ବାଙ୍ଗିରିପୋଷି,୨୯/୧୨ : ବାଇକକୁ ପଛପଟୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ବାଙ୍ଗରିପୋଷି ଥାନା ଅନ୍ତର୍ଗତ କଳାବାଡ଼ିଆ ନିକଟ ୧୮ ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ସ୍ୱାମୀଙ୍କୁ ବାରିପଦା ପିଆରଏମ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଦୋରଖୋଲି ଗ୍ରାମର ଦୀପକ କୁମାର ପୁଷ୍ଟି ( ୩୦) ଓ ତାଙ୍କ ପତ୍ନୀ କଲ୍ୟାଣି ପଥାଳ(୨୫)ଙ୍କୁ ଧରି ଏକ ବାଇକ ଯୋଗେ ସାରସକଣାରୁ ବାରିପଦା କୌଣସି ଏକ କାର୍ଯ୍ୟରେ ଯାଉଥିଲେ । ତେବେ ୧୮ ନଂ ଜାତୀୟ ରାଜପଥ କଳାବାଡ଼ିଆ ନିକଟରେ ପଛ ପଟୁ ଆସୁଥିବା ଏକ ପିକନିକ ବସ୍ ଧକ୍କା ଦେଇଥିଲା ।
ଫଳରେ ପତ୍ନୀ କଲ୍ୟାଣିଙ୍କ ଅଣ୍ଟା ଓ ପେଟରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଥିଲେ । ଦୁର୍ଘଟଣା ଘଟାଇ ବସଟି ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ବାଙ୍ଗରିପୋଷି ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବାରିପଦା ବାରୁଣୀ ଘାଟରେ ମୃତକଙ୍କ ଶେଷକୃତ ସମ୍ପର୍ଣ୍ଣ ହୋଇଛି ।