ଭୁବନେଶ୍ୱର, ୩୦।୭: ଖୁବ୍ କମ୍ ସମୟରେ ସୁନ୍ଦର ଓ ଆକର୍ଷଣୀୟ ଶରୀର ପାଇବାକୁ ଜିମ୍ରେ ଜଏନ୍ କରିବା ଲାଗି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ଦେଖାଦେଉଛି । ଏକ୍ସସରସାଇଜ୍, ଏରୋବିକ୍, ଜୁମ୍ବା, ଯୋଗ ଭଳି ବିଭିନ୍ନ ଅଭ୍ୟାସକୁ ଲୋକମାନେ ଆପଣାଉଛନ୍ତି । ସେଥିପାଇଁ ରାଜଧାନୀରେ ଖୋଲିଛି ମାଳ ମାଳ ଜିମ୍ ସେଣ୍ଟର । ଯେଉଁଥିରେ ଅତ୍ୟାଧୁନିକ ବ୍ୟାୟାମ ଯନ୍ତ୍ର ବ୍ୟବହାର କରାଯାଉଛି । ହେଲେ ପରିଚାଳନା ତଥା ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅଧିକାଂଶ ଜିମ୍ ସେଣ୍ଟରରେ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ନାହାନ୍ତି । ଏହି ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକମାନେ ଅନଲାଇନ୍ ଓ ୟୁଟ୍ୟୁବ୍ ଭିଡିଓ ଦେଖି ପ୍ରଶିକ୍ଷଣ ଦେଉଛନ୍ତି ।
ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ, ଯେଉଁମାନଙ୍କର ଆକର୍ଷଣୀୟ ମାଂସପେଶୀ ଥିବା ଶରୀର ରହୁଛି ସେମାନଙ୍କୁ ମାଲିକମାନେ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦେଉଛନ୍ତି । ଫଳରେ ଜିମ୍ ସେଣ୍ଟରଗୁଡ଼ିକରେ ଯାଇଥିବା ବ୍ୟକ୍ତିବିଶେଷ ଶରୀରକୁ ଫିଟ୍ ରଖିବା ପରିବର୍ତ୍ତେ ଅସୁସ୍ଥ ହୋଇ ଫେରୁଛନ୍ତି । ଜିମ୍ରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ଅନୁପଯୁକ୍ତ ମାର୍ଗଦର୍ଶନ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ପିଠି ଓ ମେରୁଦଣ୍ଡ ଯନ୍ତ୍ରଣା ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଭୁଲ୍ ବ୍ୟାୟାମ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦ୍ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏଭଳି ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକମାନଙ୍କ ପାଇଁ ବାଜିରେ ଲାଗୁଛି ବହୁମୂଲ୍ୟ ଜୀବନ ।
ତେବେ ଜିମ୍ ସେଣ୍ଟରଗୁଡ଼ିକରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ କାହିଁକି ନିଯୁକ୍ତି ଦିଆଯାଉଛି ? ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ ନିଯୁକ୍ତ କଲେ ସେମାନଙ୍କ ପାରିଶ୍ରମିକ ଅଧିକ । ତେଣୁ ବ୍ୟାୟାମଶାଳା ମାଲିକମାନେ ଅଧିକ ଲାଭ ଆଶାରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କୁ ରଖିଥାନ୍ତି । ଯାହା ଫଳରେ ଗ୍ରାହକ ଜିମ୍ ସେଣ୍ଟରକୁ ଆସି ବିଭିନ୍ନ ରୋଗରେ ପଡ଼ିଥାନ୍ତି । ଆଜିକାଲି ଶରୀରକୁ ସୁନ୍ଦର ରଖିବା ଲାଗି ଓ ମେଦବହୁଳତା ଦୂର କରିବା ପାଇଁ ଜିମ୍ ସେଣ୍ଟର ଯାଆନ୍ତି । ହେଲେ ସେଠାରେ ଅଣ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟାୟାମ କରିବାର କିଛିଦିନ ପରେ ଶରୀରରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଆରମ୍ଭ ହୁଏ । ଏନେଇ ଲୋକେ ସଚେତନ ନଥାନ୍ତି । ଭୁଲ ୱାର୍କଆଉଟ୍ କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ତେଣୁ ଯଦି ଆପଣ ଜିମ୍ ଯାଉଛନ୍ତି, ସେହି ଜିମ୍ ସେଣ୍ଟର ଓ ସେଠାରେ ଥିବା ଜିମ୍ ଟ୍ରେନରଙ୍କ ସଠିକ୍ ଯାଞ୍ଚ କରିନିଅନ୍ତୁ ।