ନୂଆଦିଲ୍ଲୀ - CBI ନିଟ୍ (NEET) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡକୁ ପୁଣେରୁ ଗିରଫ କରିଛି। ଏହି ବ୍ୟକ୍ତିଙ୍କ ନାମ ପି.ଭି. କୁଲକର୍ଣ୍ଣି। ତଦନ୍ତରୁ ଜଣାପଡିଛି ଯେ, କୁଲକର୍ଣ୍ଣି ହିଁ ଏହି ପେପର ଲିକର ମୁଖ୍ୟ କାର୍ପଟଦାର। ସେ ଜଣେ କେମିଷ୍ଟ୍ରି ଅଧ୍ୟାପକ ଏବଂ ପୂର୍ବରୁ NTA ପକ୍ଷରୁ ପରୀକ୍ଷା ପ୍ରକ୍ରିୟାରେ ସାମିଲ ରହି ଥିଲେ। କୁହାଯାଉଛି ଯେ କୁଲକର୍ଣ୍ଣିଙ୍କ ପାଖରେ ପ୍ରଶ୍ନପତ୍ରର ଏକ୍ସେସ୍ ରହୁ ଥିଲା। ସେ ଜଣେ ଅବସରପ୍ରାପ୍ତ କଲେଜ ପ୍ରଫେସର ଏବଂ ମୂଳତଃ ଲାତୁରର ବାସିନ୍ଦା। ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ଅନେକ ବର୍ଷ ଧରି ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା କମିଟିର ସଦସ୍ୟ ଥିଲେ।
ନିଜ ବାସଭବନରେ ଚଳାଇ ଥିଲେ ଛାତ୍ରଙ୍କ ପାଇଁ ସ୍ପେଶାଲ କୋଚିଂ-
ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ଶେଷ ସପ୍ତାହରେ ସେ ଛାତ୍ରମାନଙ୍କୁ ଏକାଠି କରି ନିଜ ବାସଭବନରେ ସ୍ପେଶାଲ କୋଚିଂ କ୍ଲାସ ଚଳାଇ ଥିଲେ। ଏଥିପାଇଁ ସେ ଅନ୍ୟତମ ଅଭିଯୁକ୍ତ ମନୀଷା ୱାଘମାରେଙ୍କ ସାହାଯ୍ୟ ନେଇ ଥିଲେ। ମନୀଷାଙ୍କୁ ସିବିଆଇ ମେ’ ୧୪ ରେ ଗିରଫ କରିଛି। ଏହି କୋଚିଂ ସମୟରେ କୁଲକର୍ଣ୍ଣି ପ୍ରଶ୍ନଗୁଡ଼ିକର ବିକଳ୍ପ ଏବଂ ସଠିକ୍ ଉତ୍ତର କହି ଥିଲେ। ଛାତ୍ରମାନେ ନିଜ ନୋଟବୁକରେ ଲେଖିଥିବା ପ୍ରଶ୍ନଗୁଡ଼ିକ ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାର ପ୍ରଶ୍ନ ସହ ସମାନ ଥିଲା।
କ୍ଲାସ୍ ପାଇଁ ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା
ସିବିଆଇ ମୁଖପାତ୍ରଙ୍କ ଅନୁଯାୟୀ, ଛାତ୍ରମାନେ ଏହି ବିଶେଷ କ୍ଲାସରେ ସାମିଲ ହେବା ପାଇଁ କଥିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଦେଇ ଥିଲେ। ସିବିଆଇ ତଦନ୍ତକାରୀ ଦଳ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଲିକର ପ୍ରକୃତ ଉତ୍ସ ଏବଂ ସେହି ମଧ୍ୟସ୍ଥି ମାନଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନେ ଟଙ୍କା ନେଇ ଛାତ୍ରମାନଙ୍କୁ ଏହି କ୍ଲାସ୍ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ସିବିଆଇ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ଆପତ୍ତିଜନକ ଦଲିଲ, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି। ଏହାର ଫୋରେନସିକ୍ ଓ ବୈଷୟିକ ଯାଞ୍ଚ ଜାରି ରହିଛି।
ଏପର୍ଯ୍ୟନ୍ତ ୭ ଜଣ ଅଭିଯୁକ୍ତ ଗିରଫ
ସୂଚନାଯୋଗ୍ୟ ଯେ, ଗୁରୁବାର ସୁଦ୍ଧା ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ ଏବଂ ଅହିଲ୍ୟାନଗରରୁ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟରେ ହାଜର କରାଯାଇ ୭ ଦିନିଆ ପୁଲିସ ହେପାଜତକୁ ପଠା ଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଦିଲ୍ଲୀ କୋର୍ଟକୁ ନେବା ପାଇଁ ପ୍ରକ୍ରିୟା ଚାଲିଛି।
ଜଣେ ଅଭିଯୁକ୍ତ ସିବିଆଇ ହେପାଜତରେ
ଏହା ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ଦିନ ଅଭିଯୁକ୍ତ ଧନଞ୍ଜୟ ନିବୃତ୍ତି ଲୋଖଣ୍ଡେଙ୍କୁ ୬ ଦିନିଆ ସିବିଆଇ ହେପାଜତକୁ ପଠାଇଛନ୍ତି। ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ଏବଂ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଏଜେନ୍ସିକୁ ଏହି ହେପାଜତ ମିଳିଛି। ଲୋଖଣ୍ଡେଙ୍କୁ ମହାରାଷ୍ଟ୍ରର ଅହିଲ୍ୟାନଗରରୁ ଗିରଫ କରାଯାଇଥିଲା।