ରାୟପୁର : ଛତିଶଗଡ଼ ପୌର ନିର୍ବାଚନର ଫଳାଫଳ ସାମ୍ନାକୁ ଆସି ଯାଇଛି। ବିଜେପି ଏଥିରେ ଜବରଦସ୍ତ ପ୍ରଦର୍ଶନ କରି କଂଗ୍ରେସର ମୂଳପୋଛ କରି ଦେଇଛି। କହିରଖୁଛୁ କି, ଛତିଶଗଡ଼ର ୧୦ ନଗର ନିଗମ , ୪୯ ମ୍ୟୁନିସପାଲିଟି ଓ ୧୧୪ ନଗର ପଞ୍ଚାୟତ ପାଇଁ ଗତ୧୧ ଫେବ୍ରୁଆରୀରେ ଭୋଟିଂ ହୋଇଥିଲା। 

ଭାରତୀୟ ଜନତା ପାର୍ଟି (ବିଜେପି) ସମସ୍ତ ୧୦ ନଗର ନିଗମରେ ବିଜୟର ବାନା ଉଡ଼ାଇଛି। ଅନ୍ୟପଟେ କଂଗ୍ରେସ ନିଗମରେ ଖାତା ଖୋଲି ପାରି ନାହିଁ। ୪୯ଟି ମ୍ୟୁନିସପାଲିଟିରେ ବିଜେପିକୁ ୩୫ , କଂଗ୍ରେସକୁ ୮ସିଟ୍‌ରେ ବିଜୟ ମିଳିଛି। ଖାଲି ଏତିକି ନୁହେଁ , ମ୍ୟୁନିସପାଲିଟିରେ ଆମ୍‌ ଆଦମୀ ପାର୍ଟି ମଧ୍ୟ ନିଜର ଖାତା ଖୋଲି ପାରିଛି । ଆପ୍‌ ବୋଦରୀର ଏକ ସିଟ୍‌ରେ ବିଜୟ ହାସଲ କରିଥିବା ବେଳେ ୫ଟି ସିଟ୍‌ ନିର୍ଦଳୀୟ ଖାତାକୁ ଯାଇଛି। 

ଯଦି ନଗର ପଞ୍ଚାୟତ କଥା କହିବା ତ  ଏଠାରେ ମଧ୍ୟ ବିଜେପି ମଧ୍ୟ ବଡ଼ ବିଜୟ ହାସଲ କରିଛି। ନଗର ପଞ୍ଚାୟତର ୧୧୪ଟି ସିଟ୍‌ରୁ ବିଜେପି ୮୧,କଂଗ୍ରେସ ୨୨ ଓ ବହୁଜନ ସମାଜ ପାର୍ଟି ୧ଟି ଆସନରେ ବିଜୟ ହାସଲ କରିଥିବା ବେଳେ ୧୦ଟି ଆସନ ନିର୍ଦ୍ଦଳୀୟ ଖାତାକୁ ଯାଇଛି। 

ପୌର ନିର୍ବାଚନରେ ମିଳିଥିବା ଜବରଦସ୍ତ ବିଜୟପରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି କି , ପୌର ନିର୍ବାଚନରେ ବହୁତ ଭଲ ଫଳାଫଳ ଆସିଛି। ମୁଁ ପୁଣି ଥରେ ସବୁ ଛତିଶଗଡ଼ର ମତଦାତାଙ୍କୁ କୃତଜ୍ଞତା ଜଣାଉଛି କି ,ସେ ବିଜେପି ଉପରେ ଭରସା କରିଛନ୍ତି, ମୁଁ ରାଜ୍ୟର ଜନତାଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଅଟଳ ବିଶ୍ୱାସ ପତ୍ରରେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଛୁ, ତାକୁ ନିଶ୍ଚିତ ରୂପେ ଶତ ପ୍ରତିଶତ ପୂରା କରିବୁ। 


ଛତିଶଗଡ଼ ପୌର ନିର୍ବାଚନରେ ବିଜେପିର ଜୋରଦାର ବିଜୟରେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଛତିଶଗଡ଼ ପୌର ନିର୍ବାଚନରେ ବିଜେପିର ଖୁବ୍‌ ବିଜୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ , ରାଜ୍ୟର ଅଧ୍ୟକ୍ଷ ଓ ବିଜେପି ଛତିଶଗଡ଼ର ସବୁ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।