥିପାଇଁ ଯତ୍ନଶୀଳ ହେବେ । ଆଉ ଏହା ସମ୍ଭବ ହେବ ଗଣମାଧ୍ୟମରେ ବିଜ୍ଞାପନ, ସାମାଜିକ ଗଣମାଧ୍ୟମରେ ପ୍ରକାଶନ, ପୁସ୍ତକ ମେଳାରେ ପ୍ରଦର୍ଶନ ଏବଂ ଉପଯୁକ୍ତ ସମୀକ୍ଷା ଜରିଆରେ । ଏହାକୁ ସଫଳ କରିବା ପଛରେ ବଡ଼ ହାତ ରହିଥାଏ ଗୁଣୀ ଏବଂ ଦାୟିତ୍ୱବାନ ପ୍ରକାଶକ, ତାଙ୍କ ସଂସ୍ଥାର ସହଯୋଗୀ ଏବଂ ସଦସ୍ୟମାନଙ୍କର । ପ୍ରକାଶକମାନଙ୍କ ପାଖରେ ଉଦ୍ୟୋଗୀକରଣର ଅନୁଭବ ଥାଏ, ସେମାନେ ଜାଣନ୍ତି ପାଣ୍ଡୁଲିପିକୁ କିଭଳି ମୁଦ୍ରଣ କରାଯାଇ ବଜାର ଉପଲବ୍ଧ କରାଯିବ । ଲେଖକ ତ ଲେଖିବ, ମାତ୍ର ତାକୁ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରି ପାଠକଙ୍କ ପାଖକୁ ପହଞ୍ଚେଇବେ ପ୍ରକାଶକ । ଥରେ ପୁସ୍ତକ ପ୍ରକାଶିତ ହୋଇଗଲେ ତାର ବିତରଣ ଏବଂ ବିକ୍ରି ମଧ୍ୟ ଅତ୍ୟନ୍ତ ଜରୁରି । ଏବେ ତ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ମାଧ୍ୟମରେ ପୁସ୍ତକର ପ୍ରଚାର, ପ୍ରସାର ସହ କ୍ରୟ ଓ ବିକ୍ରୟ ସମ୍ଭବ ହେଉଛି ।

ପୁସ୍ତକଗୁଡ଼ିକୁ ପୁସ୍ତକାଳୟ, ପାଠାଗାର, ପୁସ୍ତକ ମେଳା ଆଦି ସ୍ଥାନକୁ ପହଞ୍ଚେଇବା ଏବଂ ପାଠକଙ୍କ ଲୋକଲୋଚନକୁ ଆଣିବା ପ୍ରକାଶନ ସଂସ୍ଥାର ମିଳିତ କାର୍ଯ୍ୟ । ସ୍ରଷ୍ଟାଟିଏ ଯେତେବେଳେ କୌଣସି ପ୍ରତିଷ୍ଠିତ ପ୍ରକାଶନ ଦ୍ୱାରା ପ୍ରକାଶିତ ହୁଏ, ତା’ କାମକୁ ବିଶ୍ୱାସ କରାଯାଏ । ଅମୁକ ପ୍ରକାଶନୀ ସଂସ୍ଥା ତାର ବହି ପ୍ରକାଶ କରିଛି, ଅର୍ଥାତ୍ ଲେଖକ ନିଶ୍ଚୟ ଭଲ ଲେଖୁଥିବେ ଏବଂ ଏହା ହିଁ ପୁସ୍ତକକୁ ପାଠକ, ଆଲୋଚକ, ସମାଲୋଚକ, ସମୀକ୍ଷକଙ୍କ ପାଇଁ ଆକର୍ଷଣୀୟ କରେ । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭାବିତ ପୁରସ୍କାର ଚୟନ ପ୍ରଣାଳୀରେ ପୁସ୍ତକଟି କେଉଁ ପ୍ରକାଶନ ସଂସ୍ଥାର ତାହା ଦେଖାଯାଏ । ପ୍ରକାଶନ ସଂସ୍ଥା ପୁସ୍ତକର ଆଇନଗତ ଦିଗକୁ ସମ୍ଭାଳି ନିଅନ୍ତି, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପୁସ୍ତକର ରଚନା ସ୍ୱତ୍ୱ (କପିରାଇଟ୍ସ), ନଥିଭୁକ୍ତିକରଣ (ରେଜିଷ୍ଟ୍ରେସନ), ସରକାରୀ ଅନୁମତି ପତ୍ର (ଲାଇସେନ୍ସ), ବିକ୍ରିକରଣ ନିୟମ (ସେଲିଂ ରୁଲ୍ସ) ଏବଂ ଆବଶ୍ୟକ ପରିସ୍ଥିତିରେ ସତର୍କତା ଅବଲମ୍ବନ ଆଦି ପ୍ରକାଶନ ସଂସ୍ଥାର ଦାୟିତ୍ୱ । ଏହାଦ୍ୱାରା ଲେଖକ ନିଶ୍ଚିତ ହୋଇ ନିଜର ଗବେଷଣା ଏବଂ ଲିଖନ କାର୍ଯ୍ୟରେ ଧ୍ୟାନକେନ୍ଦ୍ରିତ କରେ । ଫଳରେ ସ୍ରଷ୍ଟାର ଲିଖନ ପ୍ରକ୍ରିୟା ତ୍ୱରାନ୍ୱିତ, ବାଧିତ ବା ସମାପ୍ତ ହେବାର ସମ୍ଭାବନା ଅନେକାଂଶରେ କମିଯାଏ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସ୍ରଷ୍ଟାକୁ ପୁସ୍ତକ ପ୍ରକାଶନ ନିମିତ୍ତ ରାଜଭାଗ ପ୍ରଦାନ ବା ‘ରୟାଲଟି ମନି' ଯୋଗାଇବା । ସ୍ରଷ୍ଟାର ରଚନାତ୍ମକ ଲେଖନୀ ପାଇଁ ପାରିଶ୍ରମିକ ରୂପେ ଏହା ପ୍ରଦାନ କରାଯାଏ । ଓଡ଼ିଶା ବାହାରେ ଏବଂ ବିଦେଶରେ ଲେଖକଙ୍କୁ ଲେଖିବା ପୂର୍ବରୁ ଅଗ୍ରିମ ରାଶି ଯୋଗାଇ ଦିଆଯାଇଥାଏ । କାରଣ ଏହାଦ୍ୱାରା ସେମାନଙ୍କୁ ଲେଖିବାବେଳେ ଆର୍ଥିକ ସହାୟତା ମିଳିବା ସହିତ ସେ ଶହେ ପ୍ରତିଶତ ଇଚ୍ଛା ଏବଂ ଉତ୍ସାହ ପ୍ରୟୋଗ କରି ପୁସ୍ତକ ପାଇଁ ଲେଖିବା ସମ୍ଭବ ହୁଏ ।

ସୁଖର କଥା ଯେ, ଓଡ଼ିଶାରେ ମଧ୍ୟ କିଛି କିଛି ପ୍ରକାଶନ ସଂସ୍ଥା ଲେଖକ/ଲେଖିକାଙ୍କୁ ଏହା ପ୍ରଦାନ କରିବା ଆରମ୍ଭ କଲେଣି । ଏହା ଉଭୟ ସ୍ରଷ୍ଟା ଏବଂ ପୁସ୍ତକର ପଠନୀୟତା ବୃଦ୍ଧି ଦିଗରେ ଏକ ପ୍ରେରଣାଦୟୀ ଉଦ୍ୟମ ହେବ । ଆଗାମୀ ଦିନରେ ଆଶା କରାଯାଇପାରେ ଯେ, ପ୍ରକାଶକ ଏବଂ ପ୍ରକାଶନ ସଂସ୍ଥା ଏ ଦିଗରେ ଅଧିକ ଯତ୍ନଶୀଳ ହେବେ । ଆଜିକାଲି ପ୍ରକାଶନର ବହୁ ନୂତନ ରୋମାଞ୍ଚକର ମାଧ୍ୟମ ଆସିଗଲାଣି । ଡିଜିଟାଲ ପ୍ରକାଶନ, ଇ-ବୁକ୍ସ ଏବଂ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ପାଠକଙ୍କୁ ସହଜରେ ପଠନ ଏବଂ ନୂତନ ସାହିତ୍ୟ ସୃଷ୍ଟି ପ୍ରତି ଆକର୍ଷିତ କରୁଛନ୍ତି । ମାଧ୍ୟମ ଯାହା ହେଉନା କାହିଁକି, ସେମାନେ ଅଧିକରୁ ଅଧିକ ସାହିତ୍ୟ ସୃଷ୍ଟି କରିବା ପାଇଁ ଏବଂ ପ୍ରକାଶିତ ହେବାପାଇଁ ମନ ବଳାଉଛନ୍ତି, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିହେବ । ଶେଷରେ ଏତିକି କୁହାଯାଇପାରେ ଯେ, ପ୍ରକାଶନର ମୂଳ ଉଦ୍ଦେଶ୍ୟ ହେଉଛି ସାହିତ୍ୟ କୃତିଗୁଡ଼ିକୁ ବ୍ୟାପକ ପାଠକଙ୍କ ପାଖକୁ ପହଞ୍ଚେଇବା, ସ୍ରଷ୍ଟାଙ୍କୁ ପରିଚୟ ଏବଂ ପ୍ରସିଦ୍ଧି ପ୍ରଦାନ କରିବା ଏବଂ ସାହିତ୍ୟିକ ଚର୍ଚ୍ଚା ଏବଂ ସମୀକ୍ଷା ମାଧ୍ୟମରେ ଉନ୍ନତ ସାହିତ୍ୟ ସୃଷ୍ଟି କରିବା । ଉନ୍ନତ ସାହିତ୍ୟ ସମାଜ ସୁଧାରରେ ନିଶ୍ଚୟ ଅଗ୍ରଣୀ ଭୂମିକା ଗ୍ରହଣ କରିବ, ଏଇ ବିଶ୍ୱାସ ନେଇ ଲେଖକ, ପାଠକ ଓ ପ୍ରକାଶକ ମିଳିତ ଭାବରେ କାର୍ଯ୍ୟ କରିଚାଲିବା ଉଚିତ ।