ବ୍ରହ୍ମପୁର, ୨୭/୦୫ : ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ପୁଲିସ । ସପ୍ତାହକ ଭିତରେ ୫ ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି । ଏହାସହ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆଇନଶୃଙ୍ଖଳାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ ସିଧା ବାର୍ତ୍ତା ଦେଇଛନ୍ତି, ଅପରାଧ ଓ ଅପରାଧୀଙ୍କୁ ଜିରୋ ଟଲରାନ୍ସ । କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ । ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ଓ ଥାନା ଆଇଆଇସି ସାମିଲ ହୋଇଛନ୍ତି । ପେସାଦାର ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ହୋଇଛି। 

ପେସାଦାର ଅପରାଧୀମାନେ ଥାନାରେ ହାଜିରା ଦେବେ ଏବଂ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଉପରେ ପୁଲିସ ନଜର ରଖିବ । ଅପରାଧୀଙ୍କ ଟିକିନିଖି ତଥ୍ୟ ରହିବ । କେଉଁ ଅପରାଧୀ କେଉଁଠି ଗ୍ୟାଙ୍ଗ୍‌ ଗଢ଼ୁଛନ୍ତି, ଗ୍ୟାଙ୍ଗ୍‌ ଭିତରେ ପତିଆରା ଲଢ଼େଇ, କେଉଁ ଗ୍ୟାଙ୍ଗ୍‌କୁ କିଏ ଲିଡ୍‌ କରୁଛି- ସମସ୍ତ ତଥ୍ୟ ପୁଲିସ ସଂଗ୍ରହ କରିବ । ପେସାଦାର ଅପରାଧୀ ବିଭିନ୍ନ ମାମଲାରେ ଜେଲ୍‌ ଯାଉଛନ୍ତି । ସେମାନେ କେବେ ଜାମିନ୍‌ରେ ଆସୁଛନ୍ତି ତାର ତଥ୍ୟ ବି ରହିବ । ଅପରାଧୀଙ୍କୁ ଜାମିନ୍‌ କିଭଳି ନ ମିଳିବ ସେନେଇ କୋର୍ଟକୁ ଅନୁରୋଧ କରାଯିବ ବୋଲି ଏସ୍‌ପି କହିଛନ୍ତି । ଅପରାଧୀମାନେ ଜେଲ୍‌ରୁ ଆସିବା ପରେ କେଉଁ କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି ତାହା ଜାଣିବା ଆବଶ୍ୟକ । ସେମାନଙ୍କୁ ଥାନାକୁ ଡାକି କାଉନ୍‌ସେଲିଂ କରାଯିବ । ନ୍ୟାୟିକ ପ୍ରକ୍ରିୟାରେ ଅପରାଧୀଙ୍କୁ ଦଣ୍ଡ ଦେବା ସହ ସବୁ ଗତିବିଧି ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ହୋଇଛି।

ଏହି ଖବରଟିକୁ ପଢନ୍ତୁ-  ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୁଡ୍‌ରେ ଓଡ଼ିଶା ସରକାର, ତଡିପାର ହେବେ ଅନୁପ୍ରବେଶକାରୀ

ବ୍ରହ୍ମପୁର ସଦର, ନିମଖଣ୍ଡି ଓ ଟାଉନ୍‌ ଥାନାରେ ଅତିରିକ୍ତ ଆଇଆଇସିଙ୍କୁ ନିଯୁକ୍ତି ଦିଆଯାଇଛି । ସହରରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ଅପରାଧୀମାନେ ପତିଆରା ଜାହିର କରିବାକୁ ଅପରାଧ ଘଟାଉଛନ୍ତି । ଅନେକ ଗ୍ୟାଙ୍ଗ୍‌ ଏବେ ସୃଷ୍ଟି ହୋଇଥିବାବେଳେ ସେମାନେ ମାଉଜର କାରବାର, ଗଞ୍ଜେଇ, ବ୍ରାଉନ୍‌ସୁଗର କାରବାରରେ ଲିପ୍ତ ରହୁଛନ୍ତି । ସେହି କାରବାରରେ ମଧ୍ୟ ପତିଆରା ପାଇଁ ଲଢ଼େଇ ହେଉଛି । ଏହାର ତଥ୍ୟ ସଂଗ୍ରହ କରି ଅପରାଧୀଙ୍କୁ ଗିରଫ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବଛା ବଛା ଟିମ୍‌ କରାଯାଇଛି । ଆଜି ଗୋସାଇଁନୂଆଗାଁ ଥାନା ଓ ଟାଉନ୍‌ ଥାନା ଅଞ୍ଚଳରେ ପୁଲିସର ଫୁଟ୍‌ମାର୍ଚ୍ଚ ହୋଇଛି।