ଢାକା: ବାଂଲାଦେଶରେ ତେଜୁଛି ଭାରତ ବିରୋଧି ନିଆଁ। ଇଣ୍ଡିଆ ବୟକଟ ନାରା ଦେଇଛି ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନ୍ପି। ଏନେଇ ଦଳର ବରିଷ୍ଠ ନେତା ଭାରତର ଜୟପୁରରେ ତିଆରି ହୋଇଥିବା ଏକ ବେଡ୍ଶିଟ୍ ଜାଳି ପ୍ରତିବାଦ କରିଛନ୍ତି। ବର୍ତ୍ତମାନ ଦୁଇ ପଡୋଶି ଦେଶରେ ମୁହାଁମୁହିଁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରତିଦିନ ବାଂଲାଦେଶରୁ ଏହିଭଳି ହଜାର ହଜାର ଖବର ସାମ୍ନାକୁ ଆସୁଛି।
ମଙ୍ଗଳବାର ବାଂଲାଦେଶର ରାଜସାହି ସହରରେ ଭାରତୀୟ ଉତ୍ପାଦର ବୟକଟ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଡଭୋକେଟ ରାହୁଲ କବିର ରିଜବୀ ତଥା ବିଏନପି ବରିଷ୍ଠ ଯୁଗ୍ମ ସମ୍ପାଦକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭାରତ ବିରୋଧରେ ବର୍ଷିଥିଲେ।
ମିଳିଥିବା ସୂଚନା ଅନୁସାରେ, ରଜବୀ ଏକ ପ୍ରିଣ୍ଟେଡ ବେଡସିଟ ଧରି ଲୋକଙ୍କୁ କହିଥିଲେ “ବେଡସିଟଟି ଭାରତରେ ଥିବା ରାଜସ୍ଥାନ ଜିଲ୍ଲାର ରାଜଧାନୀ ଜୟପୁରରୁ ଆସିଛି। ଏହି ବେଡସିଟଟି ଜୟପୁର ଟେକ୍ସଟାଇଲରେ ତିଆରି ହୋଇଛି। ଆମେମାନେ ଭାରତ ବିରୋଧରେ ଏହି ବିରୋଧ ଜାରି ରଖିବା।” ଏହା କହି ସେ ବେଡସିଟଟିକୁ ତଳକୁ ଫିଙ୍ଗି ଦେଇଥିଲେ ଓ ଦଳୀୟ କର୍ମୀଙ୍କୁ ଏଥିରେ ନିଆଁ ଲଗେଇବାକୁ କହିଥିଲେ। ବିଏନପିର କର୍ମୀମାନେ ଏହି ବେଡସିଟ ଉପରେ କିରୋସିନ ଢାଳି ନିଆଁ ଲଗେଇ ଦେଇଥିଲେ। ଏହା ସହ ସମସ୍ତେ ଏହି ବେଡସିଟକୁ ଗୋଇଠା ମାରିବା ସହ ଭାରତ ବିରୋଧି ସ୍ଲୋଗାନ ଦେଇଥିଲେ।
ଆମେ ସମସ୍ତେ ଭାରତୀୟ ଉତ୍ପାଦଗୁଡ଼ିକୁ ବୟକଟ କରିବା ଦରକାର। କାରଣ ସେମାନେ ଆମ ଲୋକମାନଙ୍କ ପାଇଁ ଆଦୌ ଠିକ ନୁହନ୍ତି। ସେମାନଙ୍କର ବନ୍ଧୁତା କେବଳ ଶେଖହସିନାଙ୍କ ସହ ରହିଛି ବୋଲି ରିଜଭି କହିଛନ୍ତି। ତେବେ ରିଜଭିଙ୍କର ଏଭଳି ଆନ୍ଦୋଳନ ନୂଆ ନୁହେଁ, ଏହା ପୂର୍ବରୁ ସେ ନିଜ ପତ୍ନୀ ପିନ୍ଧିଥିବା ଭରତ ନିର୍ମିତ ଶାଢ଼ିକୁ ମଧ୍ୟ ଜାଳି ଦେଇଥିଲେ। ଭାରତରେ ବାଂଲାଦେଶ ଜାତୀୟ ପତାକାର ଅପମାନରେ ସେ ଏହି ପ୍ରତିପାଦ କରିଥିଲେ ବୋଲି କହିଥିଲେ ବିଏନ୍ପି ନେତା। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ନିଜେ ପିନ୍ଧିଥିବା ଭାରତୀୟ ସାଲ୍କୁ ମଧ୍ୟ କାଢ଼ି ଫିଙ୍ଗି ଦେଇଥିଲେ।
ତେବେ ଭାରତରେ ବାଂଲାଦେଶ ବିରୋଧରେ ତେଜୁଥିବା ଆନ୍ଦୋଳନକୁ ବିରୋଧ କରି ବାଂଲାଦେଶ ନେତା ଏଭଳିକାଣ୍ଡ ଘଟାଉଛନ୍ଚି। ନିକଟରେ ବାଂଲାଦେଶରେ ହିନ୍ଦୁ ଓ ସଂଖ୍ଯାଲୁଙ୍କ ଉପରେ ହେଉଥିବା ଅତ୍ଯାଚାରକୁ ବିରୋଧ କରେ କୋଲକାତାର ସଲ୍ଟ ଲେକ୍ରେ ବେଙ୍ଗଲ ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏଥିରେ ବାଂଲାଦେଶରେ ନିର୍ମିତ ଢାକାଇ ଜମଦାନୀ ଶାଢ଼ିକୁ ପୋଡ଼ି ଦେଇଥିଲେ ଆନ୍ଦୋଳନକାରୀ। ସେଠାରେ ମଧ୍ୟ ବାଂଲାଦେଶ ଉତ୍ପାଦନ ବୟକଟ୍ର ନାରା ଦିଆଯାଇଥିଲା।
ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖା ଦେଇଥିବା ବେଳେ ଗତ ସୋମବାର ଭାରତର ବୈଦେଶିକ ସଚିବ ମୁଖ୍ୟ ଭିକ୍ରମ ମିଶ୍ରୀ ବାଂଲାଦେଶ ଗ୍ରସ୍ତ କରିଥିଲେ। ସେ ବାଂଲାଦେଶରେ ପହଞ୍ଚିବା ପରେ ଏନେଇ ମହମ୍ମଦ ୟୁନୁସଙ୍କ ସହ ଅନ୍ତରୀଣ ସରକାରର ମୁଖ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି। ଅନ୍ତରୀଣ ସରକାର ଗଠନ ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ।
ଏହି ବୈଠକରେ ମହମ୍ମଦ ୟୁନୁସ ଦୁଇ ପଡୋଶି ରାଷ୍ଟ୍ର ମଧ୍ୟରେ ଛାଇ ଦେଉଥିବା କଳା ବାଦଲକୁ ହଟେଇବାକୁ ଭାରତକୁ ଅନୁରୋଧ କରିଥିଲେ। ଅନ୍ୟପଟେ ନୂଆଦିଲ୍ଲୀ ବାଂଲାଦେଶରେ ରହୁଥିବା ସଂଖ୍ୟଲଘୁଙ୍କ ସୁରକ୍ଷା ଚାହୁଁଛି ବୋଲି ମିଶ୍ରୀ କହିଥିଲେ।