ବୌଦ୍ଧ ଜିଲ୍ଲା ପର୍ଯ୍ୟଟନର ଗନ୍ତାଘର । ଜିଲ୍ଲାର ପ୍ରାକୃତିକ ସଂପଦ, ଐତିହାସିକ କୀର୍ତ୍ତିରାଜି, ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଜିଲ୍ଲାରେ ଥିବା ୩ଟି ଇକୋ ଟୁରିଜମ୍ରେ ଲୋକଙ୍କ ଭିଡ଼ଜମେ । ବୌଦ୍ଧ ସହର ରାଜବାଟୀଠାରେ ଭୂମିସ୍ପର୍ଶ ମୁଦ୍ରାରେ ପଦ୍ମଫୁଲ ଉପରେ ଥିବା ବିଶାଳ ବୁଦ୍ଧ ପ୍ରତିମୂର୍ତ୍ତି, ହରଭଙ୍ଗା ବ୍ଲକର ଶ୍ୟାମ ସୁନ୍ଦରପୁର ଓ ପରଗଲପୁରର ବୌଦ୍ଧ କୀର୍ତ୍ତିରାଜି, ବୌଦ୍ଧ ବ୍ଲକ ଅନ୍ତର୍ଗତ ରାମେଶ୍ୱର ମନ୍ଦିର, ଜହ୍ନାପଙ୍କର ଗନ୍ଧରାଡ଼ି ଯମଜ ମନ୍ଦିର, ହରଭଙ୍ଗା ବ୍ଲକ ପୁରୁଣାକଟକର ମା’ଭୈରବୀ ମନ୍ଦିର ଜିଲ୍ଲାର ଐତିହ୍ୟକୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଏହାବ୍ୟତୀତ ବୌଦ୍ଧର ଡମକୁଚ ଡ୍ୟାମ୍, ନୂଆପଡ଼ା ଡ୍ୟାମ୍, ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ର କୁମ୍ଭୀଦରହ ଜଳପ୍ରପାତ, କଣ୍ଟମାଳ ବ୍ଲକର ଲତାଝରଣ ଜଳପ୍ରପାତ, ଖଣ୍ଡିନକପା ପିକ୍ନିକ ସ୍ପଟ ବେଶ ପ୍ରସିଦ୍ଧ । ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକମାନେ ପିକ୍ନିକ କରିବା ସହ ଭରପୁର ମଜା ଉଠାଇଥାନ୍ତି । ବୌଦ୍ଧକୁ ଆସିବା ପାଇଁ ଉଭୟ ରେଳ ଓ ସଡ଼କ ପଥର ବିଶେଷ ସୁବିଧା ରହିଛି । ସହରରୁ ଟ୍ୟାକ୍ସି ଯୋଗେ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଯାଇପାରିବେ । ବୌଦ୍ଧରେ ରାତ୍ରିଯାପନ ଓ ସୁସ୍ୱାଦୁ ଖାଦ୍ୟ ପାଇଁ ହୋଟେଲ ଓ ରେସ୍ତୋରାଁର ସୁବିଧା ରହିଛି । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା ।(ଉପସ୍ଥାପନା: ବୌଦ୍ଧରୁ ପ୍ରମୋଦ ବାଘ)
ଖଣ୍ଡିକନପା
ବୌଦ୍ଧ ବ୍ଲକ ଶଗଡ଼ା ପଞ୍ଚାୟତ ଖଣ୍ଡିକନପା ଗାଁ ନିକଟ ଦେଇ ବୋହିଯାଇଛି ବାଘନଦୀ । ଗାଁଟି ବଣପାହଡ଼ ଘେରା ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଛି । ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ବାଘନଦୀର ଦୃଶ୍ୟ ଏଠାରେ ଦେଖିବା ପାଇଁ ଅତୀବ ମନୋରମ । ଗ୍ରାମର ନାମାନୁସାରେ ଉକ୍ତ ପର୍ଯ୍ୟଟନସ୍ଥଳୀର ନାଁ ଖଣ୍ଡିକନ୍ପା ପଡ଼ିଛି । ବାଘନଦୀର ଗୋଟିଏ ପାଶ୍ୱର୍ରୁ ଅପର ପାଶ୍ୱର୍କୁ ଯିବା ପାଇଁ କୌଣସି ସ୍ଥାନୀୟ ପୋଲ ନାହିଁ । କିନ୍ତୁ ଗ୍ରାମବାସୀ ପର୍ଯ୍ୟଟକ ତଥା ନିଜର ସୁବିଧା ପାଇଁ କାଠ ଓ ବାଉଁଶରେ ପ୍ରତିବର୍ଷ ଏଠାରେ ଏକ ପୋଲ ନିର୍ମାଣ କରିଥାନ୍ତି ।
ସେହିପରି ନଦୀର ଅପରପାର୍ଶ୍ବର ପାହାଡ଼ର ଏକ ଗୁମ୍ଫାରେ ବାବା ଗୁପ୍ତେଶ୍ୱର ମହାଦେବ ପୂଜା ପାଉଛନ୍ତି । ଖଣ୍ଡିକନ୍ପା କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛି। ଏଠାରେ ପ୍ରତିବର୍ଷ ନଭେମ୍ୱରରୁ ଜାନୁୟାରୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହୋଇଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକ ଏଠାକୁ ବଣଭୋଜି କରିବା ପାଇଁ ଆସିଥାନ୍ତି । ପର୍ଯ୍ୟଟକ ଏଠାରେ ବଣଭୋଜି କରିବା ସହ ନଦୀରେ ଗାଧୋଇବା ମଜା ନେଇଥାନ୍ତି । ସେଭଳି ନଦୀ ମଧ୍ୟରେ ଏକ ଗଭୀର ଗଣ୍ଡ ରହିଛି । ଏହାକୁ ମାଛଗଣ୍ଡ ବା କୁଣ୍ଡ ବୋଲି କୁହାଯାଇଥାଏ । ଗଣ୍ଡରେ ବିଭିନ୍ନ ପ୍ରଜାତିର ମାଛ ରହିଛନ୍ତି । ପର୍ଯ୍ୟଟକ ମାଛମାନଙ୍କୁ ଖାଦ୍ୟ ଦେଇ ମଜା ନେଇଥାନ୍ତି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ଏକ ପାର୍କ ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ଅବହେଳିତ ଅବସ୍ଥାରେ ରହିଛି । ବୌଦ୍ଧରୁ ସୁବର୍ଣ୍ଣପୁର ଏନଏଚ ୫୭ରେ ଗଲେ ବାଉଁଶୁଣି ୩୦କିମି ଗଲାପରେ ସେଠାରୁ ୨୨କିମି ଦୂରରେ ରହିଛି ଖଣ୍ଡିକନପା ପର୍ଯ୍ୟଟନସ୍ଥଳୀ ।
ମା’ଭୈରବୀ ଶକ୍ତିପୀଠ
ବୌଦ୍ଧର ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ପୁରୁଣା କଟକ ଭୈରବୀ ପୀଠ ଅନ୍ୟତମ । ଅଧିଷ୍ଠାତ୍ରୀ ଦେବୀ ମା’ଭୈରବୀଙ୍କ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଶୁକ୍ଲମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜା ହୋଇଥାଏ । ଉକ୍ତ ସମୟରେ ମା’ ଗୁପ୍ତପୂଜା ପାଇଥାନ୍ତି । ମା’ଙ୍କଠାରେ ମାନସିକଧାରୀଙ୍କ ମନୋସ୍କାମନା ପୂର୍ଣ୍ଣ ହେଉଥିବା ଅତୁଟ ଲୋକ ବିଶ୍ୱାସ ରହିଛି । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକ ମା’ଙ୍କ ଦର୍ଶନ ତଥା ପୂଜାପାଠ ପାଇଁ ଆସିଥାନ୍ତି । ବୌଦ୍ଧ ସଦରରୁ ମା’ଙ୍କ ପୀଠ ୩୫କିମି ଦୂର ତଥା ଏନଏଚ ୫୭ରେ ଭୁବନେଶ୍ୱର ରାସ୍ତାରେ ଗଲେ ପୁରୁଣାକଟକ ରାସ୍ତାକଡ଼ରେ ରହିଛି ।
ଗନ୍ଧରାଡ଼ିର ଯମଜ ମନ୍ଦିର
ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗନ୍ଧରାଡ଼ିଠାରେ ହର ଓ ହରିଙ୍କ ଯମଜ ମନ୍ଦିର ରହିଛି । ଗୋଟିଏ ମଣ୍ଡପରେ ହର ଓ ହରିଙ୍କ ମନ୍ଦିର ଉଚ୍ଚକୋଟୀର ଭାସ୍କର୍ଯ୍ୟ କଳାରେ ପରିପୂର୍ଣ୍ଣ। ୧୯୫୪ରୁ ଏହି ଯମଜ ମନ୍ଦିର ଭାତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧିନରେ ରହିଛି । ହରଙ୍କ ମନ୍ଦିର ଚୂଡ଼ାରେ ଲିଙ୍ଗ ଓ ହରିଙ୍କ ମନ୍ଦିର ଚୂଡାରେ ଚକ୍ର ବିଦ୍ୟାମାନ ରହିଛି । ମନ୍ଦିର ଦ୍ୱୟର ବିଶେଷତ୍ୱ ହେଲା ସୂର୍ଯ୍ୟୋଦୟ ହେଲେ ସୂର୍ଯ୍ୟଙ୍କ ପ୍ରଥମ କିରଣ ହର ମନ୍ଦିରର ଲିଙ୍ଗରେ ଓ ହରି ମନ୍ଦିରରେ ବିଷ୍ଣୁଙ୍କ ପାଦତଳେ ପଡ଼ିଥାଏ । ଯମଜ ମନ୍ଦିର ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବାବେଳେ ପ୍ରତିଦିନ ଏଠାକୁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଉକ୍ତ ଐତିହାସିକ ପର୍ଯ୍ୟଟନସ୍ଥଳୀ ବୌଦ୍ଧ ସଦର ମହକୁମାରୁ ୧୫କିମି ଦୂରରେ ରହିଛି । ବୌଦ୍ଧ-ସୁବର୍ଣ୍ଣପୁର ଏନଏଚ ୫୭ର ଜହ୍ନାପଙ୍କ ଛକରୁ ଉକ୍ତ ସ୍ଥାନକୁ ପକ୍କା ରାସ୍ତା ରହିବ।
ରାମେଶ୍ୱର ମନ୍ଦିର
ବୌଦ୍ଧ ସହର ଉପକଣ୍ଠ ଜାତୀୟ ରାଜପଥ ୫୭ କଡ଼ରେ ରହିଛି ପ୍ରାଚୀନ ରାମେଶ୍ୱର ମନ୍ଦିର । ତାରକା ସୂଚିତ ମନ୍ଦିର ସମୂହର ମୁଖ୍ୟ ଆରାଧ୍ୟ ଦେବତା ପ୍ରଭୁ ରାମେଶ୍ୱର । ବର୍ତ୍ତମାନ ମନ୍ଦିର ସମୂହରେ ପରିଦୃଶ୍ୟ ୩ଟି ମନ୍ଦିରରେ ଯଥାକ୍ରମେ ପଶ୍ଚିମ ସୋମନଥ, ଭୁବନେଶ୍ୱର ଓ ଧବଳେଶ୍ୱର ମହାଦେବ ପୂଜା ପାଉଛନ୍ତି । ଏହି ମନ୍ଦିର ସମୂହ ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ସବୁ ମନ୍ଦିର ଗୁଡ଼ିକ ଅଷ୍ଟକୋଣ ନକ୍ସାରେ ନିର୍ମିତ । ମନ୍ଦିରରେ ପୂଜା ପାଉଥିବା ଲିଙ୍ଗ ଗୁଡ଼ିକ ମଧ୍ୟ ଅଷ୍ଟକୋଣୀ, ଯାହାକି ବିରଳ । ମନ୍ଦିର ଗୁଡ଼ିକ ସ୍ୱତନ୍ତ୍ର ନାଲି ରଙ୍ଗର ପଥର ଉପରେ ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖିଲେ ଯେ କେହିବି ଅଭିଭୂତ ହେବ । ୧୯୫୮ରେ ଐତିହ୍ୟ ସମ୍ପନ୍ନ ଏହି ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ରହିଛି । ଏହି ମନ୍ଦିର ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଥାଏ ।
ଡମ୍ୱରୁଗଡ଼ ଇକୋ ରିଟ୍ରିଟ
ବୌଦ୍ଧ ବ୍ଲକ ତାଲଶରଡ଼ା ପଞ୍ଚାୟତ ଡମ୍ବରୁଗଡ଼ଠାରେ ରହିଛି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡମ୍ୱରୁଗଡ଼ ଇକୋ ଟୁରିଜିମ । ଡମ୍ୱରୁଗଡ ପାହାଡ଼ର ଗୋଟିଏ ପାଶ୍ୱର୍ରେ ଗିରିବର ବାବାଙ୍କ ମଠ ରହିଥିବାବେଳେ ଅନ୍ୟପାଶ୍ୱର୍ରେ ସବୁଜିମା ଭରା ପାହାଡ ପର୍ବତ ଓ ମହାନଦୀ ବୋହିଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ ତଥା ରହଣି ପାଇଁ ଏଠାରେ ବନବିଭାଗ ପକ୍ଷରୁ ପାର୍କ ସହ ୫ଟି ଶୀତତାପ ନିୟନ୍ତ୍ରିତ କଟେଜ ନିର୍ମାଣ କରାଯାଇଛି । ଏଠାରେ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିବା, ନଦୀରେ ପିକ୍ନିକ୍ କରିବା ପାଇଁ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଉଭୟ ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଡମ୍ବରୁଗଡ଼ର ବିଶେଷ ଗୁରୁତ୍ୱ ରହିଛି । ବୌଦ୍ଧରୁ ଉକ୍ତ ପର୍ଯ୍ୟଟନସ୍ଥଳୀର ଦୂରତା ୨୫ କିମି ରହିଛି । ବୌଦ୍ଧ-ସୋନପୁର ଏନଏଚ ୫୭ରେ ସାହାଜପାଲ ଛକରୁ ଉକ୍ତ ସ୍ଥାନକୁ ପକ୍କା ରାସ୍ତା ରହିଛି ।
ଡମକୁଚ ଡ୍ୟାମ
ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ ବଣପାହାଡ଼ ଘେରା ଅଞ୍ଚଳରେ ରହିଛି ରହିଛି ଡମକୁଚ ଡ୍ୟାମ । ଅଞ୍ଚଳଟି ଦୁର୍ଗମ ହୋଇଥିଲେ ମଧ୍ୟ ଏଠାକୁ ଅନେକ ସମୟରେ ଲୋକେ ବୁଲିବାକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ଏମଆଇ ବିଭାଗ ପକ୍ଷରୁ ଏହାକୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଛି । ବୌଦ୍ଧ ସଦରରୁ ଏହାର ଦୂରତା ପ୍ରାୟ ୭୦କିମି ରହିଛି ।
କୁମ୍ଭିଦରହ ଜଳପ୍ରପାତ
ହରଭଙ୍ଗା ବ୍ଲକ ଆଡ଼ଣୀଗଡ଼ ପଞ୍ଚାୟତ ମାଧପୁର ଫରେଷ୍ଟ ରେଞ୍ଜ ପୋଡ଼ହଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କୁମ୍ଭିଦରହ ଜଳପ୍ରପାତ ବା ପିକନିକ ସ୍ପଟ । କୁମ୍ଭିରଧର ଝରଣା ଚାରିପାଖରେ ରହିଛି ସବୁଜ ବନାନୀରେ ଭରପୂର ପର୍ବତମାଳା । ଝରଣା ଚାରିପଟେ ଥିବା ଘଞ୍ଚ ଜଙ୍ଗଲ, ମନୋରମ ପ୍ରାକୃତିକ ପରିବେଶ ଓ ଚତୁପାଶ୍ୱର୍ରେ ଥିବା ବଡ଼ବଡ଼ ପଥର ଚଟାଣରେ ବଣଭୋଜି ଉପଯୁକ୍ତ ହୋଇଥାଏ । ଏଠାରେ ପର୍ଯ୍ୟଟକ ବଣଭୋଜି ସହିତ ଝରଣାର ଶୀତଳ ପାଣିରେ ଗାଧୋଇବା, ମାଛ ମାରିବା ତଥା ଶାନ୍ତ, ପ୍ରାକୃତିକ ମନରୋମ ଦୃଶ୍ୟ ଉପଭୋଗ କରିବାର ଆନନ୍ଦ ଉଠାଇଥାନ୍ତି । ପାହାଡ଼ ମଝିରେ ବଡ଼ବଡ଼ ଚଟାଣ ଦେଇ ଝରଣା ପାଣି କୁଳୁକୁଳୁ ନାଦରେ ବୋହିଯାଉଛି । ଚଟାଣ ଉପରେ ପର୍ଯ୍ୟଟକମାନେ ଭୋଜିଭାତ କରି ମଜା ନେଇଥାନ୍ତି । କୁମ୍ଭୀଦରହ ଚାରିପାଖରେ ଥିବା ଘଞ୍ଚ ଜଙ୍ଗଲ ବିଭିନ୍ନ ବନ୍ୟଜନ୍ତୁ ଓ ପକ୍ଷୀଙ୍କ ରାବରେ ଗୁଞ୍ଜରିତ ହେଉଥାଏ । ପ୍ରତିବର୍ଷ ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ବଣଭୋଜି ପାଇଁ ଏଠାକୁ ଆସିଥାନ୍ତି । ବୌଦ୍ଧଠାରୁ ଏହାର ଦୂରତା ପ୍ରାୟ ୫୫କିମି ରହିଛି ।
ଲତାଝରଣ ଜଳପ୍ରପାତ
କଣ୍ଟାମାଳ ବ୍ଲକର ଉମା ପଞ୍ଚାୟତ ସମାଡାଙ୍ଗି ଗାଁ ନିକଟରେ ରହିଛି ଲତାଝରଣ ଜଳପ୍ରପାତ । ପ୍ରାକୃତିକ ଶୋଭାରାଜୀରେ ଭରପୂର ସବୁଜ ବନାନୀ ଓ ପାହାଡ଼ ପରିବେଷ୍ଟିତ ଲତାଝରଣ ଜଳପ୍ରପାତ । ଝରଣାର କୁଳୁକୁଳୁ ନାଦରେ ପର୍ଯ୍ୟଟକଙ୍କୁ ଭାବପ୍ରବଣ କରିଥାଏ । ଗହଳ ଲତା ଉହାଡ଼ରୁ ଝରଣା ପ୍ରବାହିତ ହେଉଥିବାରୁ ଏହାର ନାମ ଲତାଝରନ୍ ପଡ଼ିଛି । ପଥର ଉପରୁ ୩ଟି ଧାର ହୋଇ ବୋହି ଆସୁଥିବା ଝରଣାର ଦୃଶ୍ୟ ଦେଖିବାକୁ ଅତୀବ ମନୋରମ । ଝରଣାକୁ ଅନେକ ତ୍ରିଧାରା ବୋଲି ମଧ୍ୟ କହିଥାନ୍ତି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ବଣଭୋଜି କରିବାର ଅନେକ ପ୍ରକୃଷ୍ଟ ସ୍ଥାନ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନକୁ ଅକ୍ସି ଟୁରିଜିମ ଭାବରେ ମାନ୍ୟତା ମିଳିଛି । କିନ୍ତୁ ସମାଡାଙ୍ଗିରୁ ଲତାଝରନ୍ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି । ବୌଦ୍ଧରୁ ମନମୁଣ୍ଡା ପର୍ଯ୍ୟନ୍ତ ଏନଏଚ ୫୭ରେ ଗଲାପରେ ସେଠାରୁ ଏସଏଚ ୪୧ରେ କଣ୍ଟାମାଳ ୨୯କିମି ଯିବାକୁ ହୁଏ । ସେଠାରୁ ପୁଣି ଖୁଣ୍ଟିଗୋରା ଛକରୁ ଉମା ପଞ୍ଚାୟତ ହୋଇ ଲତାରଝରଣକୁ ପ୍ରାୟ ୧୧କିମି ଦୂରତା ରହିଛି ।
ଦେଡ଼ଶୁର-ଭାଇବହୁ ପାହାଡ଼
କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଡ଼ଶୁର-ଭାଇବହୁ ପାହାଡ଼ । ଏଠାରେ ୫ଟି ପାହାଡ଼ ରହିଛି । ଏହାକୁ ନେଇ ଅନେକ କିମ୍ୱଦନ୍ତୀ ରହିଛି । ଅଜ୍ଞାତବାସ ସମୟରେ ପଞ୍ଚୁପାଣ୍ଡବ କିଛିଦିନ ଦ୍ରୌପଦୀଙ୍କ ସହ ଉକ୍ତ ପାହାଡ଼ରେ ରହିଥିଲେ । ପାହାଡ଼ର ୨୫ ଫୁଟ ଉଚ୍ଚଶିଖରରେ ୨ଟି ଲେଖାଁଏ ସାଇଜ ପଥର ଅଦ୍ୟାବଧି ଠିଆ ହେଲା ଭଳି ରହିଛି । ଅନ୍ୟ ଏକ ଲୋକ କଥାନୁସାରେ ଭାଇବହୂ ଓ ଦେଡ଼ଶୁରଙ୍କ ମଧ୍ୟରେ ପାପ ଚିନ୍ତା ଜାଗ୍ରତ ହେବାରୁ ପାହାଡ଼ ଶୀର୍ଷରେ ସେମାନେ ସାପଗ୍ରସ୍ତ ହୋଇ ପାଷାଣ ପାଲଟିଯାଇଥିବା କୁହାଯାଏ । ଏଠାରେ ପ୍ରତ୍ୟକ ପାହାଡ଼ରେ ୨ଟି ଲେଖାଏଁ ଗାଁ ରହିଛି । ନିକଟରେ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି । ଉକ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ବାକି ରହିଛି । ବୌଦ୍ଧରୁ ଉକ୍ତ ପର୍ଯ୍ୟଟନସ୍ଥଳୀକୁ ଦୂରତା ପ୍ରାୟ ୧୦୦କିମି ରହିଛି । ମନମୁଣ୍ଡାଠାରୁ ଏସଏଚ ୪୧ରେ ୪୫କିମି ଗଲାପରେ ଆମ୍ବଗାଁରୁ ପୁଣି ୧୦କିମି ଆଗକୁ ଗଲେ ରେଘାମୁଣ୍ଡାଠାରେ ଉକ୍ତ ପର୍ଯ୍ୟଟନସ୍ଥଳୀ ରହିଛି ।
ନୂଆପଡ଼ା ଡ୍ୟାମ୍
ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତ ନୂଆପଡ଼ା ଗ୍ରାମ ନିକଟରେ ରହିଛି ନୂଆପଡ଼ା ଡ୍ୟାମ । କୁଟିଣିଆପାହାଡ଼, ବୁରୋଗୁଡ଼ା, ତିଲେଇସିଂ ୩ଟି ପାହାଡ଼ ମଝିରେ ନୂଆପଡ଼ା ଡ୍ୟାମ ଅବସ୍ଥିତ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ଗଣା ଯାଏ । ଶୀତଋତୁରେ ଜିଲ୍ଲା ଓ ବାହାର ଜିଲ୍ଲାର ପର୍ଯ୍ୟଟକ ଏଠାକୁ ଆସି ଭୋଜିଭାତ କରିବା ସହ ଡ୍ୟାମରେ ଗାଧୋଇବା ଏବଂ ପ୍ରାକୃତିକ ପରିବେଶର ଆନନ୍ଦ ନେଇଥାନ୍ତି । ନିକଟରେ ଥିବା ବନବିଭାଗର ୱାଚଟାୱାରରୁ ଡ୍ୟାମର ଦୃଶ୍ୟ ଅତୀବ ମନୋରମ । ବର୍ତ୍ତମାନ ଏହି ଡ୍ୟାମ ପୋତି ହେବାରେ ଲାଗିଛି । ଏଣୁ ରକ୍ଷଣାବେକ୍ଷଣ ପାଇଁ ଦାବି ହେଉଛି । ଉକ୍ତ ପର୍ଯ୍ୟଟନସ୍ଥଳୀ ବୌଦ୍ଧ ସଦରରୁ ମାତ୍ର ୨୦କିମି ଦୂରରେ ରହିଛ