ମେଲବର୍ଣ୍ଣ, ୨୨/୧୨: ବର୍ଡ଼ର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ (ବକ୍ସିଂ ଡେ’) ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ଏହି ମ୍ୟାଚ୍‌ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ (ଏମ୍‌ସିଜି)ରେ ଖେଳାଯିବ । ଗତ ଗୁରବାର ଭାରତୀୟ ଦଳ ମେଲବର୍ଣ୍ଣରେ  ପହଞ୍ଚି ଥିଲା । ଟିମ୍ ଇଣ୍ଡିଆ ଏମ୍‌ସିଜିରେ ଅଭ୍ୟାସ ଆରମ୍ଭ କରିଛି । ଦଳର ପ୍ରତ୍ୟେକ  ଖେଳାଳି ଦୀର୍ଘ ସମୟ ଧରି ନେଟ୍‌ସରେ  ଝାଳ ବୁହାଇଥିଲେ । ଚଳିତ ସିରିଜ ୧-୧ରେ ବରାବର ରହିଛି । ଫଳରେ ଏମ୍‌ସିଜିରେ ବିଜୟ ସହ ଉଭୟ ଦଳ ଅଗ୍ରଣୀ ହାସଲ  ନେଇ ବ୍ୟାକୁଳ ରହିଛନ୍ତି । 

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ନେଟ୍‌ସରେ ବ୍ୟାଟିଂ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେଇଥିଲେ ।  ବ୍ୟାଟିଂ କୋଚ୍‌ ଅଭିଷେକ ନାୟାର ଉଭୟଙ୍କୁ  ବିଭିନ୍ନ ପରାମର୍ଶ ଦେଉଥିବା ଦେଖିବାକୁ  ମିଳିଥିଲା । ରୋହିତ ପ୍ରଥମେ ସ୍ପିନରଙ୍କ  ବିପକ୍ଷରେ ବ୍ୟାଟିଂ କରିଥିଲେ । ତାଙ୍କୁ  ୱାସିଂଟନ୍‌ ସୁନ୍ଦର ଓ ରବୀନ୍ଦ୍ର ଜାଡ଼େଜା  ବୋଲିଂ କରିଥିଲେ । ସ୍ପିନରଙ୍କ ବିପକ୍ଷରେ  ରୋହିତ ଅଭ୍ୟାସ କରିଥିବାରୁ ଚତୁର୍ଥ ଟେଷ୍ଟରେ ମଧ୍ୟ ସେ ମଧ୍ୟକ୍ରମରେ ବ୍ୟାଟିଂ  କରିବା ସ୍ପଷ୍ଟ ହୋଇଯାଇଛି । ସେହିପରି  ଯଶସ୍ୱୀ ଜୈସ୍ୱାଲ ଓ ଶୁଭମନ ଗିଲ୍‌ ପେସ୍‌  ବୋଲରଙ୍କୁ ସାମ୍ନା କରିଥିଲେ । ରୋହିତ ଓ  ନାୟାର ନେଟ୍‌ସ ପାଖରେ ରହି ଉଭୟଙ୍କ  ବ୍ୟାଟିଂ ଦେଖିଥିଲେ । ଏହାପରେ ଗିଲ୍‌  ଓ ଜୈସ୍ୱାଲ ଥ୍ରୋଡାଉନ୍‌ରେ ଅଭ୍ୟାସ  କରିଥିଲେ । 

କୋହଲିଙ୍କୁ ଅପେକ୍ଷା କରିଛି ରେକର୍ଡ଼: କୋହଲିଙ୍କ ନିକଟରେ କିମ୍ବଦନ୍ତୀ  ବ୍ୟାଟର ସଚିନ ତେନ୍ଦୁଲକରଙ୍କ ନାମରେ  ଥିବା ଆଉ ଏକ ରେକର୍ଡ଼ ଭଙ୍ଗ କରିବାର  ସୁଯୋଗ ରହିଛି । ଏମ୍‌ସିଜିରେ ଭାରତୀୟ  ବ୍ୟାଟର ଭାବେ ସଚିନ ସର୍ବାଧିକ ୪୪୯ରନ୍‌  (୫ଟି ଟେଷ୍ଟ) ସଂଗ୍ରହ କରିଛନ୍ତି । କୋହଲି  ଇତିମଧ୍ୟରେ ୩ଟି ଟେଷ୍ଟ ଖେଳି ୩୧୬ରନ୍‌  କରିଛନ୍ତି । ସେ ଆଉ ୧୩୩ ରନ୍‌ କଲେ  ସଚିନଙ୍କୁ ଟପି ପାରିବେ । ଅନ୍ୟ ପଟରେ  ଅଜିଙ୍କ୍ୟ ରାହାଣେ ୩ଟି ଟେଷ୍ଟରୁ ୩୬୯ରନ୍‌  ସହ ଦ୍ୱିତୀୟରେ ରହିଛନ୍ତି । ଚଳିତ  ସିରିଜରେ କୋହଲି ପ୍ରଥମ ୩ଟି ଟେଷ୍ଟରେ  ମୋଟ ୧୨୬ରନ୍‌ ସଂଗ୍ରହ କରିଛନ୍ତି ।  ସେଥିମଧ୍ୟରେ ଗୋଟିଏ ଶତକ ସାମିଲ  ରହିଛି । ଏମ୍‌ସିଜିରେ ସେ ଫର୍ମକୁ ଫେରିବା  ନେଇ କ୍ରିକେଟ୍‌ପ୍ରେମୀ ଆଶା ବାନ୍ଧିଛନ୍ତି । 

ପଡ଼ିଆରେ ପଶିଲେ ଅଷ୍ଟ୍ରେଲିଆ  ଗଣମାଧ୍ୟମ ପ୍ରତିନିଧି: ଭାରତୀୟ  ଦଳର ଅଭ୍ୟାସ ପରେ ବିସିସିଆଇ ପକ୍ଷରୁ ଏମ୍‌ସିଜିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ କେବଳ ଭାରତୀୟ ଗଣମାଧ୍ୟମ  ପ୍ରତିନିଧିଙ୍କୁ ଅନୁମତି ଦିଆଯାଇଥିଲା । ମାତ୍ର ଅଷ୍ଟ୍ରେଲିଆର କିଛି ଗଣମାଧ୍ୟମ ପ୍ରତିନିଧି ଅନୁମତି ନଥିଲେ ମଧ୍ୟ ପଡ଼ିଆରେ  ପଶି ଜାଡେଜାଙ୍କୁ ପ୍ରଶ୍ନ ପଚାରିଥିଲେ । ଜାଡେଜା ହିନ୍ଦୀ ଭାଷାରେ ଉତ୍ତର  ରଖିଥିଲେ ଏବଂ ଅଷ୍ଟ୍ରେଲିଆ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଥିଲେ ।