ନୂଆଦିଲ୍ଲୀ ୨୨/୧୦: ଫ୍ୟାନ୍‌ଙ୍କୁ ଝଟ୍‌କା ଦେଇଛନ୍ତି ଆମେରିକୀୟ ଗାୟିକା ବ୍ରିଟନି ସ୍ପିୟର୍ସ । ସେ ନିଜକୁ ବିବାହ କରିଥିବା ଘୋଷଣା କରିଛନ୍ତି । ବିବାହ ପୋଷାକ ଓ ଓଢ଼ଣାରେ ନିଜର କିଛି ଫଟୋ ଓ ଭିଡିଓ ସେ ଶେୟାର କରିଛନ୍ତି । ଏଥିସହ ଉଲ୍ଲେଖ କରିଛନ୍ତି, ଏହା ଅଦ୍ୟାବଧି ସେ କରିଥିବା ସବୁଠୁ ବୁଦ୍ଧିମାନ କାମ । ଗତକାଲି ଅର୍ଥାତ୍‌ ସୋମବାର ବ୍ରିଟନି ନିଜର ଏକ ଭିଡିଓ ଶେୟାର କରିଥିଲେ । ଏଥିରେ ସେ ଏକ ଧଳା ସାଟିନ୍‌ ବିବାହ ଗାଉନ୍‌ ପିନ୍ଧିଥିଲେ ଏବଂ ମୁଣ୍ଡରେ ଓଢ଼ଣା ପକାଇଥିଲେ । ଭିଡିଓର କ୍ୟାପ୍‌ସନରେ ଲେଖିଥିଲେ ‘ମୋ ବିବାହର ଦିନ । ଏହା ଅଜବ କିମ୍ବା ମୂର୍ଖତା ଭଳି ମନେ ହେଉଥିବ । କିନ୍ତୁ ଏହା ମୋର ଏପର୍ଯ୍ୟନ୍ତର ସବୁଠୁ ଚମତ୍କାର କାମ ।’ 

ଆଉ ଏକ ଭିଡିଓରେ ୪୨ ବର୍ଷୀୟା ଏହି ପପ୍‌ ଆଇକନ୍‌ ଧଳା ରଙ୍ଗର ଗାଉନ୍‌, କଳା ବୁଟ୍‌ ଓ ମ୍ୟାଚିଂ ଚଷମାରେ ନଜର ଆସିଛନ୍ତି । କ୍ୟାପ୍ସନ୍‌ରେ ଟର୍କସ୍‌ ଓ ସିଆକୋସ୍‌ ଦ୍ୱୀପକୁ ନିଜର ପ୍ରସ୍ଥାନ ବିଷୟରେ ଘୋଷଣା କରିଛନ୍ତି । ଏକ ଖାଲି ଚର୍ଚ୍ଚର ଫଟୋ ମଧ୍ୟ ସେ ଶେୟାର କରିଛନ୍ତି । ଏଥିରେ କୌଣସି କ୍ୟାପ୍ସନ୍‌ ଲେଖିନାହାନ୍ତି । ତା’ପରେ ହଳଦିଆ ରଙ୍ଗର ବିକିନି ପିନ୍ଧି ସ୍ୱିମିଂ ପୁଲ୍‌ରେ ଖରାକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ବ୍ରିଟନି ୨୦୨୩ ମସିହା, ମେ’ରେ ସ୍ୱାମୀ ସ୍ୟାମ୍‌ ଅସ୍‌ଘରୀଙ୍କ ସହ ୧୪ ମାସର ବିବାହ ସମ୍ପର୍କ ଛିନ୍ନ କରି ବିବାହ ବିଚ୍ଛେଦ ଘୋଷଣା କରିଥିଲେ ।