ବ୍ରହ୍ମଗିରି,୧୬/୧୨: କେନାଲ ଖୋଳାକୁ ନେଇ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ ଘଟଣା। ଧାରଣାରେ ବସିଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ  ସଞ୍ଜୟ ଦାସବର୍ମା। ଗାଁ ମୁଣ୍ଡରେ ୨ ପ୍ଲାଟୁନ ପୁଲିସ ଫୋର୍ସ କରାଯାଇଛି ମୁତୟନ।

ସୂଚନା ମୁତାବକ, ଜାଡ଼ି ନଦୀ କେନାଲ ଖୋଳାକୁ ନେଇ ସୋମବାର ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ପୁଲିସ ବଳ ପୂର୍ବକ ପ୍ରାୟ ୪୦ ଗ୍ରାମବାସୀଙ୍କୁ ଉଠାଇ ଆଣି ଅଟକ ରଖିଥିଲା। ଏନେଇ ଅଟକ ଥିବା ହରିଦାସ ଗାଁର ଗ୍ରାମବାସୀଙ୍କୁ ଥାନାରୁ ମୁକୁଳାଇବା ପାଇଁ ରାତିସାରା ବ୍ରହ୍ମଗିରି ଥାନା ବାରଣ୍ଡାରେ ନିଜ କର୍ମୀଙ୍କୁ ନେଇ ଧାରଣାରେ ବସିରହିଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା। ରାତି ତମାମ ବ୍ରହ୍ମଗିରି ଥାନା ଓ ହରିଦାସ ଗାଁ ମୁଣ୍ଡରେ ପୁଲିସ ଛାଉଣୀ ଥିଲା। କୁସୁବେଣ୍ଟି ଓ ହରିଦାସ ଗାଁ ମୁଣ୍ଡରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ସେପଟେ ରାତିରେ ମେଡିକାଲ ଟେଷ୍ଟ ପରେ ୪୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସର ସୂଚନା ମିଳିଛି।