ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୫୦ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଏହା ସହ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି । ମାର୍ଚ୍ଚ ୯ରେ ଦୁବାଇରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫି ଇତିହାସ ଉପରେ ନଜର ପକାଇଲେ, ୨୫ ବର୍ଷ ପୂର୍ବେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା ଏବଂ କିୱି ଦଳ ଟ୍ରଫି ଜିତିଥିଲା । ୨୦୦୦ ମସିହା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । 

ମାର୍ଚ୍ଚ ୯ ତାରିଖରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ ଟାଇଟଲ୍ ମ୍ୟାଚ୍ ଖେଳାଯିବ। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଗ୍ରୁପରେ ଥିଲେ। ସେମିଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ବେଳେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଗୋଟିଏ ଗ୍ରୁପରେ ଥିଲେ । ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪୪ ରନ୍‌ରେ ପରାସ୍ତ କରିଥିଲା।

ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସଂସ୍କରଣ ୨୦୦୦ ମସିହାରେ କେନିଆରେ ଅନୁଷ୍ଠିତ ହୋଇଥିଲା ।  ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ଫାଇନାଲରେ ଭାରତକୁ ପରାସ୍ତ କରି କିୱି ଦଳ ଚାମ୍ପିଅନ ହୋଇଥିଲା। ଏଠାରେ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଥିଲେ ଏବଂ ଚୂଡ଼ାନ୍ତ ଏକାଦଶରେ ସଚିନ ତେନ୍ଦୁଲକର, ଯୁବରାଜ ସିଂହ, ରାହୁଲ ଦ୍ରାବିଡ, ଅଜିତ ଅଗରକର, ଅନିଲ କୁମ୍ବଲେ, ଜାହିର ଖାନଙ୍କ ଭଳି ବଡ଼ ଖେଳାଳି ଥିଲେ।

ଚାମ୍ପିଅନ୍ସ ଟ୍ରଫି ୨୦୦୦ ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୪ ରନ କରିଥିଲା। ଅଧିନାୟକ ଗାଙ୍ଗୁଲି ୧୧୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସଚିନ ତେନ୍ଦୁଲକର ୬୯ ରନ କରିଥିଲେ ଏବଂ ଦୁହେଁ ପ୍ରଥମ ୱିକେଟ ପାଇଁ ୧୪୧ ରନର ଭାଗିଦାରୀ କରିଥିଲେ। ତଥାପି, ଏହା ପରେ ଅନ୍ୟ ବ୍ୟାଟର ବଡ଼ ଇନିଂସ ଖେଳିପାରି ନଥିଲେ । ଟାର୍ଗେଟର ପିଛା କରିବା ସମୟରେ, କ୍ରିସ୍ କେର୍ନ୍ସ ୧୦୨ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ନ୍ୟୁଜିଲାଣ୍ଡ ୨ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରି ୪ ୱିକେଟରେ ବିଜୟୀ ହୋଇଥିଲା। ଟିମ୍ ଇଣ୍ଡିଆ ରନର୍ସଅପ୍ ହୋଇଥିଲା ।

ମାର୍ଚ୍ଚ ୯ (ରବିବାର) ଟିମ୍ ଇଣ୍ଡିଆ ପାଖରେ ୨୫ ବର୍ଷ ପୂର୍ବେ ଖେଳାଯାଇଥିବା ଫାଇନାଲ ମ୍ୟାଚର ପ୍ରତିଶୋଧ ନେବାର ଏକ ଭଲ ସୁଯୋଗ ଅଛି । ଟିମ୍ ଇଣ୍ଡିଆ କେବଳ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଜିତିଛି। ସେହିଭଳି ନ୍ୟୁଜିଲାଣ୍ଡ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟରେ (ଚାମ୍ପିଅନ୍ସ ଟ୍ରଫି୨୦୨୫) କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା ।

ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ଦୁବାଇ ଷ୍ଟାଡିୟମରେ ଗୋଟିଏ ମ୍ୟାଚ୍ ଖେଳିସାରିଛି। ଯଦିଓ ନ୍ୟୁଜିଲାଣ୍ଡ ପରାଜୟର ସାମ୍ନା କରିଥିଲା କିନ୍ତୁ ଭାରତୀୟ ଖେଳାଳିଙ୍କ ପରିସ୍ଥିତି ଏବଂ ଖେଳକୁ ବୁଝିପାରିଥିବ କିୱି ଦଳ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । ଟାଇଟଲ ମୁକାବିଲା ମାର୍ଚ୍ଚ ୯ ରେ ଦୁବାଇରେ ହେବ।