ନୂଆଦିଲ୍ଲୀ : ଦିଲ୍ଲୀରେ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ୱର -୧ର ସାମ୍ନାରେ ଗତ ସୋମବାର ଅର୍ଥାତ୍ ୧୦ ନଭେମ୍ୱରରେ ହୋଇଥିବା କାର୍ ବିସ୍ଫୋରଣର ଠିକ୍ ପରେ ଏକ ନୂଆ ଭଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିସ୍ଫୋରଣ ପରେ ସଂପୃକ୍ତ ଅଞ୍ଚଳରେ ଖେଳି ଯାଇଥିବା ଆତଙ୍କ ସ୍ପଷ୍ଟ ଦେଖାଯାଉଛି। ଏହି ସିସିଟିଭି ଭିଡ଼ିଓରେ ଘଟଣାସ୍ଥଳରେ ବିସ୍ଫୋରଣର ପ୍ରଭାବରେ ଗାଡ଼ି ଗୁଡ଼ିକ ଜଳୁ ଥିବାର ଦେଖାଯାଉଛି , ତ କିଛି ସାଧାରଣ ଲୋକ ଘଟଣା ସ୍ଥଳରୁ ଦୌଡ଼ି ପଳାଉଛନ୍ତି। ସେପଟେ କିଛି ଲୋକ ଘଟଣା ସ୍ଥଳରେ ଲୋକଙ୍କ ସାହାଯ୍ୟ ପାଇଁ ଯାଉ ଥିବାର ଦେଖାଯାଉଛି। ଭିଡ଼ିଓରେ ଦୁଇ-ତିନି ଜଣ ପୁଲିସକର୍ମୀ ମଧ୍ୟ ଦେଖା ଯାଉଛି, ଯିଏକି ଆହତ ଲୋକଙ୍କ ସାହାଯ୍ୟ କରିବା ଓ ତାଙ୍କ ପାଇଁ ବ୍ୟବସ୍ଥା କରୁଥିବାର ନଜର ଆସୁଛି।

ଏହା ପୂର୍ବରୁ ଶନିବାର ହିଁ ଏହି ବିସ୍ଫୋରଣର ଆଉ ଏକ ସିସିଟିଭି ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି,ଯେଉଁଥିରେ ବିସ୍ଫୋରଣ ପୂର୍ବରୁ ଓ ଏହାପରବର୍ତ୍ତୀ ମୂହୁର୍ତ୍ତକୁ ସ୍ପଷ୍ଟ ଭାବେ ଦେଖି ପାରିବେ। ଏହି ଭିଡ଼ିଓରେ ବିସ୍ଫୋରଣର ତୀବ୍ରତା ଓ ଏହାର ପ୍ରଭାବ ଖୁବ୍ ସ୍ପଷ୍ଟ ଦେଖାଯାଉଛି। ଏହି ଫୁଟେଜ୍ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ଭିତରେ ଲାଗିଥିବା ସର୍ଭିଲାନ୍ସ କ୍ୟାମେରାରୁ ପ୍ରାପ୍ତ ହୋଇଛି। ଫୁଟେଜ୍ରେ ଆରମ୍ଭରେ ଯାତ୍ରୀଙ୍କ ଗତିବିଧି ଦେଖାଯାଉଛି। କିଛି ସେକେଣ୍ଡ ପରେ ଏକ ଜୋରରେ କମ୍ପନ ଓ ଝଟକା ସହ ପୂରା ଷ୍ଟେସନ ଦୋହଲୁଥିବାର ଦେଖା ଯାଉଛି।

କହି ରଖୁଛୁ କି ଏହି କାର୍ ବିସ୍ଫୋରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ବିସ୍ଫୋରଣ ପରେ ଦିଲ୍ଲୀ ସରକାର ପ୍ରଭାବିତ ପରିବାର ପ୍ରତି ଗଭୀର ସମ୍ୱେଦନା ବ୍ୟକ୍ତ କରି ମୃତକ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବିସ୍ଫୋରଣରେ ଅସ୍ଥାୟୀ ଭାବେ ଅକ୍ଷମ ହୋଇଥିବା ପୀଡ଼ିତଙ୍କୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା କଥା କହିଥିଲେ। ଏହା ବ୍ୟତୀତ ଗୁରୁତର ଆହତ ବ୍ୟକ୍ତିଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କାର ସହାୟତା ଦେବାର କଥା କହି ଥିଲେ।