ନୂଆଦିଲ୍ଲୀ ୨୩/୦୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ତୃତୀୟ ସପ୍ତାହରେ ପହଞ୍ଚିଛି । ଇତିମଧ୍ୟରେ ବ୍ରିଟେନ୍ ଏକ ବଡ଼ ସାମରିକ ଗୋଟିଚାଳନା କରିଛି । ବ୍ରିଟିଶ୍ ରୟାଲ ନୌସେନା ନିଜର ସବୁଠୁ ଆଧୁନିକ ତଥା ଆଣବିକ ଶକ୍ତି ଦ୍ୱାରା ପରିଚାଳିତ ‘ଏଚ୍ଏମ୍ଏସ୍ ଆନସନ୍’ବୁଡ଼ାଜାହାଜକୁ ଉତ୍ତର ଆରବ ସାଗରରେ ମୁତୟନ କରିଛି । ଟୋମାହକ୍ କ୍ରୁଜ୍ ମିସାଇଲ୍ ଏବଂ ସ୍ପିଅରଫିସ୍ ହେଭିୱେଟ୍ ଟର୍ପିଡୋଯୁକ୍ତ ଏହି ବୁଡ଼ାଜାହାଜ ୧୦୦୦ ମାଇଲ୍(୧୬୦୦କିମି )ଯାଏ ଲକ୍ଷ୍ୟଭେଦ କରି ଟାର୍ଗେଟ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିପାରିବ । ଏପରିସ୍ଥଳେ ଏହି ବୁଡ଼ାଜାହାଜର ମୁତୟନକୁ ଇରାନ ଲାଗି ଏକ କଡ଼ା ସନ୍ଦେଶ ଭାବେ ଦେଖାଯାଉଛି । ବିଶେଷଜ୍ଞଙ୍କ ମତରେ ଯଦି ଯୁଦ୍ଧ ଆଗକୁ ଆହୁରି ବଢ଼େ ଏବଂ ଆମେରିକାର ସ୍ଥିତି ଦୁର୍ବଳ ହୁଏ ତେବେ ବ୍ରିଟେନ୍ର ଏହି ବୁଡ଼ାଜାହାଜ ଇରାନୀ ଠିକଣା ଉପରେ ଆକ୍ରମଣ କରିପାରେ । ତେବେ ବ୍ରିଟେନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବୁଡ଼ାଜାହାଜର ମୁତୟନ ନେଇ କୌଣସି କୌଣସି ପ୍ରତିକ୍ରିୟା ରଖିନାହିଁ ।
ଚଳିତମାସ ୬ ତାରିଖରେ ବୁଡ଼ାଜାହାଜଟି ଅଷ୍ଟ୍ରେଲିଆର ପର୍ଥରୁ ବାହାରିଥିଲା । ପ୍ରାୟ ୫୫୦୦ ମାଇଲ୍ ଦୂରତା ଅତିକ୍ରମ କରିବା ପରେ ଆରବ ସାଗରର ଉତ୍ତର ଅଞ୍ଚଳରେ ଗଭୀର ଜଳରେ ପହଞ୍ଚିଛି । ଲଣ୍ଡନସ୍ଥିତ ସ୍ଥାୟୀ ସଂଯୁକ୍ତ ମୁଖ୍ୟାଳୟ ସହ ଯୋଗାଯୋଗ କରିବାକୁ ଏହି ବୁଡ଼ାଜାହାଜ ପ୍ରତି ୨୪ ଘଣ୍ଟାରେ ପୃଷ୍ଠକୁ ଉଠିଥାଏ ବୋଲି କୁହାଯାଉଛି । ଅବଶ୍ୟ କୌଣସି ପ୍ରକାର ଆକ୍ରମଣ କରିବା ପୂର୍ବରୁ ବୁଡ଼ାଜାହାଜର କ୍ୟାପ୍ଟେନଙ୍କୁ ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେବାକୁ ପଡିବ । ସେହି ନିର୍ଦ୍ଦେଶ ଚିଫ୍ ଅଫ୍ ଜଏଣ୍ଟ ଅପରେସନ୍ସଙ୍କ ଜରିଆରେ କ୍ୟାପଟେନ୍ଙ୍କ ନିକଟରେ ପହଞ୍ଚାଯିବ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ଏହି ବୁଡ଼ାଜାହାଜ ସମୁଦ୍ର ପୃଷ୍ଠ ନିକଟକୁ ଯାଇ ଏକାଥରକେ ୪ଟି ମିସାଇଲ୍ ମାଡ଼ କରିବ ବୋଲି କୁହାଯାଉଛି ।
ସୂଚନାଥାଉକି, ଫେବ୍ରୁଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟପ୍ରାଚ୍ୟର ପ୍ରମୁଖ ଜଳମାର୍ଗ ହୋର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଦେଇଛି । ଫଳରେ ସେହି ଜଳମାର୍ଗରେ ଜାହାଜ କିମ୍ବା ତୈଳ ବା ଗ୍ୟାସ୍ ଟ୍ୟାଙ୍କର ଚଳାଚଳ ବନ୍ଦ ରହିଛି । ଏପରିକି କେତେକ ଟ୍ୟାଙ୍କର ଉପରେ ଇରାନ ମଧ୍ୟ ଆକ୍ରମଣ କରିଛି । ଏପରିସ୍ଥଳେ ବ୍ରିଟେନ ସମେତ ୨୨ଟି ଦେଶ ଉପସାଗରରେ ଜାହାଜ ଉପରେ ଇରାନର ଆକ୍ରମଣ ଏବଂ ସାମୁଦ୍ରିକ ମାର୍ଗକୁ ବନ୍ଦ କରିବାକୁ କଡ଼ା ନିନ୍ଦା କରିଛନ୍ତି । ସେହିପରି ବ୍ରିଟିଶ୍ ସରକାର ହୋର୍ମୁଜ ପ୍ରଣାଳୀ ଲାଗି ବିପଦ ସୃଷ୍ଟି କରୁଥିବା ଇରାନୀ ସୈନ୍ୟ ଠିକଣା ଉପରେ ଆକ୍ରମଣ ଲାଗି ନିଜର ସାମରିକ ଘାଟିକୁ ବ୍ୟବହାର କରିବାକୁ ଆମେରିକାକୁ ଅନୁମତି ଦେଇଛନ୍ତି ।
ଆହୁରି ପଢ଼ନ୍ତୁ...ଟ୍ରମ୍ପଙ୍କୁ ସତର୍କ କରାଇଲେ ଲାଡେନ ହତ୍ୟାର ପ୍ଲାନ ପ୍ରସ୍ତୁତ କରିଥିବା CIAର ପୂର୍ବତନ ମୁଖ୍ୟ