କଟକ, ୧୯/୦୨ : ଯାଜାବରଙ୍କ ପାଇଁ ସହରରେ ମୁଣ୍ଡ ଗୁଞ୍ଜିବାକୁ ଘରଦ୍ଵାର ନାହିଁ କି ଦରଦ ନାହିଁ। କିଏ ମୂଲପାତି ଲାଗି ଚଳୁଛି ତ ଆଉ କିଏ ଦୋକାନ ବଜାରରେ ମାଗି ଯାଚି ଚଳୁଛି। ଆଶ୍ରୟ ନେବାକୁ ଜାଗା ଟିକିଏ ବି ନାହିଁ। ରାସ୍ତାକଡ଼ରେ ଯିଏ ଯେଉଁଠି ପାଇଲା ସେଠି ବିଶ୍ରାମ ନେଇ ରାତି କାଟିଲା। ନିଦ ମାଡ଼ି ଆସିଲେ କିଏ କେଉଁଠି ଶୋଇଲା ତାହା ବି ଜାଣି ପାରୁନାହାଁନ୍ତି। କଟକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏମିତି କିଛି ଅସହାୟ ରାତିରେ ଖୋଲା ଆକାଶ ତଳେ ଶୀତ କାକରରେ ରାତି କାଟୁଛନ୍ତି। ରାତିରେ ମଧୁପାଟଣାରୁ ଓଏମ୍ପି, ଜଗତପୁର ଯାଏ ମାଳମାଳ ଯାଯାବରଙ୍କ ଜୀବନ ରାଜପଥରେ ବାଜି ଲାଗୁଛି।
ରାତି ୧୦ଟା ପରେ ଏନ୍ଏଚ୍ରେ ପ୍ରତି ମୁହୂର୍ତ୍ତରେ ଭାରୀଯାନ ଗୁଡ଼ିକ ଦ୍ରୁତଗତିରେ ଛୁଟୁଛି । ସେହିପରି ଅନ୍ୟ ଗାଡ଼ିମୋଟରଗୁଡ଼ିକ ମଧ୍ୟ ଅହରହ ଚାଲିଛି । ରାତି ୧୦ଟା ପରେ ଗାଡ଼ି ଚଳାଚଳ ସମୟରେ ପୁଲିସର ନିୟନ୍ତ୍ରଣ ରହୁନାହିଁ। ଏପରିସ୍ଥଳେ ବ୍ୟସ୍ତ ବହୁଳ ଏହି ଏନ୍ଏଚ୍ ରେ ଅତି ବିପଦପୂର୍ଣ୍ଣ ସ୍ଥିତିରେ କିଛି ଯାଯାବର ଅସହାୟ ଅବସ୍ଥାରେ ଶୋଉଥିଲେ ହେଁ ଏଥିପ୍ରତି କାହାରି ନିଘା ନାହିଁ । ଏହି ରାସ୍ତା ଦେଇ ଏନ୍ଏଚ୍ ରେ ପୁଲିସର ପିସିଆର୍ ପାଟ୍ରୋଲିଂ ଗାଡ଼ି ଚଳପ୍ରଚଳ କରୁଛି । ଜାତୀୟ ରାଜପଥ ପ୍ରାଧିକରଣର ମଧ୍ୟ ସ୍ୱତନ୍ତ୍ର ପାଟ୍ରେଲିଂ ଗାଡ଼ି ରହିଛି । ଧନଜୀବନର ସୁରକ୍ଷା ଲାଗି ପୁଲିସ ଓ ଏନ୍ଏଚ୍ଆଇ ପାଟ୍ରୋଲିଂ ଟିମ୍ ଚଳପ୍ରଚଳ ହେଉଥିଲେ ହେଁ, କର୍ମଚାରୀମାନେ ସବୁ ଦେଖି ନଦେଖିଲା ପରି ପଳାଉଛନ୍ତି । ବିପଦପୂର୍ଣ୍ଣ ଅବସ୍ଥାରେ ରାଜରାସ୍ତାରେ ଖୋଲା ଆକାଶ ତଳେ ଶୋଇଥିବା ଅସହାୟ ବୋଲି ସେମାନଙ୍କ ପ୍ରତି କାହାର ଦରଦ ରହୁନାହିଁ। ଅନ୍ୟପକ୍ଷରେ ରାତିରେ ଅସହାୟଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ନେଇ ଛାଡ଼ିବା କାମ ଭିଡ଼ ଭାବି ପୁଲିସ ଓ ଏନ୍ଏଚ୍ଆଇ ପାଟ୍ରୋଲିଂ ଟିମ୍ ପଛଘୁଞ୍ଚା ଦେଉଥିବାର ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ, ମଧୁପାଟଣାରୁ ଜଗତପୁର ମଧ୍ୟରେ ଏହି ଜାତୀୟ ରାଜପଥ ଦୁର୍ଘଟଣାପ୍ରବଣ ରହିଛି । ଦ୍ରୁତଗାମୀ ଭାରୀଯାନ ଗୁଡ଼ିକ ଓଏମପି ଫ୍ଲାଏ ଓଭର ବ୍ରିଜ୍ରୁ ମଧୁପାଟଣା ଫ୍ଲାଏ ଓଭରବ୍ରିଜ୍ ଦେଇ ଚଳପ୍ରଚଳ ମଧ୍ୟରେ ରାତି ସମୟରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
ଏହି ଖବରଟିକୁ ପଢନ୍ତୁ- ମଙ୍ଗୁଳି ଟୋଲ୍ ପ୍ଲାଜା ପାଖ ଏନ୍ଏଚ୍ ରେ ‘ମହୁମାଛି କରିଡର୍’; ଲାଗିବ ଭଳିକି ଭଳି ଫୁଲ ଗଛ, ଆକର୍ଷିତ ହେବେ ମହୁମାଛି