ଫିରିଙ୍ଗିଆ,୧୩/୭ : ପ୍ରେମିକାର ମୃତ୍ୟୁର ଦୁଇ ଦିନ ନ ପୂରୁଣୁ ଜଣେ ପ୍ରେମିକ ନିମ ଗଛ ବେକରେ ରଶି ଲଗେଇ ଆତ୍ମ ହତ୍ୟା କରିଛନ୍ତି I ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା କାଣିବାଲି ଗାଁରେ । ମୃତ ଯୁବକଙ୍କ ନା କାହ୍ନା ବେହେରା(୧୯) ବୋଲି ଜଣାପଡିଥିବାବେଳେ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଶକୁଳି ଗାଁର ନବୀନ ବେହେରାଙ୍କ ପୁଅ ବୋଲି ଜଣାପଡିଛି I
ସୂଚନା ଅନୁସାରେ, ରବିବାର ସକାଳେ କାଣିବାଲି ଗାଁ ନିକଟରେ ଥିବା ଜଙ୍ଗଲର ଏକ ନିମ୍ବ ଗଛରେ ଯୁବକଙ୍କ ମୃତ ଦେହ ଝୁଲୁ ଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ I ଖବରପାଇ ଘଟଣାସ୍ଥଳରେ ଗୋଛାପଡା ପୋଲିସ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଦେଇ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି I ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ କେଶ ନଂ ୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I ଅନ୍ୟପଟେ ପୋଲିସର ସୂଚନା ଅନୁସାରେ ମୃତ ଯୁବକ ଜଣକ କିଛିଦିନ ତଳେ ଏହି କାଣିବାଲି ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଆସି ରହୁଥିଲେ I କିଛିଦିନ ଦିନ ରହିବା ମଧ୍ୟରେ ଘରେ ଥିବା ଜନୈକ ଯୁବତୀଙ୍କ ସାଙ୍ଗରେ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ଗତ ସୋମବାର ଯୁବତୀ ଜଣକ ହଠାତ ଅସୁସ୍ଥ ହୋଇପଡ଼ିଥିଲେ I ପରିବାର ଲୋକେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ I କିନ୍ତୁ ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା I ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବସିଥିବାବେଳେ ଘରୁ କୁଆଡେ ଚାଲିଯାଇଥିଲେ । ପରେ ତାଙ୍କର ମୃତଦେହ ଗାଁ ପାଖ ଜଙ୍ଗଲରେ ଏକ ନିମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା I ଅନ୍ୟପଟେ ମୃତ ଯୁବକ ଜଣଙ୍କ କାଣିବାଲି ଗାଁର ଯାହା ଘରେ ରହୁଥିଲେ ତାଙ୍କ ସହ କଣ ସମ୍ପର୍କ ରହିଛି ଓ ବୌଦ୍ଧ ଜିଲ୍ଲାରୁ ସେ କଣ ପାଈଁ କାଣିବାଲି ଗାଁକୁ ଆସିଥିଲେ ତାହା ଜଣାପଡିନଥିବା ବେଳେ ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି I