ନୂଆଦିଲ୍ଲୀ, ୨୭।୧୨: ଆସନ୍ତା ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫- ୨୬ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଉପସ୍ଥାପନ କରିବେ । ଅର୍ଥନୀତିକୁ ବଳ ଦେବା ପାଇଁ ଏଥର ଆସିପାରେ ଅନେକ ଘୋଷଣା । ତେବେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗ୍ରାମୀଣ ଅର୍ଥନୀତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇପାରେ । ଏକ ରିପୋର୍ଟ ଅନୁସାରେ, ଆସନ୍ତା ବଜେଟ୍‌ରେ ଗ୍ରାମୀଣ ସଡ଼କ ପାଇଁ ୧୦% ଅଧିକ ବ୍ୟୟବରାଦ ହୋଇପାରେ ।   ଏହା ମାଧ୍ୟମରେ ଅର୍ଥନୀତି ଉପରେ ବହୁଗୁଣା ପ୍ରଭାବ ଦେଖିବାକୁ ମିଳିବ । ଗ୍ରାମୀଣ ଭିତ୍ତିଭୂମି ମଜଭୂତ ହେବା ସହ ସମଗ୍ର ଅର୍ଥବ୍ୟବସ୍ଥା ତ୍ୱରାନ୍ୱିତ ହେବ ବୋଲି ଆଶା ରହିଛି । ପ୍ରକାଶଯୋଗ୍ୟ, ଚଳିତ ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୪-୨୫ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ୱାଇ) ପାଇଁ ୧୬,୧୦୦ କୋଟି ଟଙ୍କାର ବଜେଟ୍‌ବରାଦ କରାଯାଇଛି । 

ସଂଶୋଧିତ ଆକଳନ ଅନୁସାରେ, ୨୦୨୩-୨୪ ଆର୍ଥିକବର୍ଷରେ ପିଏମ୍‌ଜିଏସ୍‌ୱାଇକୁ ୧୪,୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ବର୍ଷ ପାଇଁ ବ୍ୟୟବରାଦ ବଢ଼ାଯାଇଥିଲା । ଆସନ୍ତା ବର୍ଷ ପାଇଁ ମଧ୍ୟ ଏଥିରେ ଆଖିଦୃଶିଆ ବୃଦ୍ଧି କରାଯାଇପାରେ ବୋଲି ଅନୁମାନ ରହିଛି । ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି ଏ ସୂଚନା ଦେଇଛନ୍ତି । ନରେନ୍ଦ୍ର ମୋଦି ସରକାର ପିଏମ୍‌ଜିଏସ୍‌ୱାଇର ଚତୁର୍ଥ ପର୍ଯ୍ୟାୟ ମାଧ୍ୟମରେ ୫ ବର୍ଷରେ ୬୨,୫୦୦ କିମି ଗ୍ରାମୀଣ ସଡ଼କ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହା ମାଧ୍ୟମରେ ସରକାର ୨୫,୦୦୦ ଗ୍ରାମକୁ ଯୋଡ଼ିବାକୁ ଯୋଜନା ପ୍ରସ୍ତୁତ କରିଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି । ଜୁଲାଇ ମାସରେ ହୋଇଥିବା ଅନ୍ତରୀଣ ବଜେଟ୍‌ରେ କେନ୍ଦ୍ର ସରକାର ପିଏମ୍‌ଜିଏସ୍‌ୱାଇର ଚତୁର୍ଥ ପର୍ଯ୍ୟାୟକୁ ଘୋଷଣା କରିଥିଲେ । ଦୂରାନ୍ତ ଅଞ୍ଚଳଗୁଡ଼ିକରେ ସଡ଼କ ସଂଯୋଗ ବଢ଼ାଇବା ସହ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ଦାରିଦ୍ର‌୍ୟ ଦୂରୀକରଣ ଏହାର ଉଦ୍ଦେଶ୍ୟ । 

ଚଳିତବର୍ଷ ସେପ୍ଟେମ୍ବରରେ ସରକାର ୫ ବର୍ଷ ପାଇଁ ଚାଲିବାକୁ ଥିବା ପିଏମ୍‌ଜିଏସ୍‌ୱାଇର ନୂଆ ପର୍ଯ୍ୟାୟ ପାଇଁ ୭୦,୧୨୫ କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁର କରିଥିଲେ । ଚଳିତମାସ ପ୍ରଥମାର୍ଦ୍ଧରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶୀବରାଜ ସିଂହ ଚୌହାନ କହିଲେ ଯେ, ଚତୁର୍ଥ ପର୍ଯ୍ୟାୟ ଅଧୀନରେ ୬,୬୧୪ କିମିର ଗ୍ରାମୀଣ ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇସାରିଛି । ଏହି ୬,୬୧୪ କିମି ମଧ୍ୟରୁ ୩,୩୮୦ କିମି ସଡ଼କ କେବଳ ପଶ୍ଚିମବଙ୍ଗରେ ନିର୍ମାଣ ହେବ । ଚୌହାନଙ୍କ ଅନୁସାରେ, ୨୦୦୦ ମସିହା ଶେଷ ଭାଗରେ ଏହି ସ୍କିମ୍‌ର ଆରମ୍ଭ ହେବା ପରଠାରୁ ଏଯାବତ୍‌ ୭୬୯,୨୮୪ କିମିରୁ ଊର୍ଦ୍ଧ୍ୱ ଗ୍ରାମୀଣ ସଡ଼କ ନିର୍ମାଣ ହୋଇଛି । ସ୍କିମ୍‌ର ସମ୍ପ୍ରସାରଣ ପାଇଁ ତଥା କାର୍ଯ୍ୟାନ୍ୱୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ନୂଆ ପର୍ଯ୍ୟାୟକୁ ଅଣାଯାଇଛି । ଚଳିତବର୍ଷ ଏପ୍ରିଲ ୨ ସୁଦ୍ଧା ଏ ସ୍କିମ୍‌ ଅଧୀନରେ ଚିହ୍ନଟ ୯୦%ରୁ ଅଧିକ ସଡ଼କ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ମାଣ ହୋଇଛି । ଗୋଆରେ ୧୦୦% ସଡ଼କ ନିର୍ମାଣ ହୋଇଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ୮୦ରୁ ୯୦% ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଣ୍ଡାମାନ ନିକୋବର ଏବଂ ଲଦାଖ ଓ ପୁଡୁଚେରୀରେ ୬୦ରୁ ୭୨% ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି ।