କେନ୍ଦ୍ରାପଡ଼ା,୩୦/୦୬: କେନ୍ଦ୍ରାପଡ଼ା ସହର ଇଚ୍ଛାପୁର ରଥଦାଣ୍ଡର ମହାଜନ ସାହି ନିକଟରେ ଶନିବାର ଅଟକି ରହିଥିବା ଶ୍ରୀବଳଦେବଜିଉଙ୍କ ବ୍ରହ୍ମତାଳଧ୍ୱଜ ରଥ ରବିବାର ପ୍ରାୟ ୫ ଶହ ମିଟର ଆଗକୁ ଗଡ଼ି ପୁଣି ଅଟକିଛି । ରଥଟଣା ଆରମ୍ଭ ହେବା ପରଠୁ ରଥ ବାମପଟ ଫୁଟ୍ପାଥ୍କୁ ମାଡ଼ି ଚାଲିଥିଲା । ଦୁଇ ଦୁଇ ଥର ଜ୍ୟାକ୍ ମେସିନ ଲାଗିଥିଲେ ମଧ୍ୟ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡ଼ା ଛୁଇଁ ପାରିନଥିଲା ।
ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରାୟ ୧୦୦ ମିଟର ଗଡ଼ିବା ପରେ ରଥ ପୂର୍ବବତ୍ ବାମ ପଟକୁ ମାଡ଼ିଚାଲିଲା । ଧଳା ଚିହ୍ନିତ ଅଂଶକୁ ନଫେରିବାରୁ ପୁନର୍ବାର ଅପରାହ୍ଣ ୨ଟା ପରେ ହାଇଡ୍ରୋଲିକ୍ ଜ୍ୟାକ୍ ମେସିନ୍ ଯୋଗେ ରଥକୁ ପଥକୁ ଆଣିବା ପାଇଁ ଉଦ୍ୟମ ହୋଇଥିଲା । ତା’ ପରେ ପୁନର୍ବାର ରଥ ଟାଣିବା ପାଇଁ ପ୍ରୟାସ ହୋଇଥିଲା । ରଥ ପଥକୁ ଫେରୁଥିବା ବେଳେ ପୁଣି ବାମପଟକୁ ମାଡ଼ିଚାଲିଲା । ସୂର୍ଯ୍ୟାସ୍ତ ହୋଇଯିବାରୁ ରାତିରେ ରଥଟଣା ବିଧି ନଥିବାରୁ ପାଇଁ ରଥଟଣା ବନ୍ଦ ରହିଥିଲା । ନୂଆ ଚନ୍ଦନ ପୋଖରୀ ନିକଟରେ ରଥ ଅଟକିଛି ।
ରବିବାର ଶ୍ରୀଗୁଣ୍ଡିଚାର ତୃତୀୟ ଦିନ ହୋଇଥିଲେ ବି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡ଼ାରେ ଲାଗି ପାରିଲା ନାହିଁ । ଯାହାକୁ ନେଇ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତ୍ରୁଟିପୂର୍ଣ୍ଣ ରଥ ନିର୍ମାଣ, ରଥଟଣା ଓ ରଥ ଚାଳନାରେ ଅନଭିଜ୍ଞତା, ଅସମତଳ ରଥଦାଣ୍ଡ ଓ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ରଥ କେମିତି ପଥକୁ ଫେରିବ ଓ ଚକଡ଼ା ଛୁଇଁବ ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଯାତ୍ରୀ ନିବାସ କାର୍ଯ୍ୟାଳୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ହାଇଡ୍ରୋଲିକ୍ ମେସିନ ଜ୍ୟାକ୍ ଯୋଗେ ଚକକୁ ଫୁଟ୍ପାଥକୁ ଆଣିବା ପାଇଁ ଚେଷ୍ଟା କରାଯାଇଥିଲା
ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦୁଇଦିନ ବ୍ୟାପୀ ହୁଏ । ପ୍ରଥମ ଦିନ ରଥ ଦୁଇ ଦଉଡ଼ି ଟଣା ହୋଇ ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥାଏ । ପରେ ଶ୍ରୀଗୁଣ୍ଡିଚାର ଦ୍ୱିତୀୟ ଦିନରେ ପୁଣି ଥରେ ଟଣା ହୋଇ ମାଉସୀ ମା’ ମନ୍ଦିର ଚକଡ଼ା ସ୍ପର୍ଶ କରେ । ଦ୍ୱିତୀୟ ଦିନ ଅର୍ଥାତ ଗତକାଲି ରଥ ଟଣାହେବା ବେଳକୁ ଆରମ୍ଭରୁ ବାମପଟକୁ ମାଡ଼ି ମାଡ଼ି ଚାଲିଥିଲା । ଆଉ ଡାକଘର ଯାଏ ଆସିପାରିଥିଲା । ଗତକାଲି ରଥ ବାମପାଶ୍ୱର୍କୁ ମାଡ଼ିଚାଲିବାରୁ ରଥଟଣା ବନ୍ଦ ରହିଥିଲା ଓ ଜନଗହଳି କମିବା ପରେ ଜ୍ୟାକ୍ ମେସିନ୍ ଯୋଗେ ପଥକୁ ଅଣାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ରଥକୁ ପଥକୁ ଆଣିବା ପାଇଁ ଉଦ୍ୟମ ହୋଇଥିଲା । ପ୍ରାୟ ୧୦ ଫୁଟ୍ ପର୍ଯ୍ୟନ୍ତ ପ୍ରମୁଖ ପଥକୁ ଅଣାଯାଇଥିଲା । ହେଲେ ତା’ ପରେ ମଧ୍ୟ ମଧ୍ୟାହ୍ନରେ ରଥ ଟାଣିବା ବେଳକୁ ଆରମ୍ଭରୁ ସମସ୍ୟା ଦେଖାଯାଇଥିଲା । ପୁଣି ସେହି ବାମପଟକୁ ମାଡ଼ିଚାଲିଥିଲା ।
ରବିବାର ପ୍ରତ୍ୟୁଷରୁ ଶ୍ରୀଜିଉଙ୍କ ମଙ୍ଗଳା ଆଳତି ଓ ଅବକାଶ ନୀତି ସମ୍ପନ୍ନ ପରେ ବଲ୍ଲଭମଣୋହିରେ ସମ୍ପୂର୍ଣ୍ଣ ଅନୋଳି ଭୋଗ ଅର୍ପଣ କରାଯାଇଥିଲା । ମଧ୍ୟାହ୍ନରେ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ବଢ଼ି ରଥଟଣା ଆରମ୍ଭ ହୋଇଥିଲା । ରଥ ୨ ହାତ ଗଡ଼ିବା ପରେ ପିଚୁ ଉପରେ ଥିବା ରଥ ଚକ ଫୁଟ୍ପାଥ୍ ଆଡ଼କୁ ମାଡ଼ିଆସିବାରୁ ଫୁଟ୍ପାଥରେ ଥିବା କିଛି ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି କି ଜ୍ୟାକ୍ ମେସିନ୍ ଯୋଗେ ରାତି ୯ଟାରୁ ୧୧ଟା ପର୍ଯ୍ୟନ୍ତ ରଥଚକ ପଥକୁ ଅଣାଯିବା ପାଇଁ ଚେଷ୍ଟା ଚାଲିଛି । ଏଥିପାଇଁ ପୂରା ଟିମ୍ ଲାଗିଛନ୍ତି । ୧୧ଟା ପରେ ରଥ ଅଟକିଥିବା ସ୍ଥାନରେ ରାତ୍ରର ଅବଶିଷ୍ଟ ନୀତିକାନ୍ତି ସମ୍ପନ୍ନ କରାଯିବ । ସୋମବାର ସଅଳ ରଥଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଚକଡ଼ା ଛୁଇଁବା ପରେ ଠାକୁରଙ୍କର ପହଣ୍ଡି କରାଯିବ।