ନୂଆଦିଲ୍ଲୀ ୩୧/୦୩: ଦେଶରେ ଇଂରେଜ ଅମଳର ରେଳ ନେଟ୍‌ୱର୍କର ଶେଷସନ୍ତକ ଇତିହାସ ହେବାକୁ  ଯାଉଛି । ଭାରତୀୟ ରେଳ ବିଭାଗ ବ୍ରିଟିଶ୍‌ କଂପାନି କ୍ଲିକ୍‌-ନିକ୍ସନ୍‌ ଦ୍ୱାରା ନିର୍ମିତ ଶକୁନ୍ତଳା ରେଲୱେର ଅଧିଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ ଏହି ରେଳଲାଇନ୍‌ ବ୍ରିଟେନ୍‌ର ସେଣ୍ଟ୍ରାଲ ପ୍ରୋଭିନ୍ସେସ୍‌ ରେଲୱେ  କଂପାନି(ସିପିଆର୍‌ସି)ର ମାଲିକାନାରେ ରହିଛି ।  

ମହାରାଷ୍ଟ୍ରର ୟବତମାଲରୁ ଅଚଲପୁର ମଧ୍ୟରେ ୧୯୧୬ରେ ବନାଯାଇଥିବା  ଏହି ରେଲୱେ ଟ୍ରାକ୍‌ ୧୮୮ କିମି ଲମ୍ବା ।  ସେତେବେଳେ ସେହି ଅଞ୍ଚଳରେ ବ୍ୟାପକ  ଭାବେ କପା ଚାଷ କରାଯାଉଥିଲା । ତାକୁ  ଦୃଷ୍ଟିରେ ରଖି କପା ପରିବହନ ପାଇଁ ଏହି  ରୁଟ୍‌ରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍‌  ଚାଲୁଥିଲା । ସେଥିମଧ୍ୟରେ ଶକୁନ୍ତଳା ଏକ୍ସପ୍ରେସ  ବି ସାମିଲ ଥିଲା । ଧୀରେ ଧୀରେ ଏହି ଟ୍ରାକ୍‌କୁ  ଶକୁନ୍ତଳା ରେଲୱେ କୁହାଯିବା ଆରମ୍ଭ ହେଲା ।  

୧୯୫୨ରେ ରେଳବିଭାଗର ରାଷ୍ଟ୍ରୀୟକରଣ  ହୋଇଥିଲା । କିନ୍ତୁ ଏହି ଟ୍ରାକ୍‌ ଅଲଗା ରହିଗଲା ।  ଏବେ ବି ଏହି ଟ୍ରାକ୍‌ର ମାଲିକାନା ବ୍ରିଟେନ୍‌ର  ଘରୋଇ କଂପାନି ନିକଟରେ ରହିଛି । ସେହି  କଂପାନି ଟ୍ରାକ୍‌କୁ ସଞ୍ଚାଳିତ କରୁଛି । ୧୯୪୭  ମସିହାରେ ଦେଶ ସ୍ୱାଧୀନ ହେବା ସମୟରେ  ଭାରତୀୟ ରେଳବିଭାଗ ସଂପୃକ୍ତ ବ୍ରିଟିଶ୍‌  କଂପାନି ସହ ଏକ ବୁଝାମଣା କରିଥିଲା । ସେହି  ବୁଝାମଣା ଅନୁସାରେ ଏବେ ମଧ୍ୟ ଭାରତୀୟ  ରେଳବିଭାଗ ପକ୍ଷରୁ ଟ୍ରାକ୍‌ ବ୍ୟବହାର ଲାଗି  କଂପାନିକୁ ବାର୍ଷିକ ରୟାଲ୍‌ଟି ଦିଆଯାଉଛି ।  ରୟାଲଟି ବାବଦରେ ବାର୍ଷିକ ୨-୩ କୋଟି  ଟଙ୍କା ପାଉଛି ସିପିଆରସି ।  

୨୦୧୬ରେ ଏହି ନାରୋଗେଜ୍‌ ଟ୍ରାକ୍‌ର  ଅଧିଗ୍ରହଣ କରି ୧୫ ହଜାର କୋଟି  ଟଙ୍କା ବଜେଟ୍‌ରେ ଏହାକୁ ବ୍ରଡଗେଜ୍‌ରେ  ପରିବର୍ତ୍ତନ ଲାଗି ସରକାର ଯୋଜନା  କରିଥିଲେ । ଏଥିଲାଗି ୨୦୧୭ ଜୁଲାଇରେ  ୟବତମାଲ ମୂର୍ତ୍ତିଜାପୁର ଓ ୨୦୧୯  ଏପ୍ରିଲରେ ମୂର୍ତ୍ତିଜାପୁର-ଅଚଳପୁର ମଧ୍ୟରେ  ସେବା ରଦ୍ଦ କରାଗଲା । ସେବେଠାରୁ ଏହି ଟ୍ରାକ୍‌  ବନ୍ଦ ରହିଛି ।