ଭୋପାଳ, ୨୬/୦୫ : ଉତ୍ତରପ୍ରଦେଶର ଚନ୍ଦୋଲି ଜିଲ୍ଲାରେ ଏକ ରୋଚକ ଘଟଣା ଘଟିଛି । ସେଠାକାର ବାସିନ୍ଦା ୨୬ ବର୍ଷୀୟ ରାଜକୁମାର ଗୁପ୍ତା ନିଜ ଗାର୍ଲଫ୍ରେଣ୍ଡଙ୍କ ଜିଦ୍‌ ପୂରଣ ଲାଗି ୭୦୦ କିମି ଦୂର ମଧ୍ୟପ୍ରଦେଶର ଦତିୟା ଆସି ଜିଲ୍ଲାପାଳଙ୍କ ସହ ଫଟୋ ନେଇଛନ୍ତି । ଏପରି ନକଲେ ବ୍ରେକଅପ୍‌ ଲାଗି ପ୍ରେମିକା ତାଙ୍କୁ ଧମକ ଦେଇଥିଲେ ।

ରାଜକୁମାର ଗୁପ୍ତା ପେସାରେ ଜଣେ ଟ୍ୟାକ୍ସି ଡ୍ରାଇଭର । ସେ ସୋସିଆଲ୍‌ ମିଡିଆରେ ଜିଲ୍ଲାପାଳ ସ୍ୱପ୍ନିଲ ୱାଙ୍ଖଡେଙ୍କ କାମ ଏବଂ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ଥିଲେ । ଇତିମଧ୍ୟରେ ଗାର୍ଲଫ୍ରେଣ୍ଡ ତାଙ୍କ ଲାଗି ୱାଙ୍ଖଡେଙ୍କୁ ଭେଟିବାକୁ ସର୍ତ୍ତ ରଖିବାରୁ ସେ ଶୁକ୍ରବାର ରାତିରେ ଟ୍ରେନ୍‌ ଯୋଗେ ଝାନ୍‌ସୀ ପହଞ୍ଚିଥିଲେ । ସେଠାରୁ ବସ୍‌ ଜରିଆରେ ଦତିୟା ଆସିଥିଲେ । ଦତିୟାରେ ଏକ ହୋଟେଲରେ ରହିଥିଲେ । ଶନିବାର ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଛୁଟି ଥିବାରୁ ସାକ୍ଷାତ ସମ୍ଭବପର ହୋଇନଥିଲା । ରବିବାର ଦିନ ସାରା ସେ ହୋଟେଲରେ କଟାଇଥିଲେ । ସୋମବାର ଦ୍ୱିପ୍ରହରରେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲେ । ସେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲୁଥିବାରୁ ତାଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା । ଇତିମଧ୍ୟରେ ପ୍ରବଳ ଗରମ ଯୋଗୁ ସେ ଅସୁସ୍ଥ ଅନୁଭବ କରିଥିଲେ । ପରବର୍ତ୍ତୀ ସମୟରେ ବେହୋସ ହୋଇ ପଡିଯାଇଥିଲେ । ଉପସ୍ଥିତ କର୍ମଚାରୀ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଘଟଣା ସଂପର୍କରେ ସୂଚନା ପାଇବାର ପ୍ରାୟ ୨ ଘଣ୍ଟା ପରେ ଜିଲ୍ଲାପାଳ ସ୍ୱପ୍ନିଲ ୱାଙ୍ଖଡେ ନିଜେ ତାଙ୍କୁ ଭେଟିବାକୁ ଜିଲ୍ଲା ହସ୍ପିଟାଲ ପହଞ୍ଚିଥିଲେ । ଏହି ସମୟରେ ୱାଙ୍ଖଡେ ତାଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ । ପରେ ରାଜକୁମାର ସେହି ଫଟୋକୁ ଗାର୍ଲଫ୍ରେଣ୍ଡଙ୍କ ନିକଟକୁ ପଠାଇଛନ୍ତି । ଏଥିସହ ବ୍ରେକଅପ୍‌ରୁ ରକ୍ଷା ପାଇଯାଇଥିବା ଲେଖିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କର ଏହି କାହାଣୀ ଭାଇରାଲ୍ ହେବାରେ ଲାଗିଛି।

ଏହି ଖବରଟିକୁ ପଢନ୍ତୁତରଳୁଛି ଗ୍ଲେସିୟର, ଅସ୍ଥିର ହେଉଛି ହିମାଳୟ ନଦୀ