ନୂଆଦିଲ୍ଲୀ: ଆୟର୍ଲାଣ୍ଡର ଡବଲିନ୍ରେ ଥିବା ଭାରତୀୟ ଦୂତାବାସ ଏକ ପରାମର୍ଶମୂଳକ ସତର୍କତା ଜାରି କରିଛି । ଆୟର୍ଲାଣ୍ଡରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଭାରତୀୟ ଦୂତାବାସ । ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ଆୟର୍ଲାଣ୍ଡରେ ଏବେ ବର୍ଣ୍ଣବୈଷମ୍ୟକୁ ନେଇ ଆକ୍ରମଣ ବୃଦ୍ଧି ପାଇବା ପରେ ସେଠାରେ ରହୁଥିବା ଭାରତୀୟଙ୍କୁ ନେଇ ଚିନ୍ତା ପ୍ରକାଶ ପାଇଛି । ନିକଟରେ ଜଣେ ୩୨ ବର୍ଷୀୟ କ୍ୟକ୍ତିଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି ।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇଛି । ଦୂତାବାସ ଏହି ସମ୍ପର୍କରେ ଆୟର୍ଲାଣ୍ଡରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି । ଆୟର୍ଲାଣ୍ଡରେ ଥିବା ଭାରତୀୟମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ପାଇଁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ବିଚ୍ଛିନ୍ନ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି ।’ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀକାଳୀନ ଯୋଗାଯୋଗ ସୂଚନା ମଧ୍ୟ ସେୟାର କରିଛି ।
ଜୁଲାଇ ୧୯ରେ ଡବଲିନର ତାଲାଘଟରେ ଜଣେ ଭାରତୀୟ ନାଗରିକଙ୍କ ମୁହଁରେ ଅନେକ ଥର ଛୁରା ମାଡ଼ ହେବା ଘଟଣା ସାମ୍ନାକୁ ଆସିଥିଲା । ତାଙ୍କୁ ଉଲଗ୍ନ କରାଯାଇଥିଲା ଏବଂ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରକ୍ତାକ୍ତ ଅବସ୍ଥାରେ ରଖାଯାଇଥିଲା । ଏହି ଘଟଣା ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିବାଦ ଦେଖିବାକୁ ମିଳିଥିଲା । ପାକିସ୍ତାନୀ, ବାଂଲାଦେଶୀ ଏବଂ ଆୟର୍ଲାଣ୍ଡର ନାଗରିକ ଏହି ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ନ୍ୟାୟ ଦାବି କରିଥିଲେ । ୮୦୦ ରୁ ଅଧିକ ଲୋକ ଡବଲିନ୍ ସିଟି ହଲରୁ ଜାତୀୟ ଗ୍ୟାଲେରୀ ପର୍ଯ୍ୟନ୍ତ ରାଲି କରିଥିଲେ । ବର୍ଣ୍ଣବୈଷମ୍ୟକୁ ନା ଏବଂ ଆୟର୍ଲାଣ୍ଡ ଆମ ଘର ଭଳି ବ୍ୟାନର ଧରି ପ୍ରତିବାଦ କରିଥିଲେ ଲୋକେ ।