ଭୁବନେଶ୍ୱର, ୦୬/୦୯: ପ୍ରେମୀଯୁଗଳ ନୟାଗଡ଼ସ୍ଥିତ ଗାଁକୁ ଯିବା ବେଳେ ଯୋଜନା  କଲେ, ଓଡ଼ିଶାର କାଶ୍ମୀର ତଥା ଖୋର୍ଦ୍ଧାର  ନିଷିଦ୍ଧ ଖଣି ଅଞ୍ଚଳ ‘ତାପଙ୍ଗ’ ବୁଲିବାକୁ ଯିବେ । ବୁଲିଲେ ବି । କିନ୍ତୁ କିଛି ସମୟ ପରେ ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ଭୀଷଣ ଝଗଡ଼ା କଲା ପ୍ରେମିକ । ଆଉ ରାଗରେ ଜର୍ଜରିତ ହୋଇ କଳିଙ୍ଗ ମୁଣ୍ଡିଆର ଅକାତ କାତ ଖାଲକୁ ଠେଲି ମାରିଦେଲା ।  ଦୀର୍ଘ ୮ ମାସ ତଳେ ଘଟିଥିବା ଏଭଳି  ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ  କରିଛି ଭରତପୁର ଥାନା ପୁଲିସ । ମୃତକ  ନିରୁପମା ପରିଡ଼ା ଓରଫ୍‌ ମିତା(୨୪)ଙ୍କ  କଙ୍କାଳ କଳିଙ୍ଗ ମୁଣ୍ଡିଆର ଖାଲରୁ ଉଦ୍ଧାର  କରିଛି ପୁଲିସ । ହତ୍ୟାକାରୀ ପ୍ରେମିକ  ଦେବାଶିଷ ବିଶୋଇ(୨୮)କୁ ଗିରଫ କରିଛି ।  ଆଜି ତାକୁ କୋର୍ଟଚାଲାଣ କରାଯିବ । ୮ ମାସ ଧରି ଚୁପ୍‌ ବସିଥିବା କମିସନରେଟ୍‌  ପୁଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ  ପାଇବା ପରେ ତତ୍ପରତା ଦେଖାଇଥିଲା । ଦେବାଶିଷକୁ ପଚରାଉଚରା କରିବା ପରେ  ହତ୍ୟାକାଣ୍ଡର ପୂରା ଘଟଣାବଳୀ ପଦାକୁ ଆସିଛି ।

ଘଟଣାଟି ଏମିତି... ନୟାଗଡ଼ ରଣପୁର ଥାନା ଅଧୀନ ହରିପୁର ବାଉଁଶଗଡ଼ାର ଶରତ ପରିଡ଼ାଙ୍କ ଝିଅ ନିରୁପମା  ପାତ୍ରପଡ଼ାର ଶ୍ରୀକ୍ଷେତ୍ର ଗ୍ରୀନଉଡ୍‌ ଆପାର୍ଟମେଣ୍ଟର  ଏ-୧୦୮ ଫ୍ଲାଟ୍‌ରେ ରହୁଥିବା ସମରଜିତ୍‌ ଜେନାଙ୍କ ଘରେ ଘରୋଇ ସହାୟିକା  ଭାବେ କାର୍ଯ୍ୟ କରୁଥିଲେ । ନୟାଗଡ଼ ରଣପୁର ଥାନା  ମଝିଁଆଖଣ୍ଡ ଅଞ୍ଚଳର ଦେବାଶିଷ ମଧ୍ୟ ଇଲେକ୍ଟ୍ରିସିଆନ୍‌ ଭାବରେ ଭୁବନେଶ୍ୱରରେ କାମ କରୁଥିଲା । ତମାଣ୍ଡୋ  ଅଞ୍ଚଳରେ ଭଡ଼ାରେ ରହୁଥିଲା । ନୟାଗଡ଼ରେ କଲେଜରେ ପଢ଼ିବା ବେଳଠୁ ଉଭୟଙ୍କ ଭିତରେ ପ୍ରେମ  ସମ୍ପର୍କ ଗଢ଼ି ଉଠିଥିଲା । ଉଭୟେ ଭୁବନେଶ୍ୱରରେ  ରହିବା ପରେ ଉଭୟ ସମ୍ପର୍କ ନିବିଡ଼ ହୋଇଥିଲା ।  କିନ୍ତୁ ନିରୁପମା ଅନ୍ୟ କାହାରିକୁ ପ୍ରେମ କରୁଛନ୍ତି  ବୋଲି ଦେବାଶିଷ ସନ୍ଦେହ କରୁଥିଲା । ଯେଉଁଥିପାଇଁ  ପ୍ରେମୀଯୁଗଳଙ୍କ ଭିତରେ ଅନେକଥର ଝଗଡ଼ା ହୋଇଛି ।

ଦେବାଶିଷ ପୁଲିସକୁ ଦେଇଥିବା ସୂଚନା ମୁତାବକ ଗତ ଜାନୁଆରୀ ୨୪ରେ ନିରୁପମା ଗାଁକୁ ବାହାରିଥିଲେ । ପାତ୍ରପଡ଼ା ଛକରୁ ତାଙ୍କୁ ବାଇକ୍‌ରେ ବସାଇ ଦେବାଶିଷ ନୟାଗଡ଼ ଅଭିମୁଖେ ବାହାରିଥିଲା । ଗାଁକୁ ଯିବା ପୂର୍ବରୁ ଉଭୟେ ତାପଙ୍ଗସ୍ଥିତ ଖଣିକୁ ବୁଲିବାକୁ ଯାଇଥିଲେ ।  ସେଠାରେ ପୁଣି ନିରୁପମାଙ୍କ ଚରିତ୍ରକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଦେବାଶିଷ ରାଗିଯାଇ ତାଙ୍କୁ ଖଣି ତଳକୁ ଠେଲି ଦେଇଥିଲା । ପ୍ରାୟ ୬୦ ଫୁଟ୍‌ ତଳକୁ  ଖସିବା ପରେ ନିରୁପମାଙ୍କ ଶରୀର ଏକ ବିରାଟ ପଥରରେ ଛେଚି ହୋଇଯାଇଥିଲା ।  

ପ୍ରେମିକା ଜଣକ ମରିଗଲା କି ନାହିଁ, ଜାଣିବାକୁ  ଦେବାଶିଷ ଖଣି ତଳକୁ ଯାଇଥିଲା । ସେତେବେଳକୁ  ନିରୁପମା ଦରମରା ହୋଇ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର  କରୁଥିଲେ। ଦେବାଶିଷ ଏକ ପଥର ବାନ୍ଧି ନିରୁପମାଙ୍କୁ ଗଭୀର ଖଣି ପାଣି ଭିତରକୁ ଗଡ଼େଇ ଦେଇଥିଲା ।  ଆଉ କଳିଙ୍ଗ ମୁଣ୍ଡିଆରୁ ଚୁପ୍‌ଚାପ୍‌ ପଳାଇ ଆସିଥିଲା । ଜାନୁଆରୀ ୨୭ରେ ସମରଜିତ୍‌ ଭରତପୁର ଥାନାରେ  ନିରୁପମାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ । ପୁଲିସ  ନିଖୋଜ ମାମଲା ରୁଜୁ କରି କାମ ତୁଟାଇ ଦେଇଥିଲା ।

ନିକଟରେ ମୃତକଙ୍କ ବାପା ଶରତ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପ୍ରକୋଷ୍ଠରେ ନ୍ୟାୟ ପାଇଁ ଗୁହାରି କରିଥିଲେ ।  ତା’ ପରେ ପୁଲିସ ତଦନ୍ତ ଆଗେଇଥିଲା । ନିରୁପମାଙ୍କ ମୋବାଇଲ୍‌ର କଲ୍‌ ଡିଟେଲ୍ସ ରେକର୍ଡ(ସିଡିଆର)  ରିପୋର୍ଟ ଯାଞ୍ଚ ପରେ ପୁରୁଷବନ୍ଧୁ ଦେବାଶିଷ ସନ୍ଦେହ  ଘେରକୁ ଆସିଥିଲା । ଦେବାଶିଷକୁ ଆଣି ୩ ଦିନ ଧରି  ଥାନାରେ ଜେରା କରିବା ପରେ ଶେଷରେ ସେ ସତ  ମାନିଥିଲା ।  

ଭରତପୁର ଥାନା ପୁଲିସ ଶୁକ୍ରବାର ହତ୍ୟା  ଅଭିଯୁକ୍ତକୁ ସାଙ୍ଗରେ ଧରି ତାପଙ୍ଗ ନିଜିଗଡ଼କୁ ଯାଇଥିଲା ।  ସ୍ଥାନୀୟ ପୁଲିସ ବି ଉପସ୍ଥିତ ଥିଲା । ସେଠାରେ ମୃତକଙ୍କ  ବାପା ଏବଂ ଭାଇ କଙ୍କାଳରେ ଥିବା ଚିରା ଛିଣ୍ଡା ପୋଷାକରୁ  ଝିଅକୁ ଚିହ୍ନଟ କରିଥିଲେ । ପୁଲିସ କଙ୍କାଳକୁ ବ୍ୟବଚ୍ଛେଦ  ପାଇଁ ଭୁବନେଶ୍ୱର ଏମ୍‌ସକୁ ପଠାଇଛି