କେନ୍ଦ୍ରାପଡ଼ା, ୧୯/୦୨ : ସୋସିଆଲ୍ ମିଡିଆରୁ ପ୍ରେମ, ତାପରେ ବିବାହ ପ୍ରତିଶୃତି। ବିଶ୍ଵାସ ଜନ୍ମାଇ ସାଙ୍ଗରେ ଆଣିଲା, ହେଲେ ବାହା ନହୋଇ ଦେହ ବ୍ୟବସାୟ କରିବାକୁ ଛାଡ଼ିଦେଲା। ୩ ମାସ ଧରି ଲଜ୍ରେ ରଖିଲା। ଗୃହବନ୍ଦୀ କରି ବଳପୂର୍ବକ ଅନୈତିକ କାମ କରାଇଲା। ଦିନେ ବିଳମ୍ଵିତ ରାତିରେ ବସଷ୍ଟାଣ୍ଡରେ ଆଣି ଛାଡ଼ିଦେଲା। ପ୍ରେମିକା ଖସି ଆସିବା ପରେ ସାମ୍ନାକୁ ଆସିଛି ଏଭଳି ସ୍ପର୍ଶକାତର ଘଟଣା। କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଶାମାଗୁଡ଼ିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଏହି ଖବର। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ପୀଡ଼ିତା, ତାଙ୍କର ଜଣେ ବାନ୍ଧବୀ, ପ୍ରେମିକ, ଲଜ୍ ମାଲିକଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ସଦର ପୁଲିସ।
ଅଭିଯୋଗ ଅନୁସାରେ, ପୀଡ଼ିତାଙ୍କ ଘର ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଯଁପଡ଼ା ଅଞ୍ଚଳରେ। ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅରୁଆ କଦଳୀବଣ ଅଞ୍ଚଳର ରାହୁଲ କୁମାର ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ ଜରିଆରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା । ବିବାହର ପ୍ରତିଶ୍ରୁତି ଦେଇ ରାହୁଲ ତାଙ୍କ ସହ ସମ୍ପର୍କ ରଖିଥିଲା । ଉଭୟ ଏକାଧିକ ବାର ଭୁବନେଶ୍ୱର ମଧ୍ୟ ଯାଇଥିଲେ । ଆଉ ପ୍ରେମିକ କୌଶଳକ୍ରମେ ଆପତ୍ତିଜନକ ଭିଡିଓର ଫଟୋ ଓ ଭିଡିଓ ଉତ୍ତୋଳନ କରି ରଖିଥିଲା । ଯାହାର ସୁଯୋଗ ନେଇ ସେ ପୀଡ଼ିତାଙ୍କୁ ବ୍ଲାକ୍ମେଲ୍ କରିଥିଲା । ପରେ ରାହୁଲ ତାଙ୍କୁ କେନ୍ଦ୍ରାପଡ଼ାକୁ ଡକାଇଥିଲା । ପୀଡ଼ିତା ମଧ୍ୟ ରାହୁଲର କଥାକୁ ବିଶ୍ୱାସ କରିଥିଲେ ଓ କେନ୍ଦ୍ରାପଡ଼ାକୁ ଚାଲି ଆସିଥିଲେ । ହେଲେ ରାହୁଲର ଚାଲ୍ ସେ ବୁଝି ପାରିନଥିଲେ ।
ପୀଡ଼ିତା ଏଠାରେ ପହଞ୍ଚିବା ପରେ ତାଙ୍କୁ ଶାମାଗୁଡ଼ିଆସ୍ଥିତ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଓମ୍ ସାଇ ହୋଟେଲ ଓ ଗେଷ୍ଟ ହାଉସକୁ ନେଇ ଆସିଥିଲା । ଏଠାରେ ତଳେ ହୋଟେଲ ଚାଲିଥିବା ବେଳେ ଉପର ମହଲାରେ ଲଜିଂ ନାଁରେ ଦେହ ବେପାର ଚାଲୁଥିଲା । ରାହୁଲ ପ୍ରେମିକାଙ୍କୁ କହିଥିଲା କି-ଆମେ ଟଙ୍କା ରୋଜଗାର କରିବା ଓ ଭଲରେ ଚଳିବା । ଏଠାରେ ତାଙ୍କୁ ଅର୍ଥ ଲୋଭ ଦେଖାଇ ନିଜେ ପରିଚାଳନା କରୁଥିବା ଲଜ୍ରେ ପ୍ରାୟ ୩ ମାସ ଧରି ଗୃହବନ୍ଦୀ କରି ରଖିଥିଲା ଓ ଦେହ ବେପାର ଭଳି କୁତ୍ସିତ କାର୍ଯ୍ୟରେ ନିୟୋଜିତ କରିଥିଲା । ଯେଉଁଥିରେ ଲଜ୍ ମାଲିକଙ୍କ ମଧ୍ୟ ସମ୍ପୃକ୍ତ ରହିଛି । ପୀଡ଼ିତା ଗଣମାଧ୍ୟମକୁ କହିଛନ୍ତି କି ରାହୁଲ ଆମର ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ ଓ ଭିଡିଓ ଉତ୍ତୋଳନ କରି ବ୍ଲାକ୍ମେଲ୍ କରିଥିଲା । କାମ ନକଲେ ମାରଧର କରୁଥିଲା । ମୋ ପରିବାର ଲୋକଙ୍କୁ ଧମକଚମକ ଦେଉଥିଲା । ସେ ହୋଟେଲରେ ପିଲା ରଖି କାମ କରୁଥିଲା । ସେ ଏଠି ୪ଟି ପିଲା ରଖିଛି । ମୋତେ ମାରଧର କରି କେନ୍ଦ୍ରାପଡ଼ା ବସ୍ଷ୍ଟାଣ୍ଡରେ ଆଣି ରାତି ୨ଟାରେ ଛାଡ଼ି ଦେଇଥିଲା । ସେ ସ୍ଥାନୀୟ ଅଞ୍ଚଳର ଜଣେ ପରିଚିତଙ୍କୁ ଫୋନ୍ କରି ଚଣ୍ଡିଖୋଲକୁ ଜଣେ ବନ୍ଧୁଙ୍କ ପାଖକୁ ଆସିଥିଲେ । ପରେ ସକାଳେ ଭୁବନେଶ୍ୱରକୁ ପଳାଇ ଆସିଥିଲେ । ପୀଡ଼ିତା ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି ।
ପୀଡ଼ିତା ଏବେ ଗର୍ଭବତୀ ଥିବା ପୁଲିସ ସୂଚନା ଦେଇଛି । ତେବେ ତଦନ୍ତ ବେଳେ ପୁଲିସକୁ ବଡ଼ ସୁରାକ ମିଳିଛି । କେବଳ ଏହି ପୀଡ଼ିତା ନୁହନ୍ତି, ରାଜ୍ୟ ବାହାରର ଅନ୍ୟ ଜଣେ ଯୁବତୀ ଓ ନାବାଳିକାଙ୍କୁ ଏଠାରେ ରଖି ଦେହ ବେପାର କାମରେ ନିୟୋଜିତ କରାଯାଉଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ସହ ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଛି । ଏହି ରାକେଟ୍ ପଛରେ ଅନେକ ବଡ଼ମୁଣ୍ଡ ଥିବା କୁହାଯାଉଛି । କେବଳ ଏହି ଜଣେ ପୀଡ଼ିତା ନା ଅନ୍ୟମାନଙ୍କୁ ପ୍ରେମ ଜାଲରେ ଫସାଇ ରାହୁଲ ସେମାନଙ୍କୁ ବ୍ଲାକ୍ମେଲ୍ କରି ଦେହ ବେପାରରେ ଲଗାଉଥିଲା ତାହା ତଦନ୍ତାଧୀନ ଅଛି ।
ଏହି ଖବରଟିକୁ ପଢନ୍ତୁ- ଯାଜାବରଙ୍କ ପାଇଁ ସହରରେ ମୁଣ୍ଡ ଗୁଞ୍ଜିବାକୁ ଘରଦ୍ଵାର ନାହିଁ କି ଦରଦ ନାହିଁ, ବିପଦପୂର୍ଣ୍ଣ ସ୍ଥିତିରେ ବିତୁଛି ରାତି