ନୂଆଦିଲ୍ଲୀ,୧୧/୦୨: ଆମେରିକୀୟ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ସହ ଜଡି଼ତ ସେକ୍ସ ସ୍କାଣ୍ଡାଲରେ ନାମ ସାମ୍ନାକୁ ଆସିବା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ସବୁଠୁ ବିଶ୍ୱସ୍ତ ସହଯୋଗୀ ତଥା ଡାଉନିଂ ଷ୍ଟ୍ରିଟ୍ର ଚିଫ୍ ଅଫ୍ ଷ୍ଟାଫ୍ ମାର୍ଗନ୍ ମ୍ୟାକସିନି ରବିବାର ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ଏପଷ୍ଟିନର ସମର୍ଥନ କରିଥିବା ପିଟର ମଣ୍ଡେଲସନଙ୍କୁ ଆମେରିକାରେ ବ୍ରିଟେନର ରାଷ୍ଟ୍ରଦୂତ କରି ପଠାଇଥିବା ଅଭିଯୋଗ ରହିଛି ।

ଆବହୁରି ପଢନ୍ତୁ-ବଡ଼ ଖବର; ସ୍କୁଲରେ ଆତତାୟୀର ଆଖିବୁଜା ଗୁଳିମାଡ଼, ଚାଲିଗଲା ୧୦ ଜୀବନ

ଏହାପରେ ଏବେ ସେହି ବିବାଦ ଲାଗି ଷ୍ଟାର୍ମରଙ୍କ ଚୌକି ବିପଦରେ ଥିବା ଚର୍ଚ୍ଚା କରାଯାଉଛି । ତାଙ୍କ ନିଜ ଦଳ ଲେବର ପାର୍ଟିର ଏକ ଗୋଷ୍ଠୀ ଷ୍ଟାର୍ମରଙ୍କ ଇସ୍ତଫା ଦାବି କରୁଛନ୍ତି । ଅବଶ୍ୟ ତମାମ ବିରୋଧ ସତ୍ତେ୍ୱ ସେ ଏବେ ପଦ ଛାଡ଼ିବାକୁ ମନା କରିଛନ୍ତି । ସୋମବାର ଷ୍ଟାର୍ମର କହିଥିଲେ ଯେ, ସରକାର ଚଳାଇବାର ସଂକଳ୍ପ ସାର୍ବଜନିକ କର୍ତ୍ତବ୍ୟ ସହ ବାନ୍ଧି ହୋଇଛି । ତେଣୁ ବିବାଦ ମଧ୍ୟରେ ବି ସେ ଦେଶକୁ ବଦଳାଇବାର କାର୍ଯ୍ୟ ଜାରି ରଖିବେ । ସେହିପରି ପିଟର ମଣ୍ଡେଲସନ୍ଙ୍କ ନିଯୁକ୍ତି ନିଷ୍ପତ୍ତି ଭୁଲ୍ ଥିବା ସେ ଦର୍ଶାଇଥିଲେ । ଯଦି ଚାପବଶତଃ ଷ୍ଟାର୍ମର ଆଗକୁ ଇସ୍ତଫା ଦିଅନ୍ତି ତେବେ କାଶ୍ମୀର ବଂଶୋଦ୍ଭବ ଶବାନା ମହମୁଦ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି । ମହମୁଦ ଏବେ ବ୍ରିଟେନ୍ର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।