ଭୁବନେଶ୍ୱର,୨୦।୩ : ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶାରେ ଖୋଲିବ ଗୋଟିଏ ସେଣ୍ଟର ଅଫ୍ ଏକ୍ସେଲେନ୍ସ। ଏ ନେଇ ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧରୀ ଗୁରବାର ସାକ୍ଷାତ କରିଛନ୍ତି। ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶାରେ ଅଧିକ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ବଜେଟରେ ଦକ୍ଷତା ବିକାଶ କ୍ଷେତ୍ରରେ ୫ଟି ସେଣ୍ଟର ଅଫ୍ ଏକ୍ସେଲେନ୍ସର ପ୍ରାବଧାନ ରଖାଯାଇଛି। ସେଥିରୁ ଗୋଟିଏ ଓଡ଼ିଶାରେ ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
ଏହି ବୈଠକରେ ଓଡ଼ିଶାର ଆଇଟି.ଆଇ ଗୁଡ଼ିକୁ ଅଧିକ ସୁଦୃଢ଼ କରିବା, ଆହୁରି ଅଧିକ ‘ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ, ଦକ୍ଷତା ବିକାଶ ଶିକ୍ଷାର୍ଥୀଙ୍କ ପାଇଁ Multi-language Training Centre, ଜନଜାତି ବହୁଳ ଅଞ୍ଚଳରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ପି.ଏମ୍.- ଜନମନ୍ ଯୋଜନାରେ ଆଇ.ଟି.ଆଇକୁ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋଚନା ହୋଇଥିଲା ଖୁବ୍ ଶୀଘ୍ର ଏସବୁ ପ୍ରସ୍ତାବଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ।