ଗୋପାଳପୁର,୧୯/୦୪: ବ୍ୟବସାୟୀ ଅପହରଣକୁ ୫ ଦିନ। ପ୍ଲଟ୍ ବ୍ୟବସାୟୀ ସୁଧୀର କୁମାର ପାତ୍ରଙ୍କ ଅପହରଣ ଘଟଣାରେ ବୁଗୁଡ଼ା ଓ ହିଞ୍ଜିଳି ଅଞ୍ଚଳରୁ ଚାରିଜଣଙ୍କୁ ପୁଲିସ ଉଠାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ପର୍ଯ୍ୟନ୍ତ ପୁଲିସ ପହଞ୍ଚିପାରିନି । ଅପହରଣ ପଛରେ ବଡ଼ ଧରଣର ଜମି କାରବାର ବୋଲି ସନ୍ଦେହ କରାଯାଉଥିଲା । ବର୍ତ୍ତମାନ ସମ୍ପତ୍ତି ବିବାଦ ବି କାରଣ ହୋଇପାରେ ବୋଲି ପୁଲିସ ତଦନ୍ତରେ ଜଣାପଡିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ପାଖରେ ପୁଲିସ ପହଞ୍ଚିନଥିବାରୁ ବିଶେଷ ସୂଚନା ଦେଇନାହିଁ । ସେପଟେ ଅପହରଣ କରିବାକୁ ବହୁ ଆଗରୁ ଯୋଜନା ହୋଇଥିଲା ଏବଂ ଏଥିରେ ବହୁ ଲୋକଙ୍କ ସଂପୃକ୍ତି ଥିବା ପୁଲିସ ତଦନ୍ତରେ ଜଣାପଡିଛି ।

ଗତ ୧୫ ତାରିଖ ସନ୍ଧ୍ୟାରୁ ସୁଧୀରଙ୍କୁ ଅପହରଣ କରାଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି । ସୁଧୀର ଏବେ କୋଉଠି ଏବଂ କେମିତି ଅଛନ୍ତି କିଛି ସ୍ପଷ୍ଟ ହୋଇପାରୁ ନାହିଁ । ସିସିଟିଭି ଫୁଟେଜ୍ ଏବଂ ଫୋନ୍ କଲ୍ ରେକର୍ଡକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପୁଲିସର ସାଇବର ଏକ୍ସପର୍ଟମାନେ ବିଭିନ୍ନ ସୂତ୍ରକୁ ଆଧାର କରି ଅଭିଯୁକ୍ତଙ୍କ ଚିହ୍ନଟ କରିଥିବା କୁହାଯାଉଛି । ସନ୍ଦିଗ୍ଧମାନେ ଧରାପଡିବା ପରେ ହିଁ ସେମାନଙ୍କ ସଂପୃକ୍ତି ଅଛି କି ନାହିଁ ଜଣାପଡିବ । ସେପଟେ ସୁଧୀରଙ୍କ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କୁ ଗୋପାଳପୁର ଥାନାକୁ ଡକାଯାଇଥିଲା । ସେଠାରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ପଚରାଉଚରା କରି ଫେରିଛନ୍ତି । ସୁଧୀରଙ୍କୁ ଅପହରଣ କରିବା ପଛରେ ସମ୍ପତ୍ତି ବିବାଦ ବୋଲି ଏବେ ଅନୁସନ୍ଧାନରେ ପୁଲିସ ସନ୍ଦେହ କରୁଛି । ଯଦି ସମ୍ପତ୍ତି ବିବାଦ, ତାହେଲେ ସୁଧୀରଙ୍କୁ ଛାଡିବା ପାଇଁ ୨ କୋଟି ଟଙ୍କା କାହିଁକି ଅପହରଣକାରୀ ମାଗୁଥିଲେ ତାହା ଏବେ ସନ୍ଦେହ ଘେରକୁ ଆସୁଛି । ଅନ୍ୟପକ୍ଷରେ ପୁଲିସ ତଦନ୍ତ ଦିଗ ବଦଳାଇବା ପାଇଁ ଟଙ୍କା ମାଗି ଥାଇପାରନ୍ତି ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ :- ଦିନକ ପରେ ଅକ୍ଷୟ ତୃତୀୟା..କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ,ଏପଟେ ଚାଷୀଙ୍କୁ ମିଳିନି ବିହନ

ସୁଧୀର ପାତ୍ର ବାଲୁଗାଁ ଓ ଖଲ୍ଲିକୋଟ ଅଞ୍ଚଳରେ ଜଣେ ଜଣାଶୁଣା ପ୍ଲଟ୍ ବ୍ୟବସାୟୀ । ସତ୍ୟନାରାୟଣପୁର କରାପଲ୍ଲୀ ମୁଖ୍ୟ ରାସ୍ତାରେ ରହୁଥିବା ସୁଧୀର ଗତ ୧୫ ତାରିଖ ସନ୍ଧ୍ୟରେ ଭଲିବଲ୍ ଖେଳିବାକୁ ଯାଇଥିଲେ । ବିଳମ୍ବିତ ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ ଏବଂ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିଲା । ପରିବାରଲୋକ ଏବଂ ବନ୍ଧୁମାନେ ଖୋଜାଖୋଜି କରିବା ପରେ ବଣଗାଁ ରାସ୍ତାରେ ତାଙ୍କ ବାଇକ୍ ମିଳିଥିଲା । ପ୍ରଥମେ ଏହି ଘଟଣାକୁ ନେଇ ପୁଲିସ ନିଖୋଜ ମାମଲା ରୁଜୁ କରିଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ସ୍ତ୍ରୀ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ନେଇ ଥାନାରେ ଏତଲା ଦେଇଥିଲେ । ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ କରିବା ସହ ୯ଟି ଟିମ୍ ଗଠନ କରିଛି । ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାରେ ଥିବା ବଛା ବଛା ଅଫିସରମାନଙ୍କୁ ଏହି ଟିମ୍‌ରେ ନିଆଯାଇଛି । ତଥାପି ସୁଧୀର ଠାବ ହୋଇପାରିନାହାନ୍ତି । ଅପହରଣରେ ସଂପୃକ୍ତି ସନ୍ଦେହରେ କିଛି ଯୁବକଙ୍କୁ ଉଠାଇ ଆଣିଛି । କିନ୍ତୁ ସେମାନଙ୍କ ଏଥିରେ ସଂପୃକ୍ତି ଅଛି କି ନାହିଁ ଘଟଣାର ଖୁଲାସା ହେବା ପରେ ହିଁ ଜଣାପଡିବ ।