ନୂଆଦିଲ୍ଲୀ ୦୨/୦୩ : ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ପରେ ଇରାନ ଇସ୍ରାଏଲ ସମେତ ଆରବ ଦେଶର ଅନେକ ଆମେରିକୀୟ ଠିକଣା ଉପରେ ଆକ୍ରମଣ କରିଛି । ଏହି କ୍ରମରେ ଦୁବାଇରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଛି । ଦୁବାଇ ଭାରତର ଅନେକ ସେଲିବ୍ରିଟିଙ୍କ ପ୍ରିୟ ସ୍ଥାନ । କିନ୍ତୁ ଯୁଦ୍ଧ ଯୋଗୁ ବିମାନ ସେବା ବାତିଲ ହେବାରୁ ଭାରତୀୟ ସେଲିବ୍ରିଟି ସେଠାରେ ଫସିଛନ୍ତି ।

ଆକାଶରେ ମିସାଇଲର ଦୃଶ୍ୟ ଶେୟାର କଲେ ଈଶା ଗୁପ୍ତା :

ଅଭିନେତ୍ରୀ ଈଶା ଗୁପ୍ତା ଆବୁଧାବିରେ ଫସିଛନ୍ତି । ଗତ ୨୮ ତାରିଖ ଈଶା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ଜରିଆରେ ଆକାଶରେ ମିସାଇଲର ଦୃଶ୍ୟ ଶେୟାର କରିଥିଲେ । ଦୃଶ୍ୟ ଆବୁଧାବିର ଥିଲା । ଈଶାଙ୍କ ଫ୍ୟାନ୍ ତାଙ୍କୁ ମେସେଜ୍ କରି ସ୍ଥିତି ଜାଣିବାକୁ ଚେଷ୍ଟା କରୁଛନ୍ତି । ଈଶା ଇନଷ୍ଟା ଷ୍ଟୋରୀ ଶେୟାର କରି ସୁରକ୍ଷିତ ଥିବା କଥା କହିଛନ୍ତି । କିନ୍ତୁ ସେଠାରେ ସ୍ଥିତି ଅତ୍ୟନ୍ତ ଭୟାନକ ବୋଲି ସେ କହିଛନ୍ତି । ଯୁଦ୍ଧରେ ପ୍ରଭାବିତ ଓ ଫସିଥିବା ଲୋକଙ୍କ ସୁରକ୍ଷା ପାଇଁ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ପରିବାରକୁ ଭେଟିବାକୁ ଯାଇଥଲେ ସାଉଥ୍ ଷ୍ଟାର୍ :

ଦୁବାଇ ଉପରେ ଇରାନର ଆକ୍ରମଣ ବେଳେ ତେଲୁଗୁ ଷ୍ଟାର୍ ବିଷ୍ଣୁ ମାଂଚୁ ସେଠାରେ ଥିଲେ । ସେ ରହୁଥିବା ସ୍ଥାନରୁ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଦୁବାଇ ଆକାଶରେ ମିସାଇଲ ଦେଖିବାକୁ ମିଳିଛି । ବିଷ୍ଣୁ ନିଜ ପରିବାରକୁ ଭେଟିବାକୁ ଦୁବାଇ ଯାଇଥିଲେ । ଆକ୍ରମଣ ଶବ୍ଦରେ ତାଙ୍କ ଝିଅ ଆୟରା ଖୁବ୍ ଡରିଯାଇଛି ବୋଲି କହିଛନ୍ତି । ଲୋକଙ୍କ ରକ୍ଷା ପାଇଁ ୟୁଏଇର ପ୍ରତିରକ୍ଷା ବାହିନୀକୁ ସେ ଧନ୍ୟବାଦ ଦେଇଛନ୍ତି । ଶାନ୍ତି ସ୍ଥାପନା ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ।

ଦୁବାଇ ବିମାନବନ୍ଦରରେ ପିଭି ସିନ୍ଧୁ :

ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦୁବାଇ ବିମାନବନ୍ଦରରେ ଫସିଛନ୍ତି । ଭିଡିଓ ମାଧ୍ୟମରେ ଭାରତ ସରକାରଙ୍କୁ ସେ ସାହାଯ୍ୟ ଲାଗି ଅପିଲ କରିଛନ୍ତି । ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ ପାଇଁ ସିନ୍ଧୁ ବେଙ୍ଗାଲୁରୁରୁ ବ୍ରିଟେନର ବର୍ମିଂଘମ୍ ଯାତ୍ରା କରୁଥିଲେ । କିନ୍ତୁ ଦୁବାଇରେ ବିମାନ ଅବତରଣ ମାତ୍ରେ ସ୍ଥିତି ହଠାତ୍ ବିଗିଡ଼ିଗଲା ଏବଂ ବିମାନ ସେବା ଠପ୍ ହେଲା । ସିନ୍ଧୁ ଭିଡିଓରେ କହିଛନ୍ତି, ଦୁବାଇରେ ବିମାନ ଅବତରଣ ପରେ ସ୍ଥିତି ହଠାତ୍ ବଦଳିଗଲା ଏବଂ ବାୟୁ ସୀମା ବନ୍ଦ କରିଦିଆଗଲା । ଏହା ପରେ କିଛି ଘଣ୍ଟା ଅତ୍ୟନ୍ତ ଚିନ୍ତାଜନକ ଥିଲା । କିଛି ଘଣ୍ଟା ପରେ ଆମ ରହିବା ସ୍ଥାନର ଅତି ନିକଟରେ ବଡ଼ ବିସ୍ଫୋରଣ ହେଲା । ଆମ କୋଚଙ୍କଠୁ ୧୦୦ ମିଟର ଦୂରରେ ବିସ୍ଫୋରଣ ହେଲା । ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଗଲା । ଏହି ଘଟଣା ଆମ ଟିମକୁ ଦୋହଲାଇ ଦେଇଛି । ସିନ୍ଧୁଙ୍କ ଇଣ୍ଡୋନେସୀୟ କୋଚ୍ ଗଣମାଧ୍ୟମକୁ କହିଛନ୍ତି, ବିମାନବନ୍ଦରରେ ବିସ୍ଫୋରଣ ହୋଇଛି । ସେଥିପାଇଁ ଆମେ ଏଠାରେ ଫସିରହିଛୁ । ଆମକୁ ହୋଟେଲରେ ରଖାଯାଇଛି । ଆମେ ସୁରକ୍ଷିତ ଅଛୁ, ତଥାପି ଚିନ୍ତାରେ ଅଛୁ ।

ମୋଦିଙ୍କୁ ସାହାଯ୍ୟ ମାଗିଲେ ସୋନଲ :

ଦୁବାଇରୁ ଭାରତକୁ ବିମାନ ସେବା ରଦ୍ଦ ହେବା ଯୋଗୁ ଅଭିନେତ୍ରୀ ସୋନଲ ଚୌହାନ ଦୁବାଇରେ ଫସିଛନ୍ତି । ଗତ ୨୮ ତାରିଖ ରାତିରେ ଦୁବାଇ ବିମାନବନ୍ଦରରେ ଫସିଥିବା ସୋନଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଥିଲେ । ପୋଷ୍ଟ ସେ ଲେଖିଛନ୍ତି, ସମସ୍ତ ବିମାନ ବାତିଲ ହୋଇଛି । ଭାରତ ଫେରିବାର କୌଣସି ସ୍ପଷ୍ଟ ମାର୍ଗ ଦିଶୁନାହିଁ । ତାଙ୍କ ପୋଷ୍ଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏବେ ସେ ସୁରକ୍ଷିତ ଅଛନ୍ତି ।