ଧର୍ମଶାଳା,୧୩/୧୧: ଧର୍ମଶାଳା ତହସିଲ ଅଧିନସ୍ଥ ବାଜବାଟୀ କଳାପଥର ଖାଦାନର କ୍ୱାରୀ ନମ୍ବର ୨ ଓ ୬ ଯୋଗୁ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷଣ ସହିତ ଲିଜଧାରୀ ଲିଜ ପରିମାଣ ଠାରୁ ଅଧିକ ଖନନ ନେଇ ସ୍ଥାନୀୟ ଅଞ୍ଚଳର ଉର୍ବଶୀ ଜେନା ନାମକ ଜଣେ ମହିଳା (ଜାତୀୟ ସବୁଜ ପ୍ରାଧିକରଣ )ଏନଜିଟିର ଦ୍ୱାରସ୍ଥ ହୋଇଥିଲେ। ଏହି କ୍ରମରେ ଯାଜପୁର ଜିଲ୍ଲାପାଳଙ୍କ ଦ୍ଵାରା ଗଠିତ ଏକ ଟିମ୍ ଆଜି ପୂର୍ବାହ୍ନରେ ବାଜବାଟୀ ଠାରେ ପହଞ୍ଚି ଥିଲା । ଶରତ ଚନ୍ଦ୍ର ବେହେରାଙ୍କ ନାମରେ ଥିବା ୨ ନମ୍ବର କ୍ୱାରୀ ପରିଦର୍ଶନ କରିଥିଲେ। ଏହା ପରେ ସମୀର ରଞ୍ଜନ ନାୟକ ୬ ନମ୍ବର କ୍ୱାରୀ ପରିଦର୍ଶନ କରିଥିଲେ। ମାତ୍ର ଅଭିଯୋଗକାରୀଙ୍କ ଠାରୁ ଅନୁମତି ପତ୍ର ଆଣିଥିବା ରଞ୍ଜିତ ଜେନାଙ୍କ ଅନୁପସ୍ଥିତି ଯୋଗୁ ତଦନ୍ତ ନକରି ଏହି ଟିମ୍ ଅଧାରୁ ଫେରିଯାଇଥିଲେ। ଏହି ଟିମ୍ରେ ଯାଜପୁର ଡିଡିଏମ ଜୟ ପ୍ରକାଶ ନାୟକ, କଳିଙ୍ଗନଗର ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ, ସିଆର ଅଧିକାରୀ ପ୍ରଦୀପ ନାୟକ, ତହସିଲଦାର ସମୀର ରଞ୍ଜନ ଦାସ ପ୍ରମୁଖ ତଦନ୍ତ କରିଥିଲେ। ଦୁଇ ଲିଜଧାରୀ ଉପସ୍ଥିତ ଥିଲେ।
ଏହି ଦୁଇଟି ଖଣିରୁ ପାଖାପାଖି ଅଢେଇ କୋଟି ରାଜସ୍ୱ ସରକାର ପାଉଛନ୍ତି । ବାଜବାଟୀ ଠାରେ ମୋଟ ୬ ଗୋଟି କଳାପଥର କ୍ୱାରୀ ରହିଛି । ପୂର୍ବରୁ କଳାପଥର କ୍ୱାରୀ ୩ ଓ ୫ ନମ୍ବର ଉପରେ ଏନଜିଟିରେ ମାମଲା ପରେ ଏହି ଅଧିକାରୀମାନେ ଗତ ୬ ମାସ ତଳେ ତଦନ୍ତ କରି ଫେରିଥିଲେ। ଏହି ଦୁଇଟି ଏଆଇପିଏଲ ନାମରେ ଏହି ୪ଟି ଉପରେ ଏନଜିଟିରେ ମାମଲା ହୋଇଛି। ଅଭିଯୋଗକାରୀ ଓ ଅଧିକାରୀମାନେ ଆଜିର ତଦନ୍ତ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।