କେନ୍ଦ୍ରାପଡ଼ା,୦୮/୦୭: ବାହୁଡ଼ା ଯାତ୍ରାରେ ରଥଟଣାରେ ବିଭ୍ରାଟ ଯୋଗୁଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପରମ୍ପରା ଭାଙ୍ଗିଛି । ରବିବାର ରଥ ବଡ଼ଦେଉଳ ଚକଡ଼ାରେ ନଲାଗି ସୋମବାର ଅପରାହ୍ଣରେ ଅର୍ଥାତ୍‌ ତୃତୀୟ ଦିନରେ ଚକଡ଼ା ସ୍ପର୍ଶ କରିଛି । ପରମ୍ପରା ଅନୁସାରେ ବାହୁଡ଼ା ଯାତ୍ରାରେ ଯେଉଁଦିନ ରଥ ବଡ଼ଦେଉଳ ଚକଡ଼ା ସ୍ପର୍ଶ  କରେ, ତା’ ପରଦିନ ରଥ ଉପରେ ଶ୍ରୀଜିଉମାନଙ୍କ  ରଘୁନାଥ ବେଶ ଓ ନୀଳାଦ୍ରି ବିଜେ ଉତ୍ସବ ହୁଏ ।  ରଥ ସୋମବାର ଚକଡ଼ା ଛୁଇଁଥିବାରୁ  ମଙ୍ଗଳବାର ଏସବୁ  ନୀତି ପାଳନ କରାଯିବ ଓ ଦିନେ ବିଳମ୍ବରେ ଏଥର  ନୀଳାଦ୍ରିବିଜେ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ  ସୂଚନା ଦିଆଯାଇଛି ।  

ଶ୍ରୀଗୁଣ୍ଡିଚା ପରି ବାହୁଡ଼ା ଯାତ୍ରାରେ ମଧ୍ୟ ବ୍ରହ୍ମତାଳଧ୍ୱଜ ରଥ ଫସିଥିଲା । ରବିବାର ବାହୁଡ଼ା ଏକାଦଶୀ ଅବସରରେ ରଥଟଣା ଆରମ୍ଭ ହୋଇଥିବା ବେଳେ ମାଉସୀ ମା’ ମନ୍ଦିର ନିକଟରୁ ୩ରୁ ୪ ଦଉଡ଼ି ଯିବା ପରେ ରଥ ବାଟରେ ଦୁଇ ଥର ଅଟକି ଶେଷରେ ଚନ୍ଦନ ପୋଖରୀର ପ୍ରାୟ ୩୦୦ ଫୁଟ୍‌ ଆଗକୁ ରହିଥିଲା । ରଥ ବାମ ପଟକୁ ମାଡ଼ିମାଡ଼ି ଚାଲିବାରୁ ଫୁଟ୍‌ପାଥ୍‌ରେ ଥିବା  ଉଠାଦୋକାନ ଆଡ଼କୁ ପଶି ଆସିଥିଲା । ଜ୍ୟାକ୍‌  ମେସିନ୍‌ ଯୋଗେ ରଥକୁ ପଥକୁ ଅଣାଯାଇଥିଲେ ହେଁ  ସୂର୍ଯ୍ୟାସ୍ତ ପରେ ରଥଟଣା ହେବାର ବିଧି ନଥିବାରୁ  ବନ୍ଦ କରାଯାଇଥିଲା । 

ସୋମବାର ସକାଳେ ରଥଟଣା ହେବାକୁ  ସ୍ଥିର ହୋଇଥିଲା । ସକାଳ ପ୍ରାୟ ୮ଟାରେ ରଥଟଣା ହେବା ପୂର୍ବରୁ ଚେନ୍‌ ପୁଲି ମେସିନ୍‌ର ବ୍ୟବହାର କରାଯାଇଥିଲା । ବାରମ୍ବାର ଜ୍ୟାକ୍‌ ମେସିନ୍‌ ଲାଗିବା, ମରାମତି ପାଇଁ ଗୁଟ୍‌ଖା ବ୍ୟବହାର କରାଯିବାରୁ  ରଥ କ୍ରମେ ଦୁର୍ବଳ ହୋଇ ତଥା ପଛ ପାଶ୍ୱର୍ ଢଳି  ରହିବାରୁ ଚେନ୍‌ ପୁଲି ବ୍ୟବହାର କରାଯାଇଥିଲା ।  ରଥର ସୁରକ୍ଷା ପାଇଁ ବରାନ୍ଦରୁ ନାହାକା ମଧ୍ୟରେ  ୪ରୁ ୬ଟି କାଠ ବଟମ୍‌ ଦିଆଯାଇଥିଲା । ଅପରାହ୍ଣ  ପ୍ରାୟ ୧୨ଟା ୨୦ରେ ଅଟକିଥିବା ସ୍ଥାନରୁ ପୂର୍ବବତ୍‌  ରଥଟଣା ଆରମ୍ଭ କରାଯାଇଥିଲା । ହେଲେ ତା’  ଭିତରେ ପଛପାଖ ଚକରେ ବାରମ୍ବାର ସମସ୍ୟା  ଦେଖାଯିବାରୁ ବାଟରେ ଦୁଇ ଥର ରଥ ଅଟକିଥିଲା ।  ଶ୍ୟାମାକାଳୀ ମଣ୍ଡପ ନିକଟରେ ଓ ପରେ ଯାତ୍ରୀ  ନିବାସ ପୂର୍ବରୁ ରଥ ଅଟକି ରହିବାରୁ ଏକାଧିକ  ଫାଟ ସୃଷ୍ଟି ହୋଇଥିବା ପଛ ଚକରେ କାଠ ବଟମ୍‌  ଦିଆଯାଇଥିଲା । ପରେ ପୁଲିସ, ଦେବୋତ୍ତର  ସଂସ୍ଥାର ପୂର୍ବତନ କର୍ମଚାରୀ, ସେବାୟତ, ଡାହୁକ,  ସେବକ ଓ ସହସ୍ରାଧିକ ଶ୍ରଦ୍ଧାଳୁ ରଥକୁ ଟାଣିନେଇ  ବଡ଼ଦେଉଳ ଚକଡ଼ାରେ ଲଗାଇଥିଲେ। ସେମବାର ଅପରାହ୍ଣ  ପ୍ରାୟ ୪ଟା ୧୫ରେ ରଥ ଚକଡ଼ା ଛୁଇଁଥିଲା ।  

ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଧାଡ଼ି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ । ସକାଳେ ନୀତିସ୍ନାନ ବଢ଼ିବା ପରେ ରଥ ଉପରେ ଶ୍ରୀଜିଉମାନଙ୍କୁ ରଘୁନାଥ ବେଶରେ ସଜ୍ଜିତ କରାଯିବ । ସନ୍ଧ୍ୟାରେ  ଠାକୁରମାନଙ୍କୁ ଅଧରପଣା ଲାଗି ପରେ ପହଣ୍ଡି  ବିଜେ କରାଯାଇ ରତ୍ନ ସିଂହାସନକୁ ଅଣାଯିବା  କାର୍ଯ୍ୟକ୍ରମ ରହିଛି ।  

ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ  ବଳଭଦ୍ର ପତ୍ରୀଙ୍କ କହିବାନୁସାରେ,  ତୁଳସୀକ୍ଷେତ୍ରରେ ବିଧି ରହିଛି କି ବାହୁଡ଼ା  ଯାତ୍ରାରେ ଯେଉଁଦିନ ଠାକୁରମାନେ ବଡ଼ଦେଉଳ  ଚକଡ଼ା ଛୁଇଁବେ, ତା’ ପରଦିନ ସକାଳେ ରଘୁନାଥ  ବେଶ ଓ ସନ୍ଧ୍ୟାରେ ନୀଳାଦ୍ରି ବିଜେ ଉତ୍ସବ  ଅନୁଷ୍ଠିତ ହେବ । ଏଣୁ ଆସନ୍ତାକାଲି ଅପରାହ୍ଣରେ  ରଥାରୂଢ଼ ଠାକୁରଙ୍କୁ ରଘୁନାଥ ବେଶରେ ସଜ୍ଜିତ  କରାଯାଇ ସନ୍ଧ୍ୟାରେ ନୀଳାଦ୍ରି ବିଜେ ହେବ ।