ଭୁବନେଶ୍ୱର ୧୯/୧୨: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦ୍ୱିତୀୟ ଥର ଚାମ୍ପିଅନ ହୋଇଥିଲା । କ୍ରିକେଟ୍ପ୍ରେମୀ, ଦର୍ଶକ, ପ୍ରଶଂସକ ଓ ଶୁଭେଚ୍ଛୁ ଖୁସିରେ ଆତ୍ମବିଭୋର ହୋଇ ପଡ଼ିଥିଲେ । ଏହି ଖୁସିରେ ଦିନିକିଆ ଫାଇନାଲ ପରାଜୟକୁ ସମସ୍ତେ ଭୁଲି ଯାଇଥିଲେ । ଚେସ୍ରେ ଭାରତ ରଚିଥିଲା ନୂଆ ଇତିହାସ । ଫିଡେ ଚେସ୍ ଅଲିମ୍ପିଆଡ୍ରେ ପୁରୁଷ ଓ ମହିଳା ଦଳ ସ୍ୱର୍ଣ୍ଣ ଏବଂ କ୍ୟାଣ୍ଡିଡେଟ୍ସ ଚେସ୍ରେ ଚାମ୍ପିଅନ ହେବା ପରେ ଡି.ଗୁକେଶ ବିଶ୍ୱ ଚାମ୍ପିଅନସିପ୍କୁ ଯୋଗ୍ୟତା ହାସଲ କରିଥିଲେ । ବିଶ୍ୱ ଚାମ୍ପିଅନସିପ୍ରେ ସେ ସର୍ବକନିଷ୍ଠ ଖେଳାଳି ଭାବେ ଟାଇଟଲ ଜିତିଥିଲେ । ସେମିତି ହକି ଓ ଅନ୍ୟାନ୍ୟ କ୍ରୀଡ଼ାରେ ମଧ୍ୟ ଭାରତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବେଶ ଚମକପୂର୍ଣ୍ଣ ପ୍ରଦର୍ଶନ କରିଥିଲା ।
ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ବିଶ୍ୱ ଟାଇଟଲ୍
ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦ୍ୱିତୀୟ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟାଇଟଲ ଜିତିବାରେ ସଫଳ ହୋଇଥିଲା । ୨୦୦୭ ପ୍ରଥମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ହୋଇଥିଲା ବିଶ୍ୱ ଚାମ୍ପିଅନ । ମାତ୍ର ଦ୍ୱିତୀୟ ଟାଇଟଲ ଜିତିବା ପାଇଁ ଦେଢ଼ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ।
୨୦୨୪ ବିଶ୍ୱକପ୍ ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଆୟୋଜନ କରିଥିଲେ । ଫାଇନାଲ ମ୍ୟାଚ୍ ବ୍ରିଜଟାଉନରେ ଖେଳାଯାଇଥିଲା। ବିରାଟ କୋହଲି ଓ ଅକ୍ଷର ପଟେଲଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ଏବଂ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂକୁ ପାଥେୟ କରି ଭାରତ ୭ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୬୯ ରନ୍ରେ ସୀମିତ ରହିଥିଲା ।
ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଦଳ ସମସ୍ତ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ଟପ୍ପର ହୋଇଥିଲା । ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିଥିଲା । ୬୮ ରନ୍ରେ ବିଜୟୀ ହୋଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ରେ ଆଫଗାନିସ୍ତାନକୁ ହରାଇଥିଲା ।
ତ୍ରି-ମୂର୍ତ୍ତି ଛାଡ଼ିଲେ ଟି-ଟ୍ୱେଣ୍ଟି
ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଚାମ୍ପିଅନ ହେବା ପରେ ଟିମ୍ ଇଣ୍ଡିଆର ତ୍ରି-ମୂର୍ତ୍ତି ଭେଟେରାନ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ନେଇଥିଲେ ।
କ୍ୟାରିୟରରେ ଶୀର୍ଷ ସଫଳତା ହାସଲ କରିବା ପରେ ଏହି ବରିଷ୍ଠ ତାରକାମାନେ ସନ୍ନ୍ୟାସ ନେଇ ଟି-ଟ୍ୱେଣ୍ଟିରେ ସୁଖଦ ଅନ୍ତ ଘଟାଇ ପରବର୍ତ୍ତୀ ପିଢ଼ି ପାଇଁ ବାଟ ଛାଡ଼ିଥିଲେ । ଦଳ ଚାମ୍ପିଅନ ହେବା ପରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଗ୍ରହଣ କରିସାରି କୋହଲି, ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରୋହିତ ଏବଂ ତହିଁ ପରଦିନ ରବିନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ବିଦାୟ ସଂପର୍କରେ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଜାଡେଜା ଲେଖିଥିଲେ, ‘ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବାର ସ୍ୱପ୍ନ ଥିଲା । ତାହା ସାକାର ହୋଇଛି ।’ କୋହଲି କହିଥିଲେ, ‘ଏହା ଥିଲା ମୋର ଶେଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଏହା ହିଁ ଆମେ ହାସଲ କରିବାକୁ ଚାହୁଁଥିଲୁ । ଈଶ୍ୱର ହେଉଛନ୍ତି ବଡ଼ । ଦଳ ପାଇଁ ଯାହା ଆବଶ୍ୟକ ହେଉଥିଲା, ତାହା କରିଛି । ଏହା ମୋର ଦେଶ ପାଇଁ ଶେଷ ଟି-ଟ୍ୱେଣ୍ଟି । ବିଶ୍ୱକପ୍ ତୋଳି ଧରିବାକୁ ଚାହିଁଥିଲି । ସମୟ ଆସିଛି, ପରବର୍ତ୍ତୀ ପିଢ଼ିଙ୍କୁ ବାଟ ଛାଡ଼ିବାର ।
ରୋହିତ କହିଥିଲେ,‘ଆଜି ମୋର ମଧ୍ୟ ଶେଷ ଟି-ଟ୍ୱେଣ୍ଟି(ଅନ୍ତର୍ଜାତୀୟ) ମ୍ୟାଚ୍ ରହିଥିଲା । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜରିଆରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲି । ଟ୍ରଫି ସହ ଯାତ୍ରା ଶେଷ କରୁଛି । କେବଳ ଟ୍ରଫି ଜିତିବା ସ୍ୱପ୍ନ ଥିଲା ।
ଗୁକେଶ ସର୍ବକନିଷ୍ଠ ଟାଇଟଲ ବିଜେତା
ବିଶ୍ୱ ଚେସ୍ ଚାମ୍ପିଅନସିପ୍ରେ ଚୀନର ଡିଫେଣ୍ଡିଂ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ପରାଜିତ କରି ଡି. ଗୁକେଶ ହୋଇଥିଲେ ନୂଆ ଚାମ୍ପିଅନ । ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ସେ ଏହି ସୌଭାଗ୍ୟ ଲାଭ କରିଥିଲେ । ସାରା ବିଶ୍ୱ ତାଙ୍କ ବିଚକ୍ଷଣତାକୁ ଭୂୟସୀ ପ୍ରଶଂସା କରୁଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ଗୁକେଶଙ୍କୁ ୫ କୋଟିର ପୁରସ୍କାର ରାଶି ପ୍ରଦାନ କରିଥିଲେ ।
ଗୋଟିଏ ବର୍ଷରେ ସେ ଦୁଇଟି ବଡ଼ ସଫଳତା ହାସଲ କରିଥିଲେ । ଗତ ଏପ୍ରିଲ ମାସରେ ଟରଣ୍ଟୋରେ ଆୟୋଜିତ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍ରେ ନୂଆ ଇତିହାସ ରଚିଥିଲେ ଗୁକେଶ । ମାତ୍ର ୧୮ ବର୍ଷ ବୟସରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ସେ ପୁଣି ବିଶ୍ୱ ବିଜେତା ହେଲେ । ଅଦ୍ଭୁତ ଗୋଟି ଚାଳନା ଏବଂ ଅଦମ୍ୟ ସାହସ ଗୁକେଶଙ୍କୁ ବିଶ୍ୱ ଚେସ୍ରେ ନୂଆ ପରିଚୟ ଦେଇଛି । ଟରଣ୍ଟୋରେ ଗୁକେଶଙ୍କ ଖେଳ ଉପରେ ସାରା ବିଶ୍ୱର ନଜର ରହିଥିଲା । ଆମେରିକା, ରୁଷିଆ ଓ ଫ୍ରାନ୍ସର ଜିଏମ୍ମାନଙ୍କୁ ଯେଉଁଭଳି ସେ ପଛରେ ପକାଇ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲେ, ତାହା ଥିଲା ଏକ ଅବିଶ୍ୱସନୀୟ ମୁହୂର୍ତ୍ତ । ମାତ୍ର ୧୭ ବର୍ଷ ବୟସରେ କ୍ୟାଣ୍ଡିଡେଟ୍ସ ଚେସ୍ରେ ଚାମ୍ପିଅନ ହେବାରେ ଗୁକେଶ ଥିଲେ ସର୍ବକନିଷ୍ଠ ଖେଳାଳି । ୨୦୦୬ ମେ’ ୨୯ ତାରିଖରେ ଚେନ୍ନାଇରେ ତାଙ୍କର ଜନ୍ମ। ବାପା ଡାକ୍ତର ରଜନୀକାନ୍ତ ଏବଂ ମା’ ଡାକ୍ତର ପଦ୍ମା । ଉଭୟ ପେସାରେ ଡାକ୍ତର ମାତ୍ର ପିଲାଟି ଦିନରୁ ଗୁକେଶଙ୍କ ରୁଚିଥିଲା ଚେସ୍ରେ । ଯେ ହେତୁ ଚେସ୍ ଏକ ‘ମାଇଣ୍ଡ ଗେମ୍’ ତେଣୁ ବାପା ମା’ ମଧ୍ୟ ପୁତ୍ରକୁ ଏ ଦିଗରେ ପ୍ରୋତ୍ସାହିତ କରିଥିଲେ ।
୨୦୧୯ରେ ଗୁକେଶ ୧୨ ବର୍ଷ ୭ ମାସ ୧୭ ଦିନରେ ଗ୍ରାଣ୍ଡ୍ମାଷ୍ଟର ହୋଇଥିଲେ । ଚେସ୍ ଇତିହାସରେ ସେ ଥିଲେ ତୃତୀୟ ସର୍ବକନିଷ୍ଠ ଜିଏମ୍ । ୨୦୨୩ରେ ଫିଡେ ସର୍କିଟରେ ଦ୍ୱିତୀୟ ସ୍ଥାନରେ ରହି କ୍ୟାଣ୍ଡିଡେଟ୍ସ ଚେସ୍କୁ ଯୋଗ୍ୟତା ହାସଲ କରିଥିଲେ । ବିଶ୍ୱନାଥନଙ୍କ ଏକାଡେମୀ ୱେଷ୍ଟବ୍ରିଜଡ-ଆନନ୍ଦ ଚେସ ଏକାଡେମୀରେ ଗୁକେଶ ୨୦୨୦ରୁ ପ୍ରଶିକ୍ଷଣ ନେଉଛନ୍ତି ।
ଚେସ୍ ଅଲିମ୍ପିଆଡ୍ରେ ଡବଲ ସ୍ୱର୍ଣ୍ଣ
ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡ୍ରେ ଭାରତୀୟ ପୁରୁଷ ଓ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ପୁରୁଷ ଦଳରେ ଜିଏମ୍ ଡି. ଗୁକେଶ, ଆର. ପ୍ରଜ୍ଞାନନନ୍ଦା, ଅର୍ଜୁନ ଏରିଗାଇସି, ବିଦିତ ଗୁଜରାଠୀ ଓ ପି. ହରିକ୍ରିଷ୍ଣା ଏବଂ ମହିଳା ଦଳରେ ଜିଏମ୍ ହାରିକା ଡ୍ରୋନାଭାଲି, ଆର.ବୈଶାଳୀ, ଆଇଏମ୍ ଦିବ୍ୟା ଦେଶମୁଖ, ତାନିଆ ସଚଦେବ ଓ ବନ୍ତିକା ଅଗ୍ରୱାଲ ସାମିଲ ରହିଥିଲେ ।
୯୭ ବର୍ଷ ଚେସ୍ ଅଲିମ୍ପିଆଡ୍ ଇତିହାସରେ ପ୍ରଥମ ଥର ଭାରତ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛି । ତେଣୁ ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ସଭାପତି ନୀତିନ ନାରଙ୍ଗ ୩.୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଲେଖାଏଁ, ଉଭୟ ଦଳର ଅଧିନାୟକ (ଅଭିଜିତ କୁନ୍ତେ ଓ ଶ୍ରୀନାଥ ନାରାୟଣ) ଙ୍କୁ ୧୫ ଲକ୍ଷ ଲେଖାଏଁ, ମୁଖ୍ୟ କୋଚଙ୍କୁ ୧୦ ଲକ୍ଷ ଏବଂ ସହଯୋଗୀ କୋଚ୍ଙ୍କୁ ୭.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଥିଲା ।
ଆଇପିଏଲ୍ରେ ପନ୍ତ ସବୁଠୁ ମହଙ୍ଗା
ଆଇପିଏଲ-୨୦୨୫ ମେଗା ଖେଳାଳି ନିଲାମରେ ୱିକେଟ କିପର ବ୍ୟାଟର ରିଷଭ ପନ୍ତ ନୂଆ ଇତିହାସ ରଚିଛନ୍ତି । ସେ ଏମିତି ଶିଖର ଛୁଇଁଛନ୍ତି, ଯାହା ଅତି ଅଦ୍ଭୁତ ଓ ଅକଳ୍ପନୀୟ ରହିଥିଲା । ଲକ୍ଷେ୍ନø ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ପନ୍ତ ଆଇପିଏଲରେ ପୂର୍ବ ରେକର୍ଡ ଭଙ୍ଗ କରି ସବୁଠୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଯଦିଓ ଶ୍ରେୟାସ ଆୟର ତାଙ୍କର ଖୁବ ନିକଟତର ହୋଇଥିଲେ । କିନ୍ତୁ ୨୫ ଲକ୍ଷ ଟଙ୍କା ଆଗରେ ରହିଥିଲେ ପନ୍ତ । ଆୟରଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫ କୋଟି ଟଙ୍କାରେ କିଣିଛି । ତୃତୀୟ ମହଙ୍ଗା ଖେଳାଳି ଥିଲେ ଅଲରାଉଣ୍ଡର ଭେଙ୍କଟେଶ ଆୟର । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୨୩ କୋଟି ୭୫ ଲକ୍ଷ ଟଙ୍କାରେ ଦଳରେ ରଖିଛି ।
ପୂର୍ବରୁ ସବୁଠୁ ମହଙ୍ଗା ଖେଳାଳି ତାଲିକାରେ ପାଟ କମିନ୍ସ (୨୦.୫୦ କୋଟି), ସାମ କୁରାନ (୧୮.୫୦ କୋଟି), କାମେରୁନ ଗ୍ରୀନ (୧୭.୫୦ କୋଟି), ବେନ ଷ୍ଟୋକ୍ସ (୧୬.୨୫ କୋଟି), କ୍ରିସ୍ ମୋରିସ (୧୬.୨୫), ଯୁବରାଜ ସିଂ (୧୬ କୋଟି) ଏବଂ ନିକୋଲାସ ପୂରନ (୧୬ କୋଟି) ସାମିଲ ରହିଥିଲେ ।
ତୃତୀୟ ଟ୍ରଫି ଜିତିଲା କୋଲକାତା
୨୦୨୪ ଆଇପିଏଲ୍ର ଫାଇନାଲ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮.୩ ଓଭରରେ ୧୧୩ ରନ୍ କରିଥିଲା । ଜବାବରେ କୋଲକାତା ୧୦.୩ ଓଭରରେ ୨ ୱିକେଟ୍ ହରାଇ ବିଜୟୀ ହୋଇଥିଲା । କୋଲକାତା ତୃତୀୟ ଥର ଚାମ୍ପିଅନ ହେବାରେ ଗୌରବ ଲାଭ କରିଥିଲା । ଶ୍ରେୟାସ ଆୟର ଦଳର ଅଧିନାୟକ ଥିଲେ । ପୂର୍ବରୁ ଦଳ ୨୦୧୨ ଓ ୨୦୧୪ରେ ଟାଇଟଲ ଜିତିଥିଲା ।
ପୁରୁଷ ଜୁନିୟର ଏସିଆ କପ୍ ହକି ଭାରତ ପଞ୍ଚମଥର ଚାମ୍ପିଅନ
ପୁରୁଷ ଜୁନିୟର ଏସିଆ କପ୍ ହକି ଫାଇନାଲରେ ଭାରତ ୫-୩ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାଜିତ କରି ପଞ୍ଚମ ଥର ଟାଇଟଲ ଜିତିବାରେ ସଫଳ ହୋଇଥିଲା । କ୍ରମାନ୍ୱୟରେ ଏହା ଦଳର ତୃତୀୟ ଟାଇଟଲ । ଭାରତ ୨୦୦୪, ୨୦୦୮, ୨୦୧୫, ୨୦୨୩, ୨୦୨୪ ସଂସ୍କରଣରେ ଚାମ୍ପିଅନ ହୋଇଛି । ୧୯୯୬ ଓ ୨୦୦୦ରେ ରନର୍ସଅପ୍ ହୋଇଥିଲା । ଭାରତ ପଛକୁ ପାକିସ୍ତାନ ୩ ଥର (୧୯୮୭, ୧୯୯୨, ୧୯୯୬), ଦକ୍ଷିଣ କୋରିଆ ଥରେ (୨୦୦୦) ଏବଂ ମାଲେସିଆ (୨୦୧୨) ମଧ୍ୟ ଥରେ ଚାମ୍ପିଅନ ହୋଇଛି । ଚାମ୍ପିଅନ ଦଳ ସହ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ୪ ସ୍ଥାନ ମଧ୍ୟରେ ଥିବା ଦଳ ଜୁନିୟର ହକି ବିଶ୍ୱକପ୍କୁ (୨୦୨୫) ଯୋଗ୍ୟତା ହାସଲ କରିଥିଲେ।
ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଜିତାଇଲେ ଯୁଗରାଜ
ଆୟୋଜକ ଚୀନକୁ ପରାଜିତ କରି ଭାରତ ଚଳିତ ବର୍ଷ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଚାମ୍ପିଅନ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ଭାରତ ୧-୦ ଗୋଲରେ ବିଜୟୀ ହୋଇଥିଲା । ୫୧ ମିନିଟରେ ଯୁଗରାଜ ସିଂ ବିଜୟୀ ଗୋଲ୍ ସ୍କୋର କରିଥିଲେ । ଭାରତ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ସବୁ ମ୍ୟାଚ୍ରେ ବିଜୟୀ ହୋଇଥିଲା । ପୂର୍ବରୁ ଦଳ ୨୦୧୧, ୨୦୧୬, ୨୦୧୮ ଓ ୨୦୨୩ରେ ଟ୍ରଫି ହାସଲ କରିଥିଲା । ଏହାକୁ ମିଶାଇ ପଞ୍ଚମ ଥର ଭାରତ ଟ୍ରଫି ଜିତିବାରେ ସଫଳ ହୋଇଛି ।
ଭାରତ ଜିତିଲା ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି
ଚମତ୍କାର ପ୍ରଦର୍ଶନ ସହ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଆୟୋଜକ ଭାରତୀୟ ଦଳ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହୋଇଥିଲା । ବିହାରର ରାଜଗିରରେ ଖେଳାଯାଇଥିବା ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଏବଂ ମୋଟ୍ରେ ୩ ଥର ଭାରତ ଏହି ଟାଇଟଲ ଜିତିବାର ଗୌରବ ଲାଭ କରିଥିଲା । ୨୦୨୩ ସଂସ୍କରଣ ରାଞ୍ଚି ଏବଂ ଚଳିତ ବର୍ଷ ବିହାରର ରାଜଗିରରେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଚାମ୍ପିଅନ ଦଳକୁ ୧୦,୦୦୦ ଡଲାର, ରନର୍ସଅପ ଦଳକୁ ୭,୦୦୦ ଡଲାର ଏବଂ ବ୍ରୋଞ୍ଜ ବିଜେତା ଜାପାନକୁ ୫୦୦୦ ଡଲାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।
ମହିଳା ଜୁନିୟର ଏସିଆ କପ୍ ହକି ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ଟ୍ରଫି
ଓମାନରେ ଆୟୋଜିତ ମହିଳା ଏସିଆ କପ୍ ହକିରେ ଭାରତୀୟ ଦଳ ୧-୧ (୩-୨)ରେ ଚୀନକୁ ପରାଜିତ କରି ଦ୍ୱିତୀୟ ଥର ଚାମ୍ପିଅନ ହୋଇଥିଲା । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିଥିବାରୁ ପେନାଲ୍ଟି ସୁଟ୍ଆଉଟର ସହାୟତା ନିଆଯାଇଥିଲା । ଭାରତ ୩-୨ରେ ଜିତି ଟ୍ରଫି ହାସଲ କରିଥିଲା । ସାକ୍ଷୀ ରାଣା, ଇଷିକା ଓ ସୁନେଲିତା ଟପ୍ପୋ ଗୋଲ ଦେବାରେ ସଫଳ ହୋଇଥିଲେ । ଚାମ୍ପିଅନ ଦଳର ସଦସ୍ୟଙ୍କ ପାଇଁ ହକି ଇଣ୍ଡିଆ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ସହଯୋଗୀ କର୍ମଚାରୀଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।