କୃଷ୍ଣପ୍ରସାଦ, ୨।୩: ପାରିକୁଦ ଅଞ୍ଚଳର ଆରାଧ୍ୟ ଠାକୁର କମଳେଶ୍ୱର ଦେବଙ୍କ ଦୋଳ ଉତ୍ସବକୁ ନେଇ ଲାଗି ରହିଥିବା ବିବାଦ ଥମୁନି । ପ୍ରଶାସନ ଏହାର ସମାଧାନ କରିବା ପରିବର୍ତ୍ତେ ଚାପରେ ଚେପା ହୋଇଛି । ଠାକୁରଙ୍କୁ ବି ପାତରଅନ୍ତର କରାଯାଇଛି । କମଳେଶ୍ୱରଙ୍କୁ ଗାଁ ଗାଁ ବୁଲାଇ ଚାଚେରୀ ଭୋଗ ଅର୍ପଣ କରାଯାଇଥିବା ବେଳେ ରଘୁନାଥ ଦେବଙ୍କୁ ସିଧା ମେଳଣ ପଡ଼ିଆକୁ ନେଇ ଯାଇଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶନିବାର ରାତିରେ ବିବାଦ ସମାଧାନ ହୋଇପାରି ନଥିଲା । ପ୍ରଶାସନିକ ଅଧିକାରୀମାନେ ଫେରି ଯାଇଥିଲେ । ରବିବାର ସକାଳୁ ତହସିଲଦାର ବିକାଶ ସେଠୀଙ୍କ ସହ ସଦର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସ ରଞ୍ଜନ ବାରିକ, ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ପ୍ରମୁଖ ପହଞ୍ଚି ଥିଲେ । ପଞ୍ଚୁପଡ଼ା କମିଟି ଓ କମଳାସିଂ ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ହରିହର ଭେଟ କରାଯାଇ ମେଳଣ କରାଯିବ ବୋଲି ଚୁକ୍ତି କରିଥିଲେ । ହେଲେ କୌଣସି ଅଦୃଶ୍ୟ ଶକ୍ତିର ଚାପରେ କିଛି ସମୟ ପରେ ଅଧିକାରୀମାନେ ଦେଇଥିବା କଥା ଭୁଲି ଯାଇଥିଲେ । ପଞ୍ଚୁକଡ଼ା କମିଟି ସଭାପତି ନରସିଂହ ମାଝୀ, ସମ୍ପାଦକ କବିରାଜ ମାଝୀ ପ୍ରଶାସନର ଏ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି ।
ଏହା ବି ପଢ଼ନ୍ତୁ... ଫେଲ୍ ମାରିବ କି ସ୍କ୍ରାପିଙ୍ଗ୍ ପଲିସି ? ମୁହଁ ଫେରାଉଛନ୍ତି ଗାଡ଼ି ମାଲିକ, ଭିତ୍ତିଭୂମି ଅଭାବରୁ ବଢୁଛି ଅସନ୍ତୋଷ
ସୂଚନାଯୋଗ୍ୟ, କମଳେଶ୍ୱର ଦେବଙ୍କ ମାଲିକାନାକୁ ନେଇ ୩୫ ମୌଜା, ପଞ୍ଚୁପଡ଼ା ଓ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ସିଂ ଦେଓଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହି ମାମଲା ଏବେ ଉଚ୍ଚ ନ୍ୟାୟଳୟରେ ବିଚାରଧୀନ ରହିଛି । କୋର୍ଟ ମଧ୍ୟବର୍ତ୍ତିକାଳୀନ ଆଦେଶନାମା ଜାରି କରିଥିବା ବେଳେ ତହସିଲ ପ୍ରଶାସନ ସ୍ଥାନୀୟ ଅଞ୍ଚଳର ଭଦ୍ରବ୍ୟକ୍ତି ଓ ନେତାଙ୍କ ଚାପରେ ପଡ଼ି ଠାକୁରଙ୍କୁ ୩୫ ମୌଜା କମିଟି ଅଧୀନସ୍ଥ ଅନ୍ୟାନ୍ୟ ଗ୍ରାମରେ ଦୋଳ ଭୋଗ ନଦେଇ ତହସିଲ କାର୍ଯ୍ୟାଳୟରେ ଦୋଳ ମେଳଣ ଉତ୍ସବ ଆୟୋଜନ କରି ମଉଜ ମଜଲିସ କରୁଥିବା ଅଭିଯୋଗ ହେଉଛି । ୩୫ ମୌଜା କମିଟି ଅଧୀନରେ ଥିବା ୧୮ ଠାକୁର ପାରମ୍ପରିକ ରୀତିନୀତି ଅନୁଯାୟୀ ପାରିକୁଦଗଡ଼ ରାଜବାଟିକୁ ଯାଉଥିବା ନଜିର ରହିଛି । ଚଳିତ ବର୍ଷ ଠାକୁରଙ୍କ ପାରିକୁଦ ରାଜବାଟିକୁ ଆଗମନ ନେଇ କଳ୍ପନା ଜଳ୍ପନା ଦେଖାଦେଇଛି । ରିପୋର୍ଟ ଲେଖା ହେବା ବେଳକୁ କେତେକ ଠାକୁର ତହସିଲ ମେଳଣ ପଡ଼ିଆରେ ପହଞ୍ଚିଥିବା ବେଳେ କିଛି ଠାକୁର ଆସି ନଥିବା ସୂଚନା ମିଳିଛି ।