ଭୁବନେଶ୍ବର,୧୩।୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଏଥିରେ ୬ ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟରେ ଅନୁମୋଦନ ହୋଇଥିବା ପ୍ରସ୍ତାବ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।
କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ୩୮ଟି ମଣ୍ଡିକୁ ମଡେଲ ମଣ୍ଡିରେ ପରିଣତ କରାଯିବ। ଏଥିପାଇଁ ପ୍ରଥମ ପର୍ଯାୟରେ ୩୦୦ କୋଟି ଖର୍ଚ୍ଚ ହେବ । ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ୱତୀୟ ପର୍ଯାୟରେ ୬୮ଟି ମଣ୍ଡି ମଡେଲ ମଣ୍ଡିରେ ପରିଣତ ହେବ। ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ । ବିଶ୍ୱ ସ୍ତରୀୟ ରକ୍ଷଣାବେକ୍ଷଣା ବ୍ୟବସ୍ଥା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରାଯିବ। ବିମାନ ରକ୍ଷକ୍ଷାବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଜମି ରେଣ୍ଟ ଦେବେ ସରକାର । ଭୁବେନେଶ୍ୱର ବିମାନ ବନ୍ଦର ଭିତରେ ଜାଗା ଦେବେ । ଏମଏସ ଏୟାର ୱାର୍କସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଏଥିପାଇଁ ଚୟନ କରିଛନ୍ତି ସରକାର।
ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରାହଳୟ ଲାଗି ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ୧୭ ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର।
ସହରରେ ଏଲଇଡି ଲାଇଟ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୫୦ କୋଟି। ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ । ହୀରାକୁଦ ଡ୍ୟାମ ରୁ ଆସିବ ପାଣି । ଓଡ଼ିଶା ନର୍ସିଂ ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ଅଣାଯିବ।ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ ଟି ଏନଏଏମ ସେଣ୍ଟର ଅଛି । ଆଉ ୭ ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।