ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଋତୁ ଫେରବଦଳ ଭଳି ବଦଳି ଋତୁ...

Published By : Manoj | August 5, 2025 2:52 PM

ସରକାରୀ ଚାକିରି କ୍ଷେତ୍ରରେ ବଦଳି  ହେବା ବା କରାଯିବା ଏକ ସୁସ୍ଥ ପରମ୍ପରା ।  ଏହାଦ୍ୱାରା ସରକାରୀ ଦପ୍ତରଗୁଡ଼ିକରେ  କାର୍ଯ୍ୟଧାରା ସ୍ୱଚ୍ଛ ଓ ଗତିଶୀଳ ହୋଇଥାଏ ।  ଆର୍ଥିକ ଅନିୟମିତତା ହେବାର ଅବକାଶ  ନଥାଏ । କର୍ମଚାରୀଗଣ ନିଜର ବ୍ୟକ୍ତିଗତ  କାର୍ଯ୍ୟ ପରିପୂରଣ ପାଇଁ ସମୟ  ପାଇନଥାନ୍ତି । ନିଜ ପଦମର୍ଯ୍ୟାଦାର  ଅପବ୍ୟବହାର ସୁଯୋଗ ସୃଷ୍ଟିହେବା ପୂର୍ବରୁ  ତାଙ୍କର ବଦଳି ହୋଇସାରିଥାଏ । 

ଋତୁ ଫେରବଦଳ ଭଳି ବଦଳି ଋତୁ ସରକାରୀ ବା  ସାଂଗଠନିକ ପ୍ରାଶାସନିକ ପ୍ରଣାଳୀରେ ଗୋଟିଏ  ଭାରି ପରିଚିତ ବାର୍ଷିକ ଘଟଣା । ଆମ ଓଡ଼ିଶାରେ  ଅପ୍ରେଲରେ ଏ ଋତୁ ଆସେ, ଆଉ ମେ’ ଦେଇ ଜୁନ  ମାସଯାଏଁ ଚାଲେ! ଋତୁଚକ୍ର ଯେପରି ସାରାଜଗତ ପାଇଁ  କଲ୍ୟାଣକାରୀ, ଏ ବଦଳି ଋତୁ ସେପରି ଗଣତାନ୍ତ୍ରିକ  ରାଷ୍ଟ୍ରରେ ପ୍ରାଶାସନିକ ସଂରଚନାରେ ପରିବର୍ତ୍ତନ ଆଣି  ରାଷ୍ଟ୍ର ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହୋଇଥାଏ । 

ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ବଦଳି ବି  ମୁଖ୍ୟତଃ ବର୍ଷରେ ଥରେ ହୋଇଥାଏ । ଯେଉଁ କର୍ମଚାରୀ  ବା ଅଧିକାରୀଙ୍କ କାର୍ଯ୍ୟକାଳ ଗୋଟିଏ ସ୍ଥାନରେ ବା  ନିର୍ଦ୍ଦିଷ୍ଟ ସିଟ୍‌ରେ ତିନିବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ  ହୋଇଯାଇଥାଏ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥାଏ । ଏଥିପାଇଁ ସରକାରଙ୍କ ଏକ ବିସ୍ତୃତ ନିୟମାବଳୀ ରହିଛି ।  ତାହାକୁ ଅନୁସରଣ କରି ପ୍ରତିବର୍ଷ ବଦଳି କାର୍ଯ୍ୟ  ସମାପନ କରାଯାଇଥାଏ ।  

ବଦଳି କହିଲେ ସାଧାରଣ ଭାଷାରେ  କର୍ମଚାରୀଙ୍କ ଫେରବଦଳକୁ ବୁଝାଇଥାଏ- ଗୋଟିଏ  ସ୍ଥାନରୁ ଅନ୍ୟ ସ୍ଥାନକୁ ବା ଗୋଟିଏ ବିଭାଗରୁ ଆଉ  ଗୋଟିଏ ବିଭାଗକୁ । ଏହି ସ୍ଥାନାନ୍ତରଣ ସ୍ୱାଭାବିକ  ଭାବେ ଆବଶ୍ୟକତା ଦୃଷ୍ଟିରୁ କରାଯାଇଥାଏ ।  ସରକାରୀ ବ୍ୟବସ୍ଥାରେ ଏହା ଏକ ପ୍ରାଶାସନିକ  ପ୍ରକ୍ରିୟା । ଏହାକୁ ସରକାର ଏକ ନିୟମିତ  କାର୍ଯ୍ୟର ଅଂଶ ରୂପେ ଗ୍ରହଣ କରି କାର୍ଯ୍ୟକାରୀ  କରିଥାନ୍ତି । କାହିଁକିନା, ନିୟମିତ ସମୟ ବ୍ୟବଧାନରେ  ବଦଳି, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ  ସେମାନେ ବହୁ ଅଭିଜ୍ଞତା ହାସଲ କରିବାରେ ସୁଯୋଗ  ସୃଷ୍ଟି କରିଥାଏ । ଏହାଦ୍ୱାରା ଉଭୟ ଜନସାଧାରଣ ଓ  ସରକାର ସୁଫଳ ପାଇଥାନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ପରିବେଶ,  ନିର୍ଦ୍ଦିଷ୍ଟ ସ୍ଥାନ, ନିର୍ଦ୍ଦିଷ୍ଟ ଆସନରେ ଲଗାତାର କାମ କଲେ  ଜଣେ ଅଧିକାରୀ ବା କର୍ମଚାରୀଙ୍କ ଦାୟିତ୍ୱ ନିର୍ବାହ  ପ୍ରତି ଆଗ୍ରହ କମିଯାଇଥାଏ ଓ ତାର କର୍ମନିପୁଣତାରେ  ଅବକ୍ଷୟ ବି ଘଟିଥାଏ । କର୍ମଚାରୀ ଜଣକ ଗୋଟିଏ ସ୍ଥାନ  ବା ବିଭାଗରେ ଦୀର୍ଘଦିନ ରହିବା ଦ୍ୱାରା ପ୍ରଭାବଶାଳୀ  ହୋଇଯାଇ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର  କରିବା ଓ ମନମାନି ଆଚରଣ ଦେଖାଇବାର ସମ୍ଭାବନାକୁ  ଏଡ଼ାଇ ଦିଆଯାଇନପାରେ! ଗୋଟିଏ ନିର୍ଦ୍ଦିଷ୍ଟ ଜାଗା ଓ  ନିର୍ଦ୍ଦିଷ୍ଟ କର୍ମରେ ବାହାଲ ଥିବା ବ୍ୟକ୍ତି ଜଣକ କାର୍ଯ୍ୟରେ  ବା ଚିନ୍ତାରେ କିଛି ସୃଜନଶୀଳତା ଓ ନୂତନତା ପ୍ରଦର୍ଶନ  କରିପାରେନାହିଁ । ଫଳରେ ବ୍ୟବସ୍ଥାଟିରେ ଗୋଟେ ସ୍ଥାଣୁତ୍ୱ  ଆସିଯାଏ । ଏହା ଉଭୟ ସରକାର ଓ ଜନସାଧାରଣଙ୍କର  ଘୋର କ୍ଷତି ପହଞ୍ଚାଇଥାଏ । ଏହି ସମସ୍ୟା ଆଖିରେ  ରଖି ଶ୍ରମ ଆଇନରେ ବଦଳି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ  କରାଯାଇଛି । 

ନିୟମିତ ସମୟ ବ୍ୟବଧାନରେ ଜଣେ କର୍ମଚାରୀର  ସ୍ଥାନାନ୍ତରଣ ବା କାର୍ଯ୍ୟାନ୍ତରର ବିଧି ଏଥିରେ ସନ୍ନିବିଷ୍ଟ  କରାଯାଇଛି । ଆଜି ଏ ବଦଳି ଋତୁ ଆସିଲେ ଏସବୁ  ମହତ ଓ ମଙ୍ଗଳକାରୀ ଉଦ୍ଦେଶ୍ୟ କ’ଣ ଅମଳ  କରିହେଉଛି ସତରେ! ଗତ କେତେବର୍ଷ ଧରି ଏହି  ବଦଳିକୁ ନେଇ ଶାସନ ବ୍ୟବସ୍ଥାରେ ନାନାଦି ସମସ୍ୟା  ସୃଷ୍ଟିହେବା ଦେଖିବାକୁ ମିଳୁଛି । କିଛି ଅସାଧୁ କର୍ମଚାରୀ  ସରକାରଙ୍କ ଏହି ବଦଳି ନିୟମ ନମାନିବାକୁ ନାନାଦି  ଫନ୍ଦିଫିକର କରିବା, ଲାଞ୍ଚ ମିଛ ଦେବା ଓ ଧରାଧରି କରିବା  ଭଳି ଅସାଧୁ ଉପାୟ ଅବଲମ୍ବନ କରି ସରକାରଙ୍କ ଏହି  ପ୍ରକ୍ରିୟାଟିକୁ ଗୋଟିଏ ଉପହସିତ ଖେଳରେ ପରିଣତ  କରି ଦେଇଛନ୍ତି! ଫଳରେ ଶାସନ ବ୍ୟବସ୍ଥାରେ ଗୋଟିଏ  କୁପରମ୍ପରା ସୃଷ୍ଟି ହୋଇଯାଇଛି । ଏଥିରେ କିଛି ସଚ୍ଚୋଟ  ଅଧିକାରୀ ଓ ନିମ୍ନ କର୍ମଚାରୀ ବଳି ପଡୁଥିବାବେଳେ କିଛି  ବଡ଼ବଡ଼ିଆ ଓ ମାଧ୍ୟମ ସାଜିଥିବା ଦଲାଲଙ୍କ ହାତଚିକ୍କଣ ହୋଇପାରୁଛି । ବଦଳି କ୍ଷେତ୍ରରେ ଏପରି ଅନିୟମିତତା  ଦେଖି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏକ ମାର୍ଗଦର୍ଶିକା  ଜାରି କରି ଏଥିରେ ସୁଧାର ଆଣିବାକୁ ଉଦ୍ୟମ  କରିଥିଲେ ।

ସେହି ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ,  ନିୟମ ଆଧାରିତ ବଦଳିକୁ କର୍ମଚାରୀମାନେ ଯଥାସାଧ୍ୟ  ମାନିବେ ଓ ଏହାକୁ ଉଲ୍ଲଙ୍ଘନ କରିବେନାହିଁ । ମୁଖ୍ୟ  ସଚିବଙ୍କ ଚିଠି ନଂ.୩୩୯୩୯ ତା ୧୧/୧୧/୨୦୨୪ରେ  ମାର୍ଗଦର୍ଶିକା ଜାରି କରି କ୍ଷୋଭ ପ୍ରକାଶ କରିଛନ୍ତି ଯେ, ସରକାରଙ୍କ ଦୃଷ୍ଟିକୁ ଆସିଛି କେତେକ ସରକାରୀ  କର୍ମଚାରୀ ବଦଳି ଓ ପୋଷ୍ଟିଂରେ ଉପରିସ୍ଥ ଅଧିକାରୀଙ୍କୁ  ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ଓ ନିଜ ମନ  ମୁତାବକ ଜାଗାରେ ରହିବାକୁ ଚାପ ପକାଉଛନ୍ତି । ଏହି  କାର୍ଯ୍ୟ ସରକାରୀ କର୍ମଚାରୀଙ୍କ ବ୍ୟବହାର ନିୟମାବଳୀ ୧୯୫୯କୁ ଉଲ୍ଲଙ୍ଘନ କରୁଅଛି । ସେଥିପାଇଁ କୌଣସି  କର୍ମଚାରୀ ନିଜର ପୋଷ୍ଟିଂ, ପଦୋନ୍ନତି ବା ବଦଳିରେ  ଉପରିସ୍ଥ ଅଫିସରଙ୍କ ଉପରେ ଚାପ ପକାଇବା ବା  ନାନାଦି ପ୍ରଲୋଭନ ଦେଖାଇବା ଆଇନତଃ ଅପରାଧ ।  ଏହା ଓଡ଼ିଶା ସରକାରଙ୍କ ସେବା ନିୟମ-୨୩ ଅନୁଯାୟୀ  ଏକ ଦଣ୍ଡନୀୟ କାର୍ଯ୍ୟ ଅଟେ ।

ତାଙ୍କ ମାର୍ଗଦର୍ଶିକା ଏହା  ମଧ୍ୟ ଦର୍ଶାଇ ଦେଇଛି ଯେ, ସରକାରଙ୍କ ଦ୍ୱାରା ହେଉଥିବା  ବଦଳି, ପଦୋନ୍ନତି ଓ ପୋଷ୍ଟିଂ ଅତ୍ୟନ୍ତ ସ୍ୱଚ୍ଛ ଓ ମେଧା ଭିତ୍ତିରେ ହେଉଥିବାରୁ ଏଥିରେ କୌଣସି ପ୍ରକାର  ଅନୁପ୍ରବେଶ ଓ ଏଥିପ୍ରତି ଆଗ୍ରହ ପ୍ରକାଶ କରିବା  ଅନୁଚିତ । ଏହି ବ୍ୟବହାରକୁ ସମ୍ପୃକ୍ତ କର୍ମଚାରୀଙ୍କ  ଅତ୍ୟନ୍ତ ଅସଦାଚରଣ ଭାବେ ଗ୍ରହଣ କରାଯିବ, ତେଣୁ  ସମସ୍ତ କର୍ମଚାରୀ ଚାକିରି କାଳ ମଧ୍ୟରେ ଏଭଳି ଉଦ୍ୟମରୁ  ବିରତ ରହିବା ଉଚିତ । ଏହି ଆଦେଶନାମା ରାଜ୍ୟ ପ୍ରଧାନ  କାର୍ଯ୍ୟାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକରେ କଡ଼ାକଡ଼ି  ପାଳନ କରାଯିବା ଉଚିତ୍‌ । ଏହି ନିୟମ ଉଲ୍ଲଙ୍ଘନ କଲେ  ବା ସେପରି ଚେଷ୍ଟା କଲେ ତାହା ଦଣ୍ଡନୀୟ ବୋଲି  ବିଚାର କରାଯିବ । ଯେଉଁ ବ୍ୟକ୍ତି ବା ଦଲାଲ କର୍ମଚାରୀଙ୍କ ବଦଳି ବାତିଲ ପାଇଁ ଲାଞ୍ଚ ମିଛ ବା ଧରାଧରି କରିବେ  ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ।  

ମାତ୍ର ଦୁଃଖର ବିଷୟ ଏହି ଯେ, ମୁଖ୍ୟ ସଚିବଙ୍କ ଏହି  ଆଦେଶନାମାକୁ ମଧ୍ୟ ଅମାନ୍ୟ କରାଯାଉଥିବା ଦେଖିବାକୁ  ମିଳୁଛି । ଫଳରେ ରାଜ୍ୟ ସରକାରଙ୍କ ବଦଳି ବ୍ୟବସ୍ଥା  ଏକ କିମ୍ଭୂତ କିମାକାର ରୂପ ଧାରଣ କରିଛି । ଦଳେ  ଟାଉକା, ଧୂର୍ତ୍ତ କର୍ମଚାରୀ ନିଜର ଅପବୁଦ୍ଧି ଦ୍ୱାରା ବର୍ଷ  ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡ଼ିବସିଥିବା ବେଳେ  ଦକ୍ଷ ଓ ସାଧୁ କର୍ମଚାରୀମାନେ ଦଣ୍ଡିତ ହେଉଛନ୍ତି । ଯେଉଁ  ବଦଳି ପ୍ରକ୍ରିୟା କାର୍ଯ୍ୟଦକ୍ଷତା ବୃଦ୍ଧିପାଇଁ ଉଦ୍ଦିଷ୍ଟ ତାହା ଏକ  ପ୍ରହସନରେ ପରିଣତ ହୋଇଯାଇଛି, ଶାସନ କାର୍ଯ୍ୟରେ  ସ୍ଥାଣୁତ୍ୱ ସ୍ୱାଭାବିକ ହୋଇଯାଇଛି । 

ସରକାରୀ ଚାକିରି କ୍ଷେତ୍ରରେ ବଦଳି ହେବା  ବା କରାଯିବା ଏକ ସୁସ୍ଥ ପରମ୍ପରା । ଏହାଦ୍ୱାରା  ସରକାରୀ ଦପ୍ତରଗୁଡ଼ିକରେ କାର୍ଯ୍ୟଧାରା ସ୍ୱଚ୍ଛ ଓ ଗତିଶୀଳ ହୋଇଥାଏ । ଆର୍ଥିକ ଅନିୟମିତତା ହେବାର  ଅବକାଶ ନଥାଏ । କର୍ମଚାରୀଗଣ ନିଜର ବ୍ୟକ୍ତିଗତ  କାର୍ଯ୍ୟ ପରିପୂରଣ ପାଇଁ ସମୟ ପାଇନଥାନ୍ତି । ନିଜ  ପଦମର୍ଯ୍ୟାଦାର ଅପବ୍ୟବହାର ସୁଯୋଗ ସୃଷ୍ଟିହେବା  ପୂର୍ବରୁ ତାଙ୍କର ବଦଳି ହୋଇସାରିଥାଏ । ଫଳରେ ଶାସନକଳରେ ଏକ ସ୍ୱଚ୍ଛ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ  ପ୍ରତିଷ୍ଠା ହୋଇପାରେ ଓ ଏହା ଆଗାମୀ ଦିନପାଇଁ  ଉଦାହରଣ ପାଲଟିଯାଏ । ସାଧାରଣ ଜନତା ଏଥିରୁ  ସୁଫଳ ପାଇବା ସହିତ ଦେଶ ବିକାଶ ଦିଗରେ  ଅଗ୍ରସର ହୋଇଥାଏ । ଗୋଟିଏ ସାଧାରଣ ସାର୍ବଜନୀକ ନିଷ୍ପତ୍ତିରେ ବଦଳି କରାଯିବାଟା ଗୋଟିଏ ସୁଶାସନର  ପ୍ରତୀକ । ବଦଳିକୁ ରୋକି ଦିଆଯିବା ବିକାଶର  ପରିପନ୍ଥୀ । ସେଥିପାଇଁ ବର୍ଷ ବର୍ଷ ଧରି ବଦଳି ପ୍ରକ୍ରିୟା  ଚାଲିଆସୁଅଛି । ଏହାକୁ ସରଳ ଓ ସଚଳ କରାଯିବାକୁ  ନାନାଦି ବିଧିବିଧାନ ପ୍ରଣୟନ କରାଯାଉଛି । ମାତ୍ର ଦଳେ  ଅସାଧୁ ବ୍ୟକ୍ତିବିଶେଷ ଓ କେତେକ ଅର୍ଥଲୋଭୀ ଦଲାଲ  ଏହି ବ୍ୟବସ୍ଥାକୁ ନମାନିବାକୁ ଯତ୍ପରୋନାସ୍ତି ଉଦ୍ୟମ  କରୁଛନ୍ତି ଓ ସମୟକ୍ରମେ ସଫଳ ବି ହେଉଛନ୍ତି ।  ଏହାଦ୍ୱାରା ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧରେ କାଳିମା  ଲାଗୁଛି । ଶାସନ ବ୍ୟବସ୍ଥା ଓ ସରକାରଙ୍କ ପ୍ରତି ଲୋକଙ୍କର  ବିଶ୍ୱାସ ହଟିଯାଉଛି । ଏଣୁ ବଦଳି ପ୍ରକ୍ରିୟାକୁ ସୁଚାରୁ  ରୂପେ ପାଳନ କରାଯିବାର ଆବଶ୍ୟକତା ରହିଛି । 

ଅନେକ ବଦଳି ପ୍ରକ୍ରିୟାକୁ ମାନିବା ଚାକିରିର ଏକ  ବୈଶିଷ୍ଟ୍ୟ ଭାବେ ଗ୍ରହଣ ନକରି ଗୋଟିଏ ଦଣ୍ଡ ବା  ତିରସ୍କାର ବୋଲି ବି ଧରିଥାନ୍ତି । ଏମିତି ଭାବିବାରେ  ଯଥେଷ୍ଟ କାରଣ ବି ରହିଛି । କାରଣ ସାମ୍ପ୍ରତିକ ଦଳୀୟ  ରାଜନୀତିରେ ନିଜ ଦଳର ଅନୁଗାମୀ ଓ ଚାଟୁକାରଙ୍କ  କଥାରେ ଦଳୀୟ ଏମ.ପି, ଏମ.ଏଲ.ଏ. ବଦଳିରେ  ହସ୍ତକ୍ଷେପ କରିଥାନ୍ତି । ଏହାଫଳରେ ବଦଳି ଆଇନର  ଉଲ୍ଲଙ୍ଘନ ହୁଏ ଓ ସାଧୁ କର୍ମଚାରୀମାନେ ହତୋତ୍ସାହିତ  ହୁଅନ୍ତି । ଏହା ସରକାରଙ୍କ ବିକାଶ କାର୍ଯ୍ୟରେ ବାଧା  ସୃଷ୍ଟିକରେ । ବଦଳି ପ୍ରକ୍ରିୟା ସ୍ୱଚ୍ଛ ଓ ନିୟମାନୁଯାୟୀ  କରାଯିବାକୁ ରାଜନୈତିକ ନେତାମାନଙ୍କର ସହଯୋଗ  ଓ ବଦଳିରେ ସମ୍ପୃକ୍ତ ନହେବା ବ୍ୟବସ୍ଥା ରହିବା ଉଚିତ ।  ହେଲେ ବିଡମ୍ବନା ଏହି ଯେ, ନେତାମାନଙ୍କର ଅନୀତି ଓ  ଦୁର୍ନୀତିକୁ ସହାୟତା କରୁଥିବା କର୍ମଚାରୀଙ୍କୁ ପୁରସ୍କାର  ସ୍ୱରୂପ ତାଙ୍କ ବଦଳିକୁ ସ୍ଥଗିତ କରାଯାଏ ବା ଟାଳି  ଦିଆଯାଇଥାଏ । 

ବଦଳି ବା ସ୍ଥାନାନ୍ତର ପ୍ରକ୍ରିୟାରେ ଦୁର୍ନୀତିକୁ  ରୋକିବା ପାଇଁ କେତେଗୁଡ଼ିଏ ପଦକ୍ଷେପ ନିଷ୍ଠାର ସହିତ  ନିଆଗଲେ ଏ ସମସ୍ୟାର ସମାଧାନ ହୋଇପାରନ୍ତା ।  ସ୍ଥାନାନ୍ତର ନୀତି ଏବଂ ପ୍ରକ୍ରିୟାଗୁଡ଼ିକରେ କେବଳ  ଅଧିକ ସ୍ୱଚ୍ଛତା ରହିଲେ ଏବଂ ତାହା ଜନସାଧାରଣଙ୍କ  ଅନୁଧ୍ୟାନ ପାଇଁ ସୁଗମ କରାଗଲେ ଏଥିରେ ଦୁର୍ନୀତିକୁ  ରୋକାଯାଇପାରିବ । ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରିବା  ପାଇଁ ସ୍ୱାଧୀନ ତଦାରଖ ସଂସ୍ଥାଟିଏ ପ୍ରତିଷ୍ଠା କରାଗଲେ  ଏଥିରେ ନିରପେକ୍ଷତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ  କରାଯାଇପାରିବ । ଏଥିସହିତ ଲାଞ୍ଚ ଏବଂ କ୍ଷମତାର ଅପବ୍ୟବହାର ସମେତ ଦୁର୍ନୀତି ଆଦି ଅପରାଧ ପାଇଁ  କଠୋର ଦଣ୍ଡ ଲାଗୁ କରାଗଲେ ଏହା ଏକ ପ୍ରତିରୋଧକ ଭାବରେ ନିଶ୍ଚୟ କାର୍ଯ୍ୟ କରିପାରିବ । 

ଏତଦ୍ଭିନ୍ନ  ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ନୈତିକ ଆଚରଣ  ଓ ସଚ୍ଚୋଟତାର ସଂସ୍କୃତିକୁ ପ୍ରୋତ୍ସାହିତ କରାଗଲେ  ବଦଳିରେ ହେଉଥିବା ଦୁର୍ନୀତିକୁ ରୋକାଯାଇପାରିବ ।  ସର୍ବୋପରି ଏ କ୍ଷେତ୍ରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ରିପୋର୍ଟ କରୁଥିବା ହ୍ୱିସଲ ବ୍ଲୋୟରମାନଙ୍କୁ ସୁରକ୍ଷା  ପ୍ରଦାନ କରାଗଲେ ନିଶ୍ଚୟ ବର୍ଷକୁ ବର୍ଷ ଆସୁଥିବା  ଏ ବଦଳି ଋତୁରେ ଆମେ ଉଚିତ ପଦକ୍ଷେପ ଗ୍ରହଣ କରିପାରିବା। ମନରେ ଏଇଠି ପ୍ରଶ୍ନ ଆସେ- ସତରେ  କ’ଣ ଏମିତି ସବୁ ହୋଇପାରିବ? ହଁ ହୋଇପାରିବ ।  ଯଦି ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଥାଏ । ଆଗରୁ ସମୟ  ଓ ସରକାର କ'ଣ ଥିଲା ଭିନ୍ନ କଥା, ଆଜି ମୋହନ  ସରକାର ଆସି ୱାର୍କ-ପାସ୍‌ବୁକ ଭଳି ଅନେକ ଅଭିନବ ସଂସ୍କାରମୂଳକ ପଦକ୍ଷେପ ନେଇସାରିଛନ୍ତି । 

ଏହି ବଦଳି ପ୍ରକ୍ରିୟାରେ ଯଦି ଦୃଢ଼ତାର ସହିତ ସେ  ସେମିତି କିଛି ସଂସ୍କାର ଆଣନ୍ତେ, ତେବେ ଏ ଓଡ଼ିଶା  ମାଟି ଓ ଏ ମାଟିର ମଣିଷମାନଙ୍କ ପାଇଁ ମଙ୍ଗଳକାରୀ  ହୋଇପାରନ୍ତା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.