ନୂଆଦିଲ୍ଲୀ,୨୮।୧୦: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଅପେକ୍ଷା ପରେ ମିଳିଳା କ୍ୟାବିନେଟ୍ ମଞ୍ଜୁରୀ। କେନ୍ଦ୍ର ସରକାର ମଙ୍ଗଳବାର ଔପଚାରିକ ଭାବରେ ଅଷ୍ଟମ ବେତନ କମିଶନର ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ରଞ୍ଜନା ଦେଶାଇ କମିଶନ୍‌ର ଅଧ୍ୟକ୍ଷ ରହିବେ। ସେଭଳି ଆଇଆଇଏମ୍‌ ବେଙ୍ଗାଲୁରର ପ୍ରଫେସର ପୁଲକ ଘୋଷ ,ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ପଙ୍କଜ ଜୈନଙ୍କୁ ଏହାର ନୂତନ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି।

କମିଶନ୍ ନିଜ ସୁପାରିଶ ଆଗାମୀ ୧୮ ମାସ ଭିତରେ ସରକାରଙ୍କୁ ପ୍ରଦାନ କରିବ। ଏହାପରେ ବେତନ ଓ ପେନଶନ୍‌ରେ ବୃଦ୍ଧି ୨୦୨୭ ରୁ ଲାଗୁ ହୋଇପାରେ। କ୍ୟାବିନେଟ୍‌ର ବୈଠକ ପରେ ଜାରି ପ୍ରେସ୍ ନୋଟ୍‌ରେ କୁହାଯାଇଛି ଯେ, ଅଷ୍ଟମ ବେତନ କମିଶନ ପାଇଁ ଟର୍ମ ଅଫ୍ ରେଫରାନ୍ସକୁ ମଞ୍ଜୁରୀ ଦିଆଯାଇଛି। ବେତନ କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ (ପାର୍ଟ ଟାଇମ୍) ଓ ଜଣେ ସଦସ୍ୟ ସେକ୍ରେଟରୀ ରହିବେ। ଏହାର ଗଠନ ପରେ ସୁପାରିଶ ପଠାଇବା ପାଇଁ ବେତନ କମିଶନ୍‌କୁ ୧୮ ମାସର ସମୟ ଦିଆଯାଇଛି।

​​​​​​​

NC-JCM (ଷ୍ଟାଫ୍ ସାଇଡ୍) ସେକ୍ରେଟରୀ ଶିବ ଗୋପାଳ ମିଶ୍ରଙ୍କ କହିବା ଅନୁସାରେ, ଅଷ୍ଟମ ବେତନ କମିଶନକୁ ଲାଗୁ କରିବାରେ ଯଦିଓ ବିଳମ୍ବ ହୋଇପାରେ, କିନ୍ତୁ ଏହା ୧ ଜାନୁଆରୀ ୨୦୨୬ରୁ ପ୍ରଭାବୀ ମନେକରାଯିବ। ଅର୍ଥାତ ଏଥିରେ ଯଦି ବିଳମ୍ବ ହୁଏ ତେବେ ୧ ଜାନୁଆରୀ ୨୦୨୬ ରୁ ଷ୍ଟାଫ୍‌ଙ୍କୁ ଏରିଅର ଯୋଡିକି ଦିଆଯାଇପାରେ। ଏହା ପୂବର୍ରୁ ସପ୍ତମ ବେତନ କମିଶନ ଲାଗୁ କରାଯାଇଥିଲା। ସେତେବେଳ ବି ବିଳମ୍ବ ହୋଇଥିଲା। ବେତନଭୋଗୀଙ୍କୁ ଏରିଅର ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନଶନଧାରୀଙ୍କୁ ରିପ୍ରେଜେଣ୍ଟ କରୁଥିବା ଫୋରମ୍ ଏନ୍‌ସି-ଜିସିଏମ୍‌ ପକ୍ଷରୁ ଜାନୁଆରୀରେ କେନ୍ଦ୍ର ସରକାରଙ୍କୁ ଟର୍ମ ଅଫ୍ ରେସପନ୍ସ ପ୍ରଦାନ କରାଯାଇ ସାରିଛି।

ଉଲ୍ଲେଖନୀୟ ଯେ, ଦେଶରେ ବଢୁଥିବା ଦରଦାମ୍ ବୃଦ୍ଧି ଓ ଅନ୍ୟ ଜିନିଷକୁ ଦେଖି ୧୦ ବର୍ଷରେ ନୂଆ ବେତନ କମିଶନ ଗଠନ ଉପରେ ନୂଆ ବେତନ କମିଶନ୍ ଗଠନ କରାଯାଇଥାଏ। ଯେଉଁଥିରେ କେନ୍ଦ୍ରୀୟ କମର୍ଚାରୀ ଓ ପେନଶନଧାରୀଙ୍କ ବେତନ, ଭତ୍ତା ଓ ଅନ୍ୟ ସୁବିଧାରେ ସଂଶୋଧନ କରାଯାଏ। ଏହି ହିସାବରେ ଦେଖାଗଲେ ୧ ଜାନୁଆରୀ ୨୦୨୬ ରୁ ଅଷ୍ଟମ ବେତନ କମିଶନ୍‌କୁ ପ୍ରଭାବୀ ଭାବରେ ମନେକରାଯିବ।ଚଳିତ ବର୍ଷ ଜାନୁଆରୀରେ ଅଷ୍ଟମ ବେତନ କମିଶନ ଗଠନର ଘୋଷଣା କରାଯାଇଥିଲା। କିନ୍ତୁ କେନ୍ଦ୍ରୀୟ କ୍ୟାବିନେଟ୍‌ରୁ ମଞ୍ଜୁରୀ ମିଳିବା ପରେ ପ୍ରାୟ ୧୦ ମାସର ସମୟ ଦିଆଯାଇଥିଲା। ଏହି ସମୟକୁ ନେଇ ସରକାରୀ କର୍ମଚାରୀ ଓ ତାଙ୍କ ସଂଗଠନ ଅସନ୍ତୋଷ ପ୍ରକାଶ କରିଥିଲେ।