ଫୁଲବାଣୀ,୧୭/୧ : ଫୁଲବାଣୀ ସହର ଉପକଣ୍ଠ ଦାତପାଜୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ସହିତ ବିପରୀତ ଦିଗରୁ ଆସୁଥିବା ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା। ଅଟୋ ଭିତରେ ବସିଥିବା ଜଣେ ଯୁବକ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଫୁଲବାଣୀ ବ୍ଲକ ଦାତପାଜୁ ପଞ୍ଚାୟତ ମିଣିଆକାଠି ଗ୍ରାମର ବରୁଣ ମଲ୍ଲିକ(୨୦) । ସେହିଭଳି ବରୁଣଙ୍କ ଭାଇ ବାବୁଲା ମଲ୍ଲିକ(୨୨) ଓ ଦଡକି ପଞ୍ଚାୟତ ସିଙ୍ଗାପଡାର ଶୈଳେନ୍ଦ୍ର କହଁର(୫୦) ଗୁରୁତର ହୋଇଛନ୍ତି। ଉଭୟେ ପ୍ରାୟ ୯୦ ପ୍ରତିଶତ ପୋଡି ଯାଇଥିବା ଏବଂ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। କାରରେ କେତେଜଣ ଥିଲେ ଜଣା ପଡିନାହିଁ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି।
ସୂଚନା ଅନୁଯାୟୀ, ବରୁଣ ଓ ବାବୁଲା ଫୁଲବାଣୀରେ ରହି ଯୁକ୍ତ ଦୁଇରେ ପାଠ ପଢୁଛନ୍ତି। ଶନିବାର ସନ୍ଧ୍ୟାରେ ଏହି ତିନି ଜଣ ଏକ ଅଟୋ ରେ ଫୁଲବାଣୀରୁ ନିଜ ଗ୍ରାମ ସଦର ବ୍ଲକ ମିଣିଆକାଠିକୁ ଯାଉଥିଲେ। ଦାତପାଜୁ ନିକଟରେ ବୌଦ୍ଧ ପଟୁ ଆସୁଥିବା ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡି ଘଟଣା ସ୍ଥଳରେ ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ଅଟୋରେ ବସିଥିବା ତିନି ଯାତ୍ରୀ ଜଳି ଯାଇଥିଲେ। ବରୁଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ଦୁଇଜଣଙ୍କୁ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସଦର ପୁଲିସ ପହଞ୍ଚି ତଦନ୍ତ କରୁଛି।