ଝାରସୁଗୁଡ଼ା/ବ୍ରଜରାଜନଗର,୦୨/୦୩: ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା  ଭୋଟ୍‌ରେ ପୌରାଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ଯାଜ୍ଞସେନୀ ଓରାମ୍‌ ।  ଅନାସ୍ଥା ଭୋଟ ଗଣତିରେ  ସପକ୍ଷରେ ୨୨ଟି ଭୋଟ୍‌ ପଡ଼ିଛି । ବିପକ୍ଷରେ ମାତ୍ର ଗୋଟିଏ  ଭୋଟ୍‌ ପଡ଼ିଛି । ଅନାସ୍ଥା ମତଦାନ ଗଣତି ରିପୋର୍ଟ  ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ନୁହେଁ ବରଂ  ବ୍ରଜରାଜନଗରର ବିକାଶ ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ଆଗତ  କରାଯାଇଥିଲା । ଏହାଦ୍ୱାରା ବ୍ରଜରାଜନଗରବାସୀଙ୍କ ସ୍ୱାର୍ଥରକ୍ଷା  ହୋଇ ପାରିଛି ବୋଲି ଉପାଧ୍ୟକ୍ଷ ଶ୍ରୀ ସିତାନୀ କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୩ଟି ୱାର୍ଡ ବିଶିଷ୍ଟ ବ୍ରଜରାଜନଗର  ପୌର ପରିଷଦରେ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ  ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ ବିଜେଡିର  ଯାଜ୍ଞସେନୀ ଓରାମ୍‌ । ପୌର ପରିଷଦରେ ବିଜେଡିର  ୨୦, ବିଜେପିର ୨ ଏବଂ ବିଏସ୍‌ପିର ଜଣେ କାଉନସିଲର ରହିଛନ୍ତି । ହେଲେ ପୌରାଧ୍ୟକ୍ଷାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ  ପ୍ରକାଶ କରି ତାଙ୍କ ବିରୋଧ ଅନାସ୍ଥା ଆଣିଥିଲେ ଦଳୀୟ କାଉନ୍‌ସିଲର । ଏନେଇ ପୌରାଧ୍ୟକ୍ଷା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ଜାନୁଆରୀ ୧୫ରେ ଅନାସ୍ଥା ଭୋଟ୍‌  ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଫଳାଫଳ  ଘୋଷଣା ସ୍ଥଗିତ ଥିଲା । ଶୁକ୍ରବାର ପୌରାଧ୍ୟକ୍ଷାଙ୍କ ପିଟିସନ  ଖାରଜ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ଭୋଟ  ଗଣତି କରାଯାଇଥିଲା । ଅନାସ୍ଥା ଭୋଟରେ ଯାଜ୍ଞସେନୀ ଓରାମ୍‌ ପଦଚ୍ୟୁତ ହୋଇଛନ୍ତି।  ନୂତନ ପୌରାଧ୍ୟକ୍ଷା ନିର୍ବାଚିତ ନ ହେବା ଯାଏଁ  ଉପାଧ୍ୟକ୍ଷ ହିଁ ପୌରାଧ୍ୟକ୍ଷ ଦାୟିତ୍ୱରେ ରହିବେ ବୋଲି  ଜଣାପଡ଼ିଛି ।