କଟକ, ୨୨/୧୧ : କଟକରେ ଡବଲ ମର୍ଡର। ଦରଘା ବଜାର ଅଞ୍ଚଳରେ ବାପା-ମାଆଙ୍କ ତଣ୍ଟି କାଟିଲା ପୁଅ। ପାରିବାରିକ କଳହର କରୁଣ ପରିଣତି। ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍। ଅଭିଯୁକ୍ତ ପୁଅ ଅଟକ।

ଦରଘାବଜାର ଥାନା ଅଞ୍ଚଳରେ ଶୁକବ୍ରାର ରାତିରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜଣେ ଯୁବକ ତାର ବାପା-ମାଆଙ୍କୁ ନୃଶଂସ ଭାବେ ହତ୍ୟା କରିଛି । ଘର ଭିତରେ ଏକ ଛୁରିରେ ଉଭୟଙ୍କ ତଣ୍ଟିକାଟି ମାରି ଦେଇଛି । ଜହ୍ଲାଦ ପୁଅକୁ ସ୍ଥାନୀୟ ଲୋକ କାବୁ କରି ପୁଲିସ ଜିମା ଦେଇଛନ୍ତି । ଦରଘାବଜାର ଥାନା ପୁଲିସ ଅଭିଯୁକ୍ତ ଆଲୋକ ଦାସ(୩୭)କୁ ଅଟକ ରଖି ତନାଘନା ଜାରି ରଖିଛି । ହତ୍ୟାକାଣ୍ଡ ପଛରେ ଟଙ୍କା ନେଣଦେଣ ରହିଥିବା କୁହାଯାଉଛି । ରାତିରେ ସହରରେ ଏଭଳି ଡବଲ୍‌ ମର୍ଡର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।  

ଦରଘାବଜାର ଥାନା ଅଧୀନ ନେତାଜୀ ମ୍ୟୁଜିୟମ୍‌ କଡ଼ରେ ସୂତାହାଟ ଫାଣ୍ଡି ପାଖରେ ଦୀପକ ଦାସ(୫୮) ଓ ତାଙ୍କ ଦ୍ୱିତୀୟ ପତ୍ନୀ ଲିତାରାଣୀ ଦାସ(୬୭) ରହୁଛନ୍ତି । ପ୍ରଥମ ପତ୍ନୀଙ୍କ ପୁଅ ହେଉଛି ଆଲୋକ ଦାସ । ସେ ବିବାହିତ ଓ ମକରବା ସାହିରେ ଭଡ଼ା ନେଇ ପରିବାର ସହ ରହୁଛନ୍ତି । ତାଙ୍କର ଏକ ଛୋଟ ଝିଅ ଅଛି । ଆଲୋକ ବାଲେଶ୍ୱର ଅଞ୍ଚଳରେ କାମ କରନ୍ତି । ସେ ପ୍ରାୟ ୧୦ ଲକ୍ଷ ଟଙ୍କା ଉଧାର ଆଣି ବାପା ଦୀପକଙ୍କୁ ଦେଇଥିଲେ । ଆଲୋକ ଟଙ୍କା ଫେରସ୍ତ ମାଗିବାରୁ ବାପା ଦେଇନଥିଲେ । ଅନ୍ୟପକ୍ଷରେ ଟଙ୍କା ଉଧାର ଦେଇଥିବା ଲୋକ ଆଲୋକଙ୍କୁ ବାରମ୍ବାର ମାଗିବା ସହ ତାଗିଦ୍‌ କରୁଥିଲେ । ଏହାକୁ ନେଇ ସେ ଚିନ୍ତାରେ ଥିଲେ । ପାଖରେ ଟଙ୍କା ନଥିବାରୁ ଟଙ୍କା ଶୁଝିବା ପାଇଁ ପୈତୃକ ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଥିବା ଜମିବାଡ଼ିରୁ କିଛି ବିକ୍ରି କରିବା ପାଇଁ ଆଲୋକ ପ୍ରସ୍ତାବ ରଖିଥିଲେ । ହେଲେ ତାହାକୁ ମଧ୍ୟ ଦୀପକ ଶୁଣିନଥିଲେ । ଗତ ୩ ଦିନ ହେବ ଆଲୋକ ପିପିଲି ଯାଇ ଉକ୍ତ ଜମି ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ କଟକରେ ରହି ଦୀପକ ତାହା କରାଇ ଦେଉନଥିଲେ ।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ହେବ ଆଲୋକ ବାପା ରହୁଥବା ଘରକୁ ଆସି ଉକ୍ତ ଟଙ୍କା ଓ ପୈତୃକ ଜମି ବିକ୍ରି କଥା କହିଥିଲେ । ମାତ୍ର ଟଙ୍କା କଥାକୁ ପୁଣି ଦୀପକ ଏଡ଼ାଇ ଯାଇଥିଲେ । ଏପରିକି ବାପାଙ୍କ କଥାକୁ ମାଆ ଲିତାରାଣୀ ମଧ୍ୟ ଏକପ୍ରକାର ସମର୍ଥନ କରିଥିଲେ । ଏଥିରେ ଆଲୋକ ରାଗିଯାଇ ପାଟିତୁଣ୍ଡ କରିବା ସହ ଲୁଚାଇ ରଖିଥିବା ଏକ ଛୁରିରେ ପ୍ରଥମେ ବାପାଙ୍କୁ ଓ ପରେ ମାଆଙ୍କ ବେକ ଓ ପେଟକୁ ଆକ୍ରମଣ କରିଥିଲା । ପଡ଼ୋଶୀ ଆସି ରୁଣ୍ଡ ହେଲା ବେଳକୁ ଆଲୋକ ସେଠାରେ ବସି ରହିଥଲା । ଏ ଭିତରେ ଆଲୋକ ତାଙ୍କ ପତ୍ନୀ ଅରୁଲତା ନାୟକଙ୍କୁ ଫୋନ୍‌ କରି ଦୀର୍ଘ ଦିନ ହେବ ଯେଉଁ ଟେନ୍‌ସନ୍‌ ଥିଲା ଆଜି ତାକୁ ସାରି ଦେଇଛି ବୋଲି କହି ଫୋନ୍‌ କାଟିଥିଲେ । ଏହି କଥା ପତ୍ନୀ ଅରୁଲତାଙ୍କୁ ଚିନ୍ତାରେ ପକାଇଥିଲା । ତେଣୁ ସେ ଆସି ଦେଖିଲା ବେଳକୁ ଆଲୋକ ବାପାଙ୍କ ଘର ବାରଣ୍ଡାରେ ବସିଛନ୍ତି ଆଉ ଘର ଭିତରେ ଦୁଇଟି ମୃତଦେହ ପଡ଼ିଛି । ପଡ଼ୋଶୀ ଫୋନ୍‌ କରି ଦରଘାବଜାର ଥାନାକୁ ଖବର ଦେଇଥିଲେ । ପୁଲିସ ଆସିଲା ବେଳକୁ ଦୀପକ ଓ ଲିତାରାଣୀଙ୍କ ମୃତ୍ୟୁ ହୋଇସାରିଥିଲା । ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ସୁରାକ ଯୋଗାଡ଼ କରୁଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହ ପଡିରହିଥିଲା । ଜୋନ୍‌ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ଥାନ ଅଧିକାରୀ ରାକେଶ ବେହେରା ତଦନ୍ତ ଜାରି ରଖିଛନ୍ତି ।