ମୁମ୍ୱାଇ - ମାର୍ଚ୍ଚ ୧୯ ତାରିଖରେ ସାରା ବିଶ୍ୱରେ ମୁକ୍ତିଲାଭ କରିଛି ଫିଲ୍ମ ନିର୍ମାତା ଆଦିତ୍ୟ ଧର ଏବଂ ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର : ଦି ରିଭେଞ୍ଜ" । ଏହା ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି ଏବଂ ସାରା ବିଶ୍ୱର ସିନେମା ହଲ୍‌ ଗୁଡ଼ିକରେ ସିନେ ପ୍ରେମୀଙ୍କ ପ୍ରବଳ ଭିଡ଼ ଲାଗିଛି। ଗୋଟେପଟେ ଯେଉଁଠି ପ୍ରଶଂସକମାନେ ଫିଲ୍ମକୁ ସିଟି, ଜୟଧ୍ୱନି ଏବଂ ପ୍ରବଳ ଭିଡ଼ ଭିତରେ ଉତ୍ସବ ପାଳିବା ଭଳି ମାହୋଲ ତିଆରି କରି ଥିବା ବେଳେ, ଅନ୍ୟପଟେ ମଣ୍ଟ୍ରିଆଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ଅନଲାଇନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଫିଲ୍ମର ସ୍କ୍ରିନିଂ ସମୟରେ ଦର୍ଶକମାନେ ଫିଲ୍ମ ହଲ୍‌ର ହଙ୍ଗାମା କରୁଛନ୍ତି। ସ୍କ୍ରିନକୁ କ୍ଷତି ପହଞ୍ଚାଇବାର ଅଭିଯୋଗ ହୋଇଛି। ଏହାପରେ ସେଠାରେ ବିଶୃଙ୍ଖଳା ଦେଖାଦେଇଛି। ପରିସ୍ଥିତି ଏପରି ବିପର୍ଯ୍ୟସ୍ତ ହୋଇ ଯାଇଥିଲା ଯେ, ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା ଏବଂ ପୁଲିସ ଅଧିକାରୀମାନେ ହଲ ଭିତରକୁ ପ୍ରବେଶ କରୁଥିବା ଦେଖାଯାଇ ଥିଲା। ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରି ଜଣେ ଇନଷ୍ଟାଗ୍ରାମ ୟୁଜର ଲେଖିଛନ୍ତି, "ଚଳଚ୍ଚିତ୍ର ଦେଖିବାର ମଜା ନଷ୍ଟ ହୋଇ ଯାଇଛି। ଧୁରନ୍ଧର ସ୍କ୍ରିନିଂ ସମ୍ପୂର୍ଣ୍ଣ ରୂପେ ଅରାଜକତାରେ ପରିଣତ ହେଉଛି , ପ୍ରଥମେ ସିନେପ୍ଲେକ୍ସ ଏଟୱାଟରରେ, ଏବଂ ବର୍ତ୍ତମାନ ଆଙ୍ଗ୍ରିଗନର ଏକ ହଲରେ ସମାନ ଘଟଣାର ଖବର ଆସିଛି।

ଉକ୍ତ ଭିଡ଼ିଓ ଉପରେ ଇଣ୍ଟରନେଟ୍‌ରେ ଲୋକେ ଖୁବ୍ ରିଆକ୍ଟ କରିଛନ୍ତି ଏବଂ ଘଟଣାର କାରଣକୁ ନେଇ ବିଭିନ୍ନ ପ୍ରକାରର ଆକଳନ କରିଛନ୍ତି। ଜଣେ କମେଣ୍ଟରେ ଲେଖିଥିଲେ –ମୁଁ ଶୁଣିଛି କି ଏହି ଫିଲ୍ମ ବେଳେ ଅନେକ ହଲ୍ ଭଙ୍ଗା ଯାଇଛି। ଏବେ ଏହି ଫିଲ୍ମ ନିଶ୍ଚୟ ଦେଖିବି, କାରଣ ଲୋକେ ଏହାକୁ ରୋକିବାକୁ ଚେଷ୍ଟା କରୁଛନ୍ତି।