ଭୁବନେଶ୍ୱର, ୧୧।୧୧ : ପୁଲିସ ଏସଆଇ ନିଯୁକ୍ତି ସ୍କାମର ବଡ଼ ଅପଡେଟ୍। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ। ଭୁବନେଶ୍ଵର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ ହୋଇଛି। ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି। ଉକ୍ତ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ଵରେ ଗଠନ ହୋଇଥିବା ଟିମ୍ ଏସଆଇ ସ୍କାମ୍‌ର ତନାଘନା କରିବ। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇବ୍ରାଞ୍ଚ କରୁଥିଲା। ତେଣୁ କ୍ରାଇମବ୍ରାଞ୍ଚକୁ ସମସ୍ତ ଦସ୍ତାବିଜ୍ ମାଗିଛି ସିବିଆଇ। ସେପଟେ ଗତକାଲି ଏହି ମାମଲାର ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ସାଗର ଗୌଡ଼କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ତଦନ୍ତୁ ଜଣାପଡ଼ିଛି ଯେ ସାଗର ଜରିଆରେ ଏଜେଣ୍ଟଙ୍କ ସହ ଯୋଗାଯୋଗ କରୁଥିଲା ଶଙ୍କର । ଦୀଘା ମଡ୍ୟୁଲକୁ ସମ୍ପୂର୍ଣ୍ଣ ଅପରେଟ୍ କରୁଥିଲା ସାଗର। 

ଗିରଫ ୧୧୪ ଆଶାୟୀଙ୍କୁ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ୍‌ରେ ପ୍ରଶିକ୍ଷଣ ଦେବା ପାଇଁ କେମିତି ପ୍ରୟାସ ଆରମ୍ଭ ହୋଇଥିଲା ? ପ୍ରଶିକ୍ଷଣର ବ୍ଲୁ-ପ୍ରିଣ୍ଟ କେଉଁମାନେ ପ୍ରସ୍ତୁତ କରିଥିଲେ ? ସିବିଆଇ ଅଧିକାରୀ ତଦନ୍ତ ବେଳେ ଏହି ଦିଗକୁ ଗୁରୁତ୍ୱ ଦେବେ। ଏହାଛଡ଼ା ଏସ୍‌ଆଇ ନିଯୁକ୍ତି ପାଇଁ ଆଶାୟୀମାନଙ୍କୁ କେଉଁମାନେ ପ୍ରବର୍ତ୍ତାଇଥିଲେ? କେତେ ଟଙ୍କାର ଡିଲ୍‌ ହୋଇଥିଲା? ୨୫ ଲକ୍ଷ ଟଙ୍କା ଦେଲେ, ଚାକିରି ପକ୍କା ବୋଲି ପ୍ରଲୋଭନ ଦେଖାଇ କେଉଁମାନେ ଆଶାୟୀଙ୍କୁ ନିଯୁକ୍ତି ଜାଲରେ ଫସାଇଥିଲେ? ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇଛି? ଟଙ୍କା ଭାଗରେ କେତେ ଛିଡି଼ଛି? ପ୍ରଶିକ୍ଷଣ ନେଇଥିବା କେହି ଆଶାୟୀ ଲିଖିତ ପରୀକ୍ଷା ପାସ୍‌ କରିବା ପରେ ଶାରୀରିକ ପରୀକ୍ଷା ଓ ମୌଖିକ ପରୀକ୍ଷାକୁ କେମିତି ପାର୍‌ କରିଥାନ୍ତା? ନିଯୁକ୍ତି କେଳେଙ୍କାରୀର ଷଡ଼ଯନ୍ତ୍ର କିପରି ରଚାଯାଇଥିଲା? କେଉଁ କେଉଁମାନେ ଏଥିରେ ଭାଗିଦାରୀ ଥିଲେ? ତଦନ୍ତ ବେଳେ ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ ।

ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାରେ ସିଲିକନ ଟେକଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟ ଟେକ୍ନୋଲୋଜି/ଫ୍ରଣ୍ଟଟେକ୍‌ର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ସହ ୧୦ଜଣ ଦଲାଲଙ୍କୁ ଗିରଫ କରିସାରିଛି । ଏତେବଡ଼ ନିଯୁକ୍ତି ଘୋଟାଲାରେ ଏତିକି ଦଲାଲଙ୍କ ସମ୍ପୃକ୍ତି ରହିଛି ନା ଷଡ଼ଯନ୍ତ୍ର ପଛରେ ଅନ୍ୟ କେହି ବଡ଼ ଅଧିକାରୀ ବି ସାମିଲ ଅଛନ୍ତି । ଏଦିଗରେ ସିବିଆଇ ତଦନ୍ତ କରିବ । ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟାର ଦାୟିତ୍ୱ ସିଲିକନ ଟେକ୍‌ଲ୍ୟାବ୍‌କୁ ଦେବା ପଛରେ ଓଡି଼ଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି)ର କିଛି ଭୂମିକା ରହିଛି କି? ଏଥିରେ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି? ସେନେଇ ସିବିଆଇ ତଦନ୍ତ କରିବ । ବର୍ତ୍ତମାନ ସୁଦ୍ଧା ଏହି ସ୍କାମରେ ୧୧୪ଜଣ ଆଶାୟୀଙ୍କ ସମେତ ୧୨୪ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମ୍‌ବ୍ରାଞ୍ଚର ତଦନ୍ତରୁ ଏହି କେଳେଙ୍କାରୀର ଚେର ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ରାଜ୍ୟକୁ ଲମ୍ବିଥିବାର ତଥ୍ୟ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ତଦନ୍ତଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।