ଭୁବନେଶ୍ବର, ୨୮।୧୨ : ଗତ ୨୦ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଧ୍ୟ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ।
ମୁଖ୍ୟମନ୍ତ୍ରୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବେ। ସେ ନୟାଗଡ଼ର ରଣପୁର, ଗଜପତିର ଗୋଷାଣୀ ବ୍ଲକ, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ ଗସ୍ତ କରିବେ। କ୍ଷତିଗ୍ରସ୍ତ ଧାନ କ୍ଷେତ ପରିଦର୍ଶନ କରିବେ। ଏଥିସହ ଚାଷୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିବେ।
ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଟକ ଏବଂ ଜଗତସିଂହପୁର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ବୟନମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ବୋଲି ଜଣାପଡିଛି।