ନୂଆଦିଲ୍ଲୀ, ୧୦।୭: ବିଶ୍ୱର ସବୁଠାରୁ ଦ୍ରୁତ ସୁପରସୋନିକ କ୍ରୁଜ୍ ମିସାଇଲ୍ ମଧ୍ୟରେ ଅନ୍ୟତମ 'ବ୍ରହ୍ମୋସ' । 'ଅପରେସନ୍ ସିନ୍ଦୂର' ପରେ ସମଗ୍ର ବିଶ୍ୱରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବ୍ରହ୍ମୋସର ନେକ୍ସଟ୍ ଜେନେରେସନ୍ ଅର୍ଥାତ୍ ବ୍ରହ୍ମୋସ-NGର ଓଜନ ଏବେ ଚୂଡ଼ାନ୍ତ କରାଯାଇଛି । ଏହି ନୂତନ ମିସାଇଲ୍ ହାଲୁକା ହୋଇଥିବାରୁ ଏହାକୁ କେବଳ ସୁଖୋଇ-୩୦ MKI ନୁହେଁ, ବରଂ ରାଫାଲ୍, ତେଜସ୍ MK1/MK1A ଏବଂ ଭବିଷ୍ୟତର ସ୍ୱଦେଶୀ ଯୁଦ୍ଧବିମାନଗୁଡ଼ିକରେ ମଧ୍ୟ ସହଜରେ ଖଞ୍ଜା ଯାଇପାରିବ । ବ୍ରହ୍ମୋସ ଏରୋସ୍ପେସ୍‌ର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ରହ୍ମୋସ-NG ର ଓଜନ ପ୍ରାୟ ୧.୨ ଟନ୍ ହେବ, ଯାହା ବର୍ତ୍ତମାନର ଏୟାର-ଲଞ୍ଚ୍ ବ୍ରହ୍ମୋସ ତୁଳନାରେ ଅଧାରୁ କମ୍ । ଏହା ମ୍ୟାକ୍ ୩.୫ର ପ୍ରଚଣ୍ଡ ବେଗରେ ଅର୍ଥାତ୍ ଘଣ୍ଟା ପ୍ରତି ପ୍ରାୟ ୪୩୦୦ କିଲୋମିଟର ବେଗରେ ଶତ୍ରୁ ଉପରକୁ ମାଡ଼ିଯିବ । ଏହାର ଆଟାକ୍ କ୍ଷମତା ୨୯୦ କିଲୋମିଟର ପର୍ଯ୍ୟନ୍ତ ରହିବ ।

ଓଜନ ହ୍ରାସ ପାଇଥିବାରୁ ଏହାକୁ ଭାରତୀୟ ସୀମା ଭିତରେ ଥାଇ ଆକାଶମାର୍ଗରୁ ଶତ୍ରୁ ଦେଶ ଉପରକୁ ନିକ୍ଷେପ କରାଯାଇପାରିବ । ଯାହାଫଳରେ ପାକିସ୍ତାନର ସୀମାବର୍ତ୍ତୀ ପ୍ରମୁଖ ସହର ଏହାର ସିଧାସଳଖ ଟାର୍ଗେଟ୍‌ ରେ ରହିବେ । ବ୍ରହ୍ମୋସ-NGର କମ୍ ଓଜନ ଯୋଗୁଁ ଏବେ ରାଫାଲ୍ ଏବଂ ତେଜସ୍ MK1/MK1A ଭଳି ହାଲୁକା ଯୁଦ୍ଧବିମାନଗୁଡ଼ିକ ଏକାସଙ୍ଗେ ଦୁଇଟି ଲେଖାଏଁ ମିସାଇଲ୍ ବହନ କରି ଉଡ଼ାଣ ଭରିପାରିବେ । ଏହାଦ୍ୱାରା ଭାରତୀୟ ବାୟୁସେନାର ଦୂରଗାମୀ ସଠିକ୍ ଆକ୍ରମଣ କ୍ଷମତା ବହୁ ଗୁଣିତ ହୋଇଯିବ । ତେଜସ୍ ଯୁଦ୍ଧବିମାନ ପ୍ରଥମ ଥର ପାଇଁ ଏଭଳି ଏକ ଶକ୍ତିଶାଳୀ ଷ୍ଟାଣ୍ଡ-ଅଫ୍ ଷ୍ଟ୍ରାଇକ୍ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ ।

ଏହା ବି ପଢ଼ନ୍ତୁ... ​​​​​​​Monsoon Update: ସାରା ଦେଶକୁ ଛୁଇଁଲା ମୌସୁମୀ ବାୟୁ, ଉତ୍ତରରୁ ଦକ୍ଷିଣ ସବୁଠି ବର୍ଷା ବିତ୍ପାତ, ଅନେକ ସ୍ଥାନରେ ଭୂସ୍ଖଳନ ଓ ବନ୍ୟା

ଏହି ନୂତନ ମିସାଇଲ୍ ଦ୍ୱାରା ସବୁଠାରୁ ଅଧିକ ଲାଭବାନ ହେବ ଭାରତର ସୁଖୋଇ-୩୦ MKI । ଅଧିକ ପେଲୋଡ୍ କ୍ଷମତା ଥିବାରୁ ଗୋଟିଏ ସୁଖୋଇ ବିମାନ ଏକାସଙ୍ଗେ ୫ଟି ବ୍ରହ୍ମୋସ-NG ମିସାଇଲ୍ ନେଇ ଆକାଶକୁ ଅବତରଣ କରିପାରିବ । ଫଳରେ ଗୋଟିଏ ବିମାନ ଏକାଧିକ ସାମୁଦ୍ରିକ ଏବଂ ସ୍ଥଳଭାଗର ଲକ୍ଷ୍ୟକୁ ଏକ ସମୟରେ ଧ୍ୱଂସ କରିବାର କ୍ଷମତା ହାସଲ କରିବ । ବ୍ରହ୍ମୋସ-NG ପାଇଁ ଏକ ସ୍ୱତନ୍ତ୍ର ୟୁନିଭର୍ସାଲ ଏୟାର-ଲଞ୍ଚ ପାଇଲନ ବିକଶିତ କରାଯାଉଛି । ଏହା ଭାରତୀୟ, ରୁଷୀୟ ଏବଂ ଫ୍ରାନ୍ସ ନିର୍ମିତ ସମସ୍ତ ଯୁଦ୍ଧବିମାନ ପାଇଁ ଉପଯୋଗୀ ହେବ । ଏହାଦ୍ୱାରା ଭିନ୍ନ ଭିନ୍ନ ବିମାନ ପାଇଁ ଅଲଗା ଲଞ୍ଚ ସିଷ୍ଟମର ଆବଶ୍ୟକତା ପଡ଼ିବ ନାହିଁ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ବ୍ରହ୍ମୋସ-NG ଆସିବା ପରେ ଭାରତୀୟ ବାୟୁସେନାକୁ କେବଳ ସୁଖୋଇ ବିମାନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଥିସହିତ ବିଶ୍ୱ ବଜାରରେ ଏହାର ଚାହିଦା ବେଶ୍ ବୃଦ୍ଧି ପାଇବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ପରୀକ୍ଷଣ ଶେଷ ହେଲେ, ଏହା ଭାରତର ସାମରିକ ଶକ୍ତି ବଢ଼ାଇବା ସହ ରକ୍ଷା ରପ୍ତାନି କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ।