କଟକ,୧୨/୦୨: କଲ୍ୟାଣ ମଣ୍ଡପ, ସୁନ୍ଦର ବଗିଚା ଓ ଖେଳ  ପଡ଼ିଆ । ଏମିତିକି ଆପାର୍ଟମେଣ୍ଟ୍‌କୁ ଯା’ଆସ ପାଇଁ ଲିଫ୍ଟ ସୁବିଧା ।  ତାହାବାଦ୍‌ ପରିସର ମଧ୍ୟରେ କାଫେରୁ ନେଇ ବିଭିନ୍ନ ପ୍ରକାରର  ସୁବିଧାସୁଯୋଗ । ଏମିତିକି ମୁଣ୍ଡ ଗୁଞ୍ଜିବାକୁ ଥିବା ଆଜବେଷ୍ଟସ୍‌ ଘରୁ ବାହାରି ରହିବେ ଆପାର୍ଟମେଣ୍ଟ୍‌ର ଛାତ ତଳେ । ଆସନ୍ତା କିଛି ବର୍ଷ  ମଧ୍ୟରେ ଆଜ୍‌ବେଷ୍ଟସ୍‌ ଘରୁ ଏଭଳି ସୁବିଧାସୁଯୋଗ ସହ କୋଠାଘରେ  ରହିବେ ହଜାର ହଜାର ବସ୍ତି ବାସିନ୍ଦା । ବିଶେଷକରି ଏଭଳି କିଛି  ଯୋଜନା ସହ ବାଲି ସାହି ବସ୍ତିର ସମ୍ପୂର୍ଣ୍ଣ ରୂପରେଖକୁ ବଦଳାଇବାକୁ  ଯୋଜନା କରିଛି କଟକ ମହାନଗର ନିଗମ(ସିଏମ୍‌ସି) । ଏ ନେଇ ପ୍ରଶାସନିକ ସ୍ତରରେ ଏକ ସମୀକ୍ଷା ବୈଠକ ହୋଇଥିଲାବେଳେ  ଖୁବ୍‌ ଶୀଘ୍ର ଡିପିଆର୍‌ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି ।

ସୂଚନା ଥାଉକି, ତାଳଦଣ୍ଡା କେନାଲ୍‌ ରାସ୍ତା ସମ୍ପ୍ରସାରଣ  ସମୟରେ ବସ୍ତି ଉଚ୍ଛେଦ ପ୍ରକ୍ରିୟା ହୋଇଥିଲା । ଏଥିରେ ତାଳଦଣ୍ଡା  କେନାଲ୍‌ ସମେତ ମହାନଦୀ କୂଳରେ ରହୁଥିବା ପାଖାପାଖି ୧୧ଟି  ସାହିର ୧୫ଶହ ବସ୍ତି ବାସିନ୍ଦାଙ୍କୁ ନୂଆପଡ଼ା ସ୍ଥିତ ବାଲିସାହି ବସ୍ତିରେ  ଥଇଥାନ କରାଯାଇଥିଲା । ସେଠାରେ ସମସ୍ତଙ୍କୁ ୨୨୫ ସ୍କୋୟାର୍‌  ଫୁଟ୍‌ର ଜାଗା ସହିତ ଘର ତିଆରି କରିବାକୁ ୫୦ ହଜାର ଟଙ୍କା  ଦିଆଯାଇଥିଲା । ଏହାସହ ସେମାନଙ୍କ ପାଇଁ ଗୋଷ୍ଠୀ ଶୌଚାଳୟ  ତିଆରି କରାଯାଇଛି । କିନ୍ତୁ ସମୟକ୍ରମେ ଉକ୍ତ ବସ୍ତି ବାସିନ୍ଦାମାନେ  ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ବସ୍ତି  ବାସିନ୍ଦାଙ୍କ ସ୍ଥାୟୀ ଥଇଥାନକୁ ଦୃଷ୍ଟିରେ ରଖି ସେଠାରେ ଅତ୍ୟାଧୁନିକ  ସୁବିଧାସୁଯୋଗ ସହ ବିଲ୍ଡିଂ ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏପରିକି ପୂର୍ବରୁ ବାଲିସାହିରେ ଏଭଳି କୋଠା ନିର୍ମାଣ ପାଇଁ  ୩୮ ନମ୍ବର ୱାର୍ଡ କର୍ପୋରେଟର ସୁଭାଶିଷ ପଟ୍ଟନାୟକ ବାରମ୍ବାର  ସିଏମ୍‌ସି କାଉନସିରେ ଦାବି ଉପସ୍ଥାପନ କରିଆସୁଥିଲେ ।  ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ  ସିଏମ୍‌ସି ବସ୍ତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  

ଆହୁରି ପଢ଼ନ୍ତୁ :- ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ

ବାଲି ସାହିର ରୂପରେଖ ପରିବର୍ତ୍ତନ କରିବା ସହିତ ଦୁଇ ହଜାର  ପରିବାର ରହିବା ପାଇଁ ଆଫର୍ଡେବୁଲ୍‌ ହାଉସିଂ ପ୍ରୋଜେକ୍ଟରେ ଜି ପ୍ଲସ୍‌  ୩ର ବିଲ୍ଡିଂ ନିର୍ମାଣ ହେବ । ସେଠାରେ ଲିଫ୍ଟ ସୁବିଧା ସହିତ ପିଲାଙ୍କ  ପାଇଁ ଖେଳ ପଡ଼ିଆ, ମନୋରଞ୍ଜନ ପାଇଁ ବଗିଚା ଭଳି ଅନେକ କାର୍ଯ୍ୟ  କରାଯିବ । ଗୋଟିଏ ପାଶ୍ୱର୍ରୁ ବ୍ଲିଡିଂ ନିର୍ମାଣ କାର୍ଯ୍ୟ ହେବା ସହିତ  ପର୍ଯ୍ୟାୟକ୍ରମେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯିବ ।  ବୁଧବାର ରାଜ୍ୟ ସରକାରଙ୍କ ଏକ ଆର୍କିଟେକ୍‌ ଟିମ୍‌ ଆସି କଟକର  ପରିଦର୍ଶନ କରିଛି । ତା’ ସହିତ ସିଏମ୍‌ସିରେ ଏକ ବୈଠକ ଆୟୋଜନ  ହୋଇଥିଲା । ପ୍ରଥମେ ବାଲିସାହି ପରେ ଜଗତପୁର ଆଦିରେ  ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବ ବୋଲି ଆଲୋଚନା ହୋଇଛି ।