ନୂଆଦିଲ୍ଲୀ, ୧୭/୦୨ : ବଢୁଛି କ୍ୟାନସର ବିପଦ। ବାଜିଲା ସତର୍କ ଘଣ୍ଟି। ୨୦୪୦ ସୁଦ୍ଧା ଆହୁରି ଉତ୍କଟ ହେବ ସ୍ଥିତି। ପ୍ରତି ଦୁଇ ମିନିଟ୍‌ ରେ ଚାଲିଯିବ ଗୋଟିଏ ଜୀବନ। ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ବଢିଯିବ ୬୩ ଲକ୍ଷ ନୂଆ ମାମଲା। ହୁ ହୁ ହୋଇ ମାଡ଼ିଯିବ ବ୍ରେଷ୍ଟ, ପ୍ରୋଷ୍ଟେଟ୍ ଏବଂ ଲଙ୍ଗସ୍ କ୍ୟାନସର। ବ୍ରିଟେନର ୬୦ଟି କ୍ୟାନସର ସଂସ୍ଥାକୁ ନେଇ ଗଠିତ ୱାନ୍ କ୍ୟାନସର୍ ଭଏସ୍ ଗ୍ରୁପ୍ ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଛନ୍ତି। 

ବିଶ୍ଵରେ ଏବେ କ୍ୟାନସର ରୋଗ ମାଡ଼ି ମାଡ଼ି ଚାଲିଛି। ପ୍ରତି ବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଜୀବନ ଯାଉଛି। ପିଲାଙ୍କ ଠୁ ନେଇ ବୁଢା ଯାଏଁ ଏହାର ଶିକାର ହେଉଛନ୍ତି। ଯେଉଁ ଗତିରେ ଏହି ରୋଗ ମାଡ଼ୁଛି ଆସନ୍ତା ୨ ଦଶନ୍ଧି ମଧ୍ୟରେ ୬୩ ଲକ୍ଷ ଲୋକଙ୍କୁ ବ୍ୟାପିବ ବୋଲି ଅନୁମାନ କରାଯାଉଛି। ସ୍ଥିତି ଏମିତି ବିଗିଡ଼ିବ ଯେ, ପ୍ରତି ୨ ମିନିଟ୍ ରେ ଗୋଟିଏ ଜୀବନ ଚାଲିଯିବାର ଆଶଙ୍କା ରହିଛି। ପରବର୍ତ୍ତୀ ପିଢି ପାଇଁ ଏହା ସତର୍କ ଘଣ୍ଟି ବୋଲି ବିଶେଷଜ୍ଞ କହିଛନ୍ତି। ମୋଟାପଣ, ଖରାପ ଡାଇଟ୍ ଏବଂ ଧୂମପାନ କ୍ୟାନସର ପାଇଁ ମୁଖ୍ୟତଃ ଦାୟୀ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। 

କ୍ୟାନସରକୁ ନେଇ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ବ୍ରିଟେନରେ ଅଧିକାଂଶ ପ୍ରୋଷ୍ଟେଟ୍, ବ୍ରେଷ୍ଟ, ଲଙ୍ଗସ୍, ବାଉଲ ଏବଂ ମେଲେନୋମା ସ୍କିନ୍ କ୍ୟାନସର ହେଉଛି। ଯାହାକି କେବଳ ବ୍ରିଟେନ ପାଇଁ ନୁହେଁ ଅନ୍ୟ ଦେଶ ଗୁଡ଼ିକ ପାଇଁ ମଧ୍ୟ ଚିନ୍ତାର ବିଷୟ। ଖାଲି ସେତିକି ନୁହେଁ ଡିଓ ଏବଂ ପରଫ୍ୟୁମ୍ ବ୍ୟବହାର ପାଇଁ ମଧ୍ୟ କ୍ୟାନସର ବିପଦ ବଢୁଛି। 

ପ୍ରତି ବର୍ଷ ଭାରତରେ ୫୦ ହଜାର ଶିଶୁ କ୍ୟାନସର ଦ୍ଵାରା ଆକ୍ରାନ୍ତ ହେଉଛନ୍ତି। ଯାହାକି ଦେଶରେ କ୍ୟାନସର ମାମଲାର ୩-୫ ପ୍ରତିଶତ। ପିଲାମାନଙ୍କଠାରେ ଲ୍ୟୁକେମିଆ (୪୦%), ଲିମ୍ଫୋମା ଏବଂ ମସ୍ତିଷ୍କ ଟ୍ୟୁମର ହେଉଛି ସବୁଠାରୁ ସାଧାରଣ ପ୍ରକାରର କର୍କଟ।

ଏହି ଖବରଟିକୁ ପଢନ୍ତୁ-  ପାଣି ତେଜାବ, ବାୟୁରେ ବିଷ; ପୃଥିବୀ ପୃଷ୍ଠରେ ମଙ୍ଗଳ ଗ୍ରହର ଭୟଙ୍କର ଜଳବାୟୁ, ଏଠି କ୍ଷଣକରେ ମୃତ୍ୟୁ