ଭୁବନେଶ୍ବର, ୧୯/୧୧ : ନେଦରଲାଣ୍ଡରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ରବିବାର ହୁଫଡ୍ରଫ୍ ସହରରେ ନେଦରଲାଣ୍ଡ ଓଡ଼ିଆ ସୋସିଓ କଲ୍ଚରାଲ୍ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନେଦରଲାଣ୍ଡସ୍ଥିତ ଭାରତୀୟ ଦୂତାବାସର କମ୍ୟୁନିଟି ଅଫାୟାର୍ସ ଅଧିକାରୀ ମନୀଷ ମଗର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ଏଲଟି ଫୁଡ୍ସ ୟୁରୋପର ପରିଚାଳନା ନିର୍ଦ୍ଦେଶକ ବିକାଶ ମଗୁନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ କାର୍ଯ୍ୟକ୍ରମସ୍ଥଳୀକୁ ଅତି ସୁନ୍ଦର ଭାବେ ସଜାଯାଇଥିଲା। ଶତାଧିକ ଓଡ଼ିଆ ପରିବାର ଏକାଠି ହୋଇ ବୋଇତ ବନ୍ଦାଣ କରିଥିଲେ। ବୋଇତରେ କଦଳୀପତ୍ର, ପାନ, ଗୁଆ, ଫୁଲ, ଧୂପ ଆଦି ଥୋଇବା ସହ ଆ-କା-ମା-ବୈ ଲୋକଗୀତ ଗାଇ ସମସ୍ତେ ଡଙ୍ଗା ଭସାଇଥିଲେ । ଏହି ସମୟରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇ ନିଜର ଖୁସି ବ୍ୟକ୍ତ କରିଥିଲେ। ବୋଇତ ବନ୍ଦାଣର ଦୃଶ୍ୟକୁ ସମସ୍ତେ ଆନନ୍ଦରେ ଉପଭୋଗ କରୁଥିବା ଦେଖାଯାଇଥିଲା।
ଏହି ଅବସରରେ ପିଲାମାନେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଏହାସହ ଓଡ଼ିଆମାନଙ୍କ ମଧ୍ୟରେ ଡଙ୍ଗା ତିଆରି ପ୍ରତିଯୋଗିତା ମଧ୍ୟ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଓଡ଼ିଶାର ସଂସ୍କୃତିକୁ ନେଦରଲାଣ୍ଡ ଭଳି ୟୁରୋପୀୟ ଦେଶର ପ୍ରଚାର ପ୍ରସାର କରିବାର ଏଭଳି ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ।
ଏହାପରେ ସବୁ ପ୍ରବାସୀ ଓଡ଼ିଆ ଏକତ୍ରିତ ହୋଇ ଛାଡ଼ଖାଇ ପାଳନ କରିଥିଲେ। ଏଥିରେ ସମସ୍ତେ ଅନେକ ପ୍ରକାର ସୁସ୍ଵାଦୁ ଓଡ଼ିଆ ବ୍ୟଞ୍ଜନର ମଜା ନେଇଥିଲେ। ଏହି ସମସ୍ତ ବ୍ୟବସ୍ଥାକୁ ଖୁବ ସୁନ୍ଦର ଭାବେ OSCAN’s କୋର୍ ଟିମ୍ ଦ୍ବାରା ଏହାକୁ ଆୟୋଜନ କରାଯାଇଥିଲା । ସଭାପତି ସାଶ୍ବତ ପାଢୀ ଏବଂ ବରିଷ୍ଠ ସଦସ୍ୟ ସୁଶୀଲ ଦାଶ ମହାପାତ୍ର, ବି ପାତ୍ର, ଦୀପକ ପରିଡ଼ା, ଲୋପାମୁଦ୍ରା ନାୟକ, ଅରୋଶିଶ ମହାନ୍ତି, ସୋମନାଥ ଲେଖା, ନୀଳମାଧବ ମିଶ୍ର, ଦେବଦତ୍ତ ଦାସ, ଅରବିନ୍ଦ ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ ।